ସ୍ଵଛ ରାଜନୀତି
ସ୍ଵଛ ରାଜନୀତି
ସ୍ଵଚ୍ଛ ରାଜନୀତି ଏବେ କର୍ଣ୍ଣ ଶ୍ରୁତି
ଚିନ୍ତନରେ ମନ ପୀଡା
ସ୍ୱାର୍ଥରେ କୁମତି ସଦା ଆମ ମତି
ପଦବୀ ସମ୍ପତ୍ତି ଲୋଡ଼ା l
ସ୍ୱଚ୍ଛତା ସାଧୁତା ଯେ ମାନବିକତା
ଜୀବନ ଜୀବିକା ବାଜି
କ୍ରୁରତା ଘୃଣ୍ୟତା ଭରା କପଟତା
ଭକ୍ଷକ ସାଜିଛି ଆଜି l
ସୁନ୍ଦର ସମାଜ ହିଂସୁକ ରେ ସଜ
ରାଜନେତା ଭ୍ରଷ୍ଟାଚାରୀ
ନିରୀହ ଜନତା ହୋଇ ଅଶିକ୍ଷିତା
ଅସାଧୁର ସୃଷ୍ଟିକାରୀ l
ସମାଜ ଗଠନ ଉନ୍ନତି ବିଧାନ
ସେନହ ସହାନୁଭୂତି
କଳ୍ପନା ଦର୍ଶନ ପୁସ୍ତକେ ଲିଖନ
ନୀତି ଭ୍ରଷ୍ଟ ରାଜନୀତି l
ସାରଥୀ ନେତାଙ୍କ ଦେଖାଇ ଆତଙ୍କ
ଗୁଣ୍ଡା ଗର୍ଦୀ ହତ୍ୟା କଳି
ସ୍ୱଚ୍ଛ ରୀତି ନୀତି ଆଇନି ସମ୍ମତି
ପଛେ କିଳାପତି ନାଳି l
ସମସ୍ତେ ଅବାକ ଶିଖନ୍ତି ସବକ
ଅନ୍ଧ ମୁକ ନ୍ୟାୟ ଆମ
ହୁଅନ୍ତି ଅଜ୍ଞାନ ବେଳେ ନିର୍ବାଚନ
ପରୋଚିତ ଆମ କାମ l
ସତ୍ୟ ଧର୍ମ ପଥ କଣ୍ଟା କବଳିତ
ଶିକ୍ଷିତ ବଡ଼ ନିଷ୍ଠୁର
ଅତ୍ୟାଚାରେ ମନ ପାଷାଣ ଶୋଷଣ
ସ୍ୱଚ୍ଛତା ଅଛି କାହାର l
ସ୍ଵଚ୍ଛ ରାଜନୀତି ଦରକାର ଏଠି
ସମାଜ ମଙ୍ଗଳ ପାଇଁ l
ଜିନିଷ ନକଲି ପଇସା ଅସଲି
କିଏ ଏଥି ପାଇଁ ଦାୟୀ l
ଶିକ୍ଷାରେ ଶୋଷଣ ସ୍ୱାସ୍ଥ୍ୟରେ ଶୋଷଣ
ଆଇନି କରେ ଶୋଷଣ
ନେତାଙ୍କ ଶୋଷଣ ସାଧୁତା ହରଣ
ହେଵା ଟିକେ ସଚେତନ l
ସେବା ଧର୍ମ ଜ୍ଞାନ ସଂସ୍କୃତି ବିହୀନ
ରାଜନୀତି ଅକାରଣ
ବିବେକ ସଂପୃକ୍ତି ଧର୍ମେ ରାଜନୀତି
ସଂସ୍କାରଯେ ପ୍ରୟୋଜନ l
ସରଳ ମଣିଷ ଅସ୍ଵଚ୍ଛ ବିନାଶ
ସମ୍ଭବକି ଆମ ଦେଶେ
ଧନ ବାହୁ ବଳେ କପଟରେ ଚାଲେ
ରାଜନୀତି ହୁଏ ଦେଶେ l
ସଂସ୍କାରୀ ସାଧୁତା ଧାରୀ ହେଲେ ନେତା
ଶିକ୍ଷିତ ହେଲେ ଜନତା
ପ୍ରାର୍ଥୀ ଚୟନରେ ବ୍ୟକ୍ତିତ୍ୱ ଦେଖାରେ
ଦେବାଟି ପ୍ରାଥମିକତା l
ସ୍ୱଚ୍ଛ ରାଜନୀତି ଆବଶ୍ୟକ ଅତି
ଦେଶର ପ୍ରଗତି ପାଇଁ
ଛାଡ ହୀନ ନୀତି ଗାଅ ଭାତୃ ଗୀତି
ସମାଜ ମଙ୍ଗଳ ପାଇଁ l