ଶ୍ରମିକଟିଏ
ଶ୍ରମିକଟିଏ
ଶ୍ରମିକଟିଏ,
ପ୍ରଚଣ୍ଡ ଶୀତ, ରୌଦ୍ର ତାପ ଅବା ମୂଷଳ
ବର୍ଷା ଅବସ୍ଥାରେ,
ଫୁଙ୍ଗୁଳା ଶରୀରେ, ପଲ୍ଲୀରୁ ସହର ଯାଏଁ,
ପରିଶ୍ରମ କରେ ।
ଶ୍ରମିକଟିଏ,
ନଦୀ ବନ୍ଧ, ସେତୁ, ରାସ୍ତା, କଳକାରଖାନା
ଖଣି ଖାଦନରେ
ପାଇବ ମୋତେ ମନ୍ଦିର, ମସଜିଦ, ଚର୍ଚ୍ଚ
ଅବା ଅଟ୍ଟାଳିକା ଗଢିବାରେ ।
ଶ୍ରମିକଟିଏ,
ରେଳ ଚାଳକ, ବୈମାନିକ ଅବା ମୁଁ ନାବିକ
ହୋଇ ସାଗର ପାର କରେ
ମୋ ରକ୍ତର ଶ୍ରମର ବିନ୍ଦୁ ରୂପାନ୍ତର ହୁଏ
ସରବ ସଭ୍ଯତା ଗଢିବାରେ ।
ଶ୍ରମିକଟିଏ,
ମୁଣ୍ଡ ଝାଳ ତୁଣ୍ଡରେ ମାରି ଲାଗେ ରକ୍ତ
ପାଣି କରି ଦେଶର ଉନ୍ନତ୍ତିରେ
ଛୁଞ୍ଚି ଠାରୁ ସରବ ଉପକରଣ ସବୁର
ଅବଦାନ ତ ମୋ ହାତରେ ।
ଶ୍ରମିକଟିଏ,
ଧରଣୀର ସମସ୍ତ ମଣିଷ ମୁହଁରେ ସେ
ଖୁସିର ଅମୃତ ଦେଇ
ସମସ୍ତଂକୁ ଅନ୍ନ ଯୋଗାଏ ସକଳ ଯାତନା
କଷଣ ସେ ସହି ସହି ।
ଶ୍ରମିକଟିଏ,
ମାଟିରେ ଗଡି ପଙ୍କରେ ସଢି, ଲଢେ ସବୁ
ଦିନ ପେଟ ଚାଖଣ୍ଡକ ନେଇ
ମୁଣ୍ଡର ଝାଳକୁ ତୁଣ୍ଡରେ ମାରି କ୍ଷୁଧା, ତୃଷା
ଦଳିତ ପତିତ ହୁଏ କାହା ପାଇଁ ।
ଶ୍ରମିକଟିଏ,
ମୋ ଠାରେ ସମାନ ଦୁଃଖ ଓ ସୁଖ, ସମାନ
ହସ କାନ୍ଦର ଧାରା
ନୀଳକଣ୍ଠ ସାଜି ଗରଳ ପିଇଲେ ବି ହୋଇଛି
ଅବହେଳିତ ପରା ।
ଶ୍ରମିକଟିଏ,
ମୁଁ ଲୁହ ଲହୁ ଢାଳି ଗଢେ ସୌଧ, ନୁହଁଇ ଶ୍ରମ
କାତର ନାହିଁ ମୋର ମାନ ଅଭିମାନ
ପାଣି କାଦୁଅରେ କାଟଇ ଦିନ, ଦେଶ ପାଇଁ
ଯୋଗାଏ ଅନ୍ନ, ପାଏ ସଦା ଅପମାନ ।
ଶ୍ରମିକଟିଏ,
ଶ୍ରମିକ ତ ଅଟଇ ବିଶ୍ୱର ବିଶ୍ଵକର୍ମା, ଗଢିଥାଏ
ପରା ଏଇ ଦୁନିଆକୁ
ତାର ଅମୂଲ୍ୟ ଶ୍ରମକୁ ଲଗାଇ ଭିନ୍ନ ଭିନ୍ନ ରଙ୍ଗ
ରୂପ ଦିଏ ସଂସାରକୁ ।
ଶ୍ରମିକଟିଏ,
