STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଭାବର ଠାକୁର ଭାବରେ ବନ୍ଧା

ଭାବର ଠାକୁର ଭାବରେ ବନ୍ଧା

1 min
165

ଭାବର ଠାକୁର ହେ ଜଗବନ୍ଧୁ

    ତୁମେ ତ ଦୀନବନ୍ଧୁ କୃପାସିନ୍ଧୁ 

ଭକତଟିଏ ତୁମ କୃପା ବିନ୍ଦୁ

    ସୁଦୟାରେ ହୁଏ ସେ ପୂର୍ଣ୍ଣ ଇନ୍ଦୁ।୦। 


ଭାବର ଠାକୁର ଭାବରେ ବନ୍ଧା

     ଭକତକୁ ଦିଅ ଆଶିଷ ସୁଧା 

ଜୀବନେ ଆସିଲେ ବିପତ୍ତି ବାଧା

    ଘୁଞ୍ଚାଇ ତୁମେ କର ହେ ଶରଧା।

ଭକ୍ତ ସାଲବେଗ ଡାକରେ ପ୍ରଭୁ

     ଅଟକି ଗଲ ଯାତ୍ରା କରୁ କରୁ 

ନନ୍ଦିଘୋଷ ଗଡି଼ଲା ନାହିଁ ଆଉ

    ଦରଶନ ଦେଲ ହେ ମହାବାହୁ।

ଭାବର ଠାକୁର......


ସାତ ଶହ ପଚାଶ କୋଷ ଦୂର

    ଚାଲି ନ ପାରି ଭକତ ତୁମର 

ଆକୁଳେ ଡାକିଲେ ହୋଇ ଅଧିର

    ଆସିବା ଯାଏଁ ରହିଲ ଗମ୍ଭୀର।

ତାତିଲା ବାଲିକୁ କଲ ଶୀତଳ 

   ପାଦେ ତାଙ୍କର ଭରି ଦେଲ ବଳ 

ପବନର ବେଗେ ଆସି ଚଞ୍ଚଳ

    ଦେଖିଲେ ତୁମ ଶ୍ରୀମୁଖମଣ୍ଡଳ।

ଭାବର ଠାକୁର......


ବାପା ଯବନ ମାତା ଯେ ବ୍ରହ୍ମଣୀ

    ସାଲବେଗ ତାଙ୍କର ହୃଦମଣି 

ତୁମ ଗୁଣରେ ହୋଇଲେ ସେ ଗୁଣୀ

   ଶରଣ ନେଲେ ପରଂବ୍ରହ୍ମ ଜାଣି।

ସିଂହାସନ ମୋହ କରି ସେ ତୁଚ୍ଛ

    ତୁମ କୃପାରେ ମନ କଲେ ସ୍ଵଚ୍ଛ 

ପାର୍ଥିବ ବିଳାସକୁ ଭାବି ମିଛ

    ସୁଖ ଶିରୀକୁ କରିଦେଲେ ପଛ।

ଭାବର ଠାକୁର.......


ହେ ଇଚ୍ଛାମୟ ପତିତପାବନ

    ଶରଣେ ତୁମର ମିଳଇ ପୁଣ୍ୟ 

ତୁମେ ଭକତର ଜୀବ ଜୀବନ

   ଦୀନ ଦୁଃଖୀଙ୍କର ଶୁଣ ଜଣାଣ।

ତୁମ ପାଶେ ନାହିଁ କିଛି ତ ଭେଦ

     ସବୁରି ଲାଗି ତ ପରମାନନ୍ଦ 

ଜାତି ଧର୍ମର ଦେଖି ପ୍ରଭେଦ

    କର ନାହିଁ ଊଣା ଭକ୍ତର ହୃଦ।

ଭାବର ଠାକୁର......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational