ଶୁଖିଲା ପତ୍ର
ଶୁଖିଲା ପତ୍ର
ତୋଟାରେ ଆମର ଜାତିଜାତି ଗଛ
ଆମ୍ବ ନାରୀକେଳ ତାଳ ତମାଳ
ନିଇତି ସକାଳେ ସବୁ ଗଛ ମୂଳେ
ଶୁଖିଲା ପତର ହୁଅଇ ଠୁଳ ।
ଉପର ସାହିର ପିଲା ଠାରୁ ବୁଢା
ଆସନ୍ତି ଟୋକେଇ ପହଁରା ଧରି
ସବୁ ପତରକୁ ଗୋଟେଇ ନିଅନ୍ତି
ଅତି ଶରଧାରେ ଯତନ କରି ।
ଶୁଖିଲା ପତରେ ଭଲ ଚୂଲି ଜଳେ
ରୋଷେଇ ସେଥିରେ ବଢିଆ ହୁଏ
ଧାନ ଉଁସା ବେଳେ ଶୁଖିଲା ପତର
ଗରିବଙ୍କ ପାଇଁ ସମ୍ବଳ ହୁଏ ।
ଶୀତୁଆ ସକାଳେ ହାଡଭଙ୍ଗା ଜାଡ
ଦେହ ମନ ଆମ ଯାଏରେ ଥରି
ସାଥିମାନେ ମିଶି ନିଆଁ ପୂହିଁଥାଉ
ଶୁଖିଲା ପତର ଏକାଠି କରି ।
ଶୁଖିଲା ପତର ଷଢିଗଲେ ହୁଏ
ଭାରି ଉପକାରୀ ଜୈବିକ ଖତ
ସେହି ଖତ ଦେଲେ ଭଲ ଗଛ ହୁଏ
ହସିଉଠଇତ ସୁନାର କ୍ଷେତ ।
ଆମ ତାଳଗଛ ଶୁଖିଲା ପତର
ଯତନେ ସାଉଁଟି ସନିଆ ଭାଇ
ଆଙ୍କଇ ସେଥିରେ କୃଷ୍ଣ ଜଗନ୍ନାଥ
ଦେଖିଲେ ମନକୁ ନିଅଇ ମୋହି ।
ବୁଢା ନାହାକ ତ ଲେଖଇ ଜାତକ
ତାଳ ପତରରେ ଧରି ଲେଖନୀ
ଆମ ଭବିଷ୍ୟତ ଭଲମନ୍ଦ କଥା
ସେହି ଜାତକରୁ ହୁଅଇ ଜାଣି ।
ନଡିଆ ଗଛର ଶୁଖିଲା ପତର
ମଝିରୁ ତାକୁତ ଦେଲେରେ ଚିରି
ବାହାରେ ସେଥିରୁ ଦରକାରୀ ଚୀଜ
ପିଞ୍ଛ କହେ କିଏ ଖଡିକା ,ଖରି ।
ଆର ସାହିର ସେ ବଇଦ ବୁଢାର
ଶୁଖିଲା ପତରେ ଶରଧା ଭାରି
ତିଆରି କରଇ ଓଷଧ ସେଥିରୁ
ବାଟି କୁଟି ତାକୁ ଯତନ କରି ।
ଶୁଖିଲା ପତର ଗୁଣ ବାହୁନିଲେ
ପୋଥି ଟିଏ ପରା ଯିବରେ ହୋଇ
ଭାରି ଉପକାରୀ ଭାରି ଦରକାରୀ
ତହିଁକି କାହାର ନଜର ନାହିଁ ।
ଏବେ କିନ୍ତୁ ଭାଇ ପ୍ରତିବର୍ଷ ପରା
ତୋଟା ଉଜାଡୁଛି ଝଡ ତୋଫାନ
ଭଙ୍ଗା ଗଛ ସବୁ ଦାନ୍ତ ନିକୁଟୁଛି
ଶୁଖିଲା ପତର ହୁଏ ସପନ ।
ଆସ ଆମେ ସବୁ ଗଛ ଭରିଦେବା
ଅଛି ଯହିଁ ଯେତେ ପଡିଆ ଭୂଇଁ
ଶୁଖିଲା ପତର ହେବନି ଅଭାବ
ଖତ କି ଜାଳେଣୀ ଓଷଦ ପାଇଁ ।
