ଶୋଇଯା ମୋର କଳାମାଣିକ
ଶୋଇଯା ମୋର କଳାମାଣିକ
ମୋ ନିଦ ନେଇ ତୁ ଶୋଇଯାଆ
କଳାମାଣିକ ମୋର,
ସପନ କେତେ ଭରିଛି ସତେ
ଆଖି ପଲକେ ତୋର।
ନିଦ ମାଉସୀ ଦବ ଆଉଁସି
ଦୁଇ ଆଖିକୁ ତୋର,
ତୋ ପାଇଁ ମୁହିଁ ରହିବି ଚେଇଁ
ସାରା ଜୀବନ ମୋର।
ପଣତ ତଳେ ରଖିବି ତୋତେ
ବାଜିବ ନାହିଁ ଖରା,
ଜହ୍ନ ରାଇଜେ ବୁଲେଇ ନେବି
ଦେଖିବୁ କେତେ ତାରା।
ସପନ ତୋର କରିବି ପୁରା
ଜୀବନ ମୋର ଦେଇ,
ଜୀବନେ ତୋର ଭରିବି ସୁଖ
ସଂସାରେ ଲଢି ମୁଁହି।
ଛାତିରୁ ମୋର ନିଗାଡି ରକ୍ତ
ଗଢିବି ତୋତେ ଧନ,
ତୋ ସୁଖ ଦେଖି ତୋ ଖୁସି ଦେଖି
ପୁରିଯିବ ମୋ ମନ।
