ଶ୍ରୀଚରଣ ତଳେ ଶରଣ ଦିଅ
ଶ୍ରୀଚରଣ ତଳେ ଶରଣ ଦିଅ
ଶୁଖି ତ ଗଲାଣି ଆଖି ଲୁହ ସବୁ
ଅସରନ୍ତି କୋହ ଦୁଃଖ ଯାତନା
ଭରସା କେବଳ ତୁମେ ଜଗନ୍ନାଥ
ମଣିମା ଶୁଣିବା ହେଉ ପ୍ରାର୍ଥନା ।
ନ ହେଉ ଦୁର୍ବଳ ଭାବ ସୁସମ୍ପର୍କ
ନ ତୁଟୁ ମଣିଷ ମନୁ ବିଶ୍ୱାସ
ଲାଗେ ଦୁର୍ବିସହ ସଂସାରେ ଜୀବନ
ନ ଗ୍ରାସୁ କୁହେଳି ସନ୍ଦେହ ତ୍ରାସ ।
ଘାରେ ମିଛମାୟା ବିଷ ହଳାହଳ
ମରିଯାଏ ମନ ଭକ୍ତି ବିଶ୍ୱାସ
ଦୂଷିତ ଜଗତ ବହେ ଅଣଚାଶ
ମଣିଷ ପାଲଟେ ଯନ୍ତ୍ରର ଦାସ ।
ହେଉଥାଉ ଦୃଶ୍ୟ ପତିତପାବନ
ବରଷୁ କରୁଣା ପ୍ରତି ହୃଦୟେ
ନ ମରୁ ମଣିଷ ବଞ୍ଚି ଥାଉଁ ଥାଉଁ
ନ ସଢୁ ଅଜ୍ଞାନ ତିମିର ମୋହେ ।
ଫୁଟୁ ଦିବ୍ୟ ଆଶା ମୁଖେ ସ୍ମିତ ହାସ୍ୟ
ସୁମନ ସୁଗୁଣ ଚେତନା ଜ୍ଞାନ
ଉନ୍ମେଷୁ ଜୀବନ ସୁମାନବିକତା
ସୁଲଭୁ ସୁଗତି ପରମାନନ୍ଦ ।
ହେଉ ଚରିତାର୍ଥ ଜୀବନ ସାର୍ଥକ
ଲକ୍ଷ୍ୟ ଅସମ୍ଭବ ହେଉ ସମ୍ଭବ
ଏତିକି ମାଗୁଣି ନିଳାଦ୍ରୀଶ ନାଥ
ଶ୍ରୀଚରଣ ତଳେ ଶରଣ ଦିଅ ।