ଶିଶୁ ଗୀତ
ଶିଶୁ ଗୀତ
ଗେହ୍ଲା ନାତି ସୋନୁ ହାତଟିକୁ ଧରି
କୋଳରେ ବସାଇ ଆଈ
କହିଲେ କହିବି ଅଗଡ଼ ବଗଡ଼
ଶୁଣିବୁ ତୁ ମନ ଦେଇ ।
ବଡି ଭୋର ରୁ ଛାଡ଼ିବୁ ତୁ ଶେଯ
ଅଳସ କରିବୁ ନାହିଁ
ମୁଣ୍ଡିଆ ମାରିବୁ ସୁରୁଜ ଦେବତା
ପୁରୁବ ଦିଗକୁ ଚାହିଁ ।
କଅଁଳ କିରଣ ଭାରି ଉପକାରୀ
ସତେଜ ହୁଅଇ ମନ
ଦେହ ଟାଣ କରି ଶକତି ଯୋଗାଏ
ଆନନ୍ଦ ଲାଗଇ ଦିନ ।
କରିବୁନି ଅଳି ଖାଇବାକୁ କେବେ
ବଜାର ଜିନିଷ କିଣି
ମା'ଯାହାଦେବେ ଖାଇବୁ ଖୁସିରେ
ନୀରୋଗ ରହିବୁ ଜାଣି ।
ପାଠପଢି ଯିବୁ ଠିକ୍ ସମୟରେ
ଉଛୁର କରିବୁ ନାହିଁ
ଏକ ମନ ହୋଇ ପାଠପଢା କରି
ଖେଳିବୁ ତୁ ସାଥି ହୋଇ ।
ସାଥି ପିଲା ସହ ଝଗଡ଼ା ନକରି
ସେନେହ ପରାଣ ଦେଇ
ମିଳିମିଶି ଚଳି ମନନେଲେ ଜିଣି
ତୋ ଠାରୁ ଶିଖିବେ ଭାଇ ।
ନିର୍ମଳ ରଖିବୁ ପରିବେଶ ତୋର
ରହିବୁ ସଫାସୁତୁରା
ଫୋପାଡ଼ିବୁ ନାହିଁ ଏଣେ ତେଣେ ଯେତେ
ଜରି କାଗଜ ଟୁକୁରା ।
ମଇଳା ନହେଉ ଜଳ,ମାଟି, ବାୟୁ
ଧରଣୀ ମାଆ ଶରୀର
କେତେ ଆନନ୍ଦ ରେ ପାଳୁଛି ସଭିଙ୍କୁ
ନରଖି ବାଛ ବିଚାର ।
ତା'ଝରଣା ନଈ ପାହାଡ ପର୍ବତ
ନିତି କହେ ନୁଆ କଥା
କେଡ଼େ ବିରାଟ ସେ ଉଦାର ପଣରେ
ସରଜିଛି ବନଲତା ।
ଦେଶ ମା'ଠାରୁ ବଡ଼ ନାହିଁ କେହି
ତାକୁ ଜଗିଥାଏ ଯିଏ
ବୀର ସଇନିକ ସାଜି ସିଏ ପରା
ମରଣ କୁ ଜିତିଯାଏ ।
ଆଜି ଛୋଟ ଅଛୁ କାଲି ବଡ଼ ହେବୁ
ରଖିଥିବୁ ସୋନୁ ମନେ
ଅଗଡ ବଗଡ଼ ନୀତି କଥା ଏହା
ଆଚରିଯିବୁ ଜୀବନେ ।
