STORYMIRROR

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ଶିଶୁ ଦିବସ

ଶିଶୁ ଦିବସ

2 mins
133


ବଗିଚାରେ ଫୁଲ ଥିଲେ ଯେପରି ବଢ଼ାଏ ଶୋଭା

ଘର ଅଗଣାରେ ସେପରି ଶିଶୁ ମନଲୋଭା

ଈଶ୍ବରଙ୍କ ବରଦାନ ଅଟେ ପ୍ରତ୍ୟେକ ସନ୍ତାନ

ନିଷ୍ପାପ ଶିଶୁ ଅଟେ ସାକ୍ଷାତ ଇଶ୍ଵର ସମାନ

ଘର ଅଗଣାରେ ଶିଶୁଙ୍କ କୋଳାହଳ ଓ ହସ

ଘର ପରିବେଶ ହୁଏ ଖୁସି ସୁନ୍ଦର ସରସ

ପ୍ରେମ ପୂର୍ଣ୍ଣ କଥା ସହ ଶିଶୁ ଚାହେଁ ପ୍ରେମ ସ୍ନେହ

ଯିଏ ଦିଏ ସ୍ନେହ,ଶିଶୁ ପାଇଁ ହୁଏ ସିଏ ପ୍ରିୟ

ମିଠା କଥା ସହିତ ମୁଖରେ ହସ ଥିଲେ ରହି

କୋମଳ ମତି ଶିଶୁଙ୍କ ମନ, ଆପେ ଯାଏ ମୋହି

ଶିଶୁଙ୍କ ବିକାଶ ସହ ଉଚିତ ଶିକ୍ଷା ସଂସ୍କାର

ଭବିଷ୍ୟତ ନିର୍ମାଣ ନିମନ୍