ଶ୍ରୀକୃଷ୍ଣ ଜନ୍ମ
ଶ୍ରୀକୃଷ୍ଣ ଜନ୍ମ
ଦିନରାତି ପରି ଆଲୁଅ ଅନ୍ଧାର
ପାପ ପୁଣ୍ୟର ଜଗତ,
ଧର୍ମ ବଳେ ତିଷ୍ଠି ରହିଛି ତ ମହୀ
ସୃଷ୍ଟି ହୁଏ ଆତଜାତ।
ପାପଭାର ଯେବେ ହୁଏ ଅତ୍ୟଧିକ
ଧରା ହୁଏ ଭାରାକ୍ରାନ୍ତ,
ଧର୍ମ ରକ୍ଷା ପାଇଁ ଯୁଗେ ଯୁଗେ ପ୍ରଭୁ
ପାପୀଙ୍କୁ କରନ୍ତି ଅନ୍ତ।
ଚାରିଯୁଗେ ପ୍ରଭୁ ନେଇ ଅବତାର
ଆସିଛନ୍ତି ଧରାଧାମେ,
ପାପୀଙ୍କୁ ସଂହାରୀ ଜଗତ ଉଦ୍ଧାରୀ
ଧର୍ମ ରଖିଛନ୍ତି କର୍ମେ।
ଦ୍ଵାପର ଯୁଗରେ କଂସ ମହାରାଜା
ଥିଲେ ଅତି ଅତ୍ୟାଚାରୀ,
ମହାପ୍ରତାପୀ ସେ ନ୍ୟାୟ ଧର୍ମ ଭୁଲି
ହୋଇଥିଲେ ସ୍ୱେଚ୍ଛାଚାରୀ।
ଶୁଣି ଶୂନ୍ୟବାଣୀ ଭଉଣୀ ଭିଣୋଇ
ଦେବକୀ ବସୁଦେବଙ୍କୁ,
କାରାଗାରେ ଆଣି କରିଥିଲେ ବନ୍ଦୀ
ଦେଉଥିଲେ ଶାସ୍ତି ତାଙ୍କୁ।
ସତ ହେବ କାଳେ ସେଇ ଶୂନ୍ୟବାଣୀ
ରହିଥିଲେ ଆତଙ୍କିତେ,
ଅଷ୍ଟମ ଗର୍ଭର ସନ୍ତାନ ତାଙ୍କର
କଂସ ବଧିବ ନିଶ୍ଚତେ।
ଏକ ଏକ କରି ସାତଟି ସନ୍ତାନ
ନାଶିଥିଲେ ଅବିଳମ୍ବେ,
ଅପେକ୍ଷାରେ ଥିଲେ ଅଷ୍ଟମଟି କେବେ
ଜନ୍ମିଲେ ସେ ନାଶି ଦେବେ।
ବିଧିର ବିଧାନ କେ କରିବ ଆନ
ଶକ୍ତି ନାହିଁ କାହା ପାଶେ,
ଘଟିବାର ଯାହା ଅବଶ୍ୟ ଘଟିବ
ସତ୍ୟ ରକ୍ଷାର ସକାଶେ।
ଅଷ୍ଟମୀ ତିଥିରେ ଘନ ଘନ ବର୍ଷା
ହେଉଥିଲା ଅବିରତେ,
ବିଜୁଳି ଶବଦେ କମ୍ପୁ ଥିଲା ମହୀ
ସବୁ ଥିଲେ ଭୟଭୀତେ।
ଏ ସମୟେ ପ୍ରଭୁ ଦେବକୀ ଗର୍ଭରୁ
ଜାତ ହେଲେ କୃଷ୍ଣ ରୂପେ,
ଖୋଲି ଗଲା ହାତ ଗୋଡ଼ର ଶୃଙ୍ଖଳ
ଇଛା ମାତ୍ରେ ଆପେ ଆପେ।
ରୂପର ଝଟକେ ଆଲୋକିତ ହେଲା
କଂସର ସେ ବନ୍ଦୀଶାଳା,
ଦୁଃଖ ଭୁଲି ସବୁ ପିତାମାତା ବେନି
ବୁଝିଲେ ପ୍ରଭୁଙ୍କ ଲୀଳା।
ପୁତ୍ରକୁ କୋଳରେ ଧରି ଗଲେ ବେଗେ
ବସୁଦେବ ଗୋପପୁର,
ବିଜୁଳି କନ୍ୟାକୁ ଯଶୋଦା କୋଳରୁ
ନେଇ ଆସି ହେଲେ ସ୍ଥିର।
ଗୋପପୁରେ ବଢି କୃଷ୍ଣ ବଳରାମ
କଂସ ସାଥେ କଲେ ବାଦ,
ଧନୁଯାତ ଯାଇ ତାଙ୍କୁ ଯେ ବଧିଲେ
ଘୁଞ୍ଚାଲା ସବୁ ବିପଦ।
ଅଧର୍ମକୁ ନାଶି କଲେ ଧର୍ମ ରକ୍ଷା
ଯଶ ରଖିଲେ ଅନନ୍ୟ,
ଜନ୍ମ ଲଭି କୃଷ୍ଣ ଦେବକୀ ଯଶୋଦା
ମାତାଙ୍କୁ କଲେ ଯେ ଧନ୍ୟ।
କୃଷ୍ଣ ଜନ୍ମ ଦିଏ ଜନତାଙ୍କୁ ଶିକ୍ଷା
ଅଧର୍ମେ ଅଳପ ଦିନ,
ଯେତେ ଶକ୍ତିଶାଳୀ ହେଇଥାଉ ପଛେ
ଅକାଳେ ହୁଏ ନିଧନ।