ଶରତ ଆଗମନେ
ଶରତ ଆଗମନେ
ବେବୀ ନାୟକ
ଫେରୁଛି ଶ୍ରାବଣ ବରଷା ଧାରା,
ନିର୍ମେଘ ଆକାଶ ଦିଶୁଛି ତୋରା,
କେଡେ ମନୋହର ସବୁଜ କ୍ଷେତ,
ତୋଷ ହୋଇଅଛି କୃଷକ ଚିତ୍ତ l
ସତେ କି ଶରତ ଆସିଲା,
ସରସୀର ଜଳ ହେଲା ନିରିମଳ.
ଚଉଦିଗ ଶୋଭା ଦିଶିଲା l
କାଶତଣ୍ଡୀ ଫୁଲ ଢାଳେ ଚାମର,
ନଈପଠାରେ କି' ଶୁଭ୍ର ଚାଦର l
ଗୋଧୂଳୀ ଲଗନ କି' ମନୋହର
ପକ୍ଷୀ କୂଜନରେ ପ୍ରାଣ ବିଭୋର
ଜହ୍ନି ଫୁଲ ଆଖି ଖୋଲିଲା.
ହଳଦୀ ରଙ୍ଗର ପାଟ ବସନରେ
ସଂଧ୍ୟା କି' ଓହ୍ଲାଇ ଆସିଲା l
ଶରଦ ଶଶୀକୁ ନ ଜାଣେ କିଏ,
ଜୋଛନାରେ ମନ କିଣଇ ଯିଏ l
ପୁଲକିତ ହେଲା କୁମୁଦ ପ୍ରାଣ,
ସଫଳ ହୋଇଲା ସତେ ତା ପ୍ରେମ l
ଶେଫାଳୀ ମୁରୁକି ହସିଲା,
ରାତିକ ପାଇଁକି ଫୁଟୁଥାଉ ପଛେ
ମହକରେ ମନ ମୋହିଲା l
ଆରମ୍ଭ ହୋଇଲା ପାର୍ବଣ ବେଳ,
ପାଳନ ନିମନ୍ତେ ସଭିଙ୍କ ମେଳ l
ଅଗ୍ରପୂଜ୍ୟ ଦେବ ଗଜବଦନ,
ଆସୁଛନ୍ତି ଦେବାକୁ ଦରଶନ l
ତାଙ୍କ ପାଦେ କରି ଜଣାଣ,
ମାଗିବା ଆଶିଷ ହୋଇଥରେତୋଷ,
କରିବେ ଜଗତ କଲ୍ୟାଣ l