ଶ୍ରମକୁ ଶ୍ରମିକ, ଚାଷକୁ କୃଷକ ତ କରି ଥାଏ
ଗଳାହାର ସହି କଷ୍ଟ ଯନ୍ତ୍ରଣାକୁ
ତଥାପି ନିତି ସେ ସହୁଛି ପୁଂଜିପତିର ଶୋଷଣ
କଷଣ ଅତ୍ୟାଚାରକୁ ।
ଶ୍ରମିକଟିଏ,
ମୁଣ୍ଡ ଝାଳ ତୁଣ୍ଡେ ମାରି କରେ ଶ୍ରମିକ କୃଷକ
ସଂସାର ପାଇଁ ଅକ୍ଲାନ୍ତ ପରିଶ୍ରମ
କିଏ ବୁଝନ୍ତିନି ଯାହାର ମୂଲ୍ୟ ମହତ୍ତ୍ୱ, ତାର
ନାମ ତ ହେଉଛି ଶ୍ରମ ।
ଶ୍ରମିକଟିଏ,
ପୁଂଜିତ ହୋଇଛି ସମ୍ବଳ ସବୁଠାରେ ସଂସାରେ,
ମୂଲ୍ୟ ନାହିଁ କିଛି ଶ୍ରମର
ତେଣୁ ପୁଂଜିପତି ଭାବେ ଶ୍ରମ ମୂଲ୍ୟ ପାଇଁ ଲଢିବା
ଶ୍ରମିକର ନାହିଁ ଅଧିକାର ।
ଶ୍ରମିକଟିଏ,
ସର୍ବେ, ଜାଣୁ, କହୁ, ଗାଉ, ଭାଷଣ ବି ଦେଉ
ଶ୍ରମିକ ଆମର ମହାନ୍,
ଯାହା ଦେଖୁ ଚଉଦିଗ, ଚାଷ ବାସ ଖଣି ଖାଦାନ
ସବୁ ଶ୍ରମିକଙ୍କ ଅବଦାନ ।
ଶ୍ରମିକଟିଏ,
ଦେଖ ଭଉଣୀ ଭାଇ, ଶ୍ରମିକ କଟାଏ ଜୀବନ,
ହୋଇଣ ତ ହୀନିମାନ
ଛାତିରେ ହାତ ରଖି କୁହ କେତେଜଣ ଦେଇଛେ
ଶ୍ରମକୁ ତାର ସନମାନ ।
ଶ୍ରମିକଟିଏ,
କୋଳେ ପିଲା ଧରି ହିଡ଼ ମୁଣ୍ଡେ ଶୋଇ ଶ୍ରମଜୀବି
ମହିଳା କଟାନ୍ତି ଦିନ
ରୋଗ ବୈରାଗରେ ଶ୍ରମ ନକରି ପାରିଲେ କଟା
ହୁଏ ତ ବେତନ ।
ଶ୍ରମିକଟିଏ,
ବହୁ ସଂଗ୍ରାମ ପରେ, ମେ ମାସ ଏକ ତାରିଖ
ପାଳୁଛେ ବିଶ୍ବ ଶ୍ରମିକ ଦିବସ,
ତଥାପି ତାର ଅଧିକାର ହାସଲ ପାଇଁ ଶ୍ରମିକ
ନିତି କରୁଛି ପ୍ରୟାସ ।
ଶ୍ରମିକଟିଏ,
ଇତିହାସ କଥା ମନେ ପଡେ, ଶ୍ରମିକ ନିର୍ଯାତନା
ବ୍ୟଥା ହୋଇ ରହିଛି ଅଲିଭା ଅକ୍ଷର
ମାଲିକ ମାନଙ୍କ ଶୋଷଣ କଷଣରେ ଶ୍ରମିକ
ମାନଙ୍କ ଅବସ୍ଥା କଟୁଥିଲା ଦୁଃଖ ଭିତର ।
ଶ୍ରମିକଟିଏ,
ପେଟ ପାଇଁ ଅଭାବ ଦାନା, ଦେହ ପାଇଁ ଅଭାବ କନା,
ଦୈନିକ କଟୁଥିଲା ଅଠର ଘଣ୍ଟା ପରିଶ୍ରମରେ
ଶ୍ରମର ପାରିଶ୍ରମିକ କଷ୍ଟରେ ଯାହା ମିଳୁଥିଲା, ଶ୍ରମିକ
ମରି ମରି ବଞ୍ଚୁଥିଲା ତହିଁରେ ।
ଶ୍ରମିକଟିଏ,
ଅତ୍ୟାଚାର ଜର୍ଜରିତ ଜାଗ୍ରତ ଶ୍ରମିକ ସମାଜ ହେଲେ
ଅତିଷ୍ଟ ଅତ୍ୟାଚାରୀ ମାଲିକ ବିରୁଦ୍ଧରେ
କଲେ ଧର୍ମଘଟ ଦୈନିକ ଆଠ ଘଣ୍ଟାରୁ ଊର୍ଦ୍ଧ୍ୱକାଳ ନ
କରିବା ପାଇଁ ପରିଶ୍ରମ ଭବିଷ୍ୟତରେ ।
ଶ୍ରମିକଟିଏ,
ଇତିହାସ ମନେ ପଡେ, ଥିଲା ଅଠରଶ ଛୟାଅଶୀ
ମଇ ମାସ ପହିଲା ତାରିଖ ସେହି ଦିନ
ଆମେରିକା ଚିକାଗୋ ସହର 'ହେମାର୍କେଟ' ଛକରେ
ହେଲା ବିରାଟ ଶ୍ରମିକ ସମ୍ମେଳନ ।
ଶ୍ରମିକଟିଏ,
ପୁଂଜିପତି ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଶ୍ରମିକଙ୍କ
ମଧ୍ୟେ ହେଲା ଘମାଘୋଟ ଲଢ଼େଇ
ଅତ୍ୟାଚାରୀର ଗୁଳିରେ ବହୁ ଶ୍ରମିକ ସେ ମାଟିରେ
ସବୁଦିନ ପାଇଁ ଗଲେ ଶୋଇ ।
ଶ୍ରମିକଟିଏ,
ରକତଭିଜା କନାକୁ ପତାକା କରି ଗୁଂଜି ଉଠିଲା
ଗାନା ବଂଚି ରହିଥିବା ଶ୍ରମିକର
ଲାଲ ବାନାର ତଳେ ଦୁନିଆର ଶ୍ରମିକ ଏକ ହୁଅ,
ଗାଇ ଶ୍ରମିକ,ଏକତା ଜିନ୍ଦାବାଦର ସ୍ୱର ।
ଶ୍ରମିକଟିଏ,
ଶ୍ରମିକ ଏକତାରେ କମ୍ପି ଉଠିଲା ଅବନୀ-ଅମ୍ବର
ବଂଚିବା ପାଇଁ ସଂଗ୍ରାମରେ
ଦାବୀ ଶୁଭିଲା, ବଂଚିବାକୁ ଦିଅ ଆମକୁ ମଣିଷ ପରିକା
ବିଶ୍ରାମ ଦରକାର ପ୍ରତି ଛ'ଦିନରେ ।
ଶ୍ରମିକଟିଏ,
ଆମେରେ ମଣିଷ, ନୁହେଁ ଖାଲି ଶ୍ରମ ଦାନ କରିବାର
ଏକ ଜୀବନହୀନ ଯନ୍ତ୍ର
ସୁଖ-ଦୁଃଖ, ରୋଗ-ବୈରାଗ ସମୟ ପାଇଁ ଅବସର
କାହିଁକି ନାହିଁ ଆମର ।
ଶ୍ରମିକଟିଏ,
ସେହି ଏୈତିହାସିକ ଦିନରୁ ଅଦ୍ୟାପି ପ୍ରତି ବର୍ଷ ମଇ
ମାସର ପ୍ରଥମ ଦିବସ
ଲଢ଼େଇ ଲଢ଼େଇ, ତା ବ୍ୟତୀତ ମୁକ୍ତି ନାହିଁ, ଶ୍ରମିକ
ଚେତନାର ଅଭିବୃଦ୍ଧି ପାଇଁ ଶ୍ରମିକ ଦିବସ ।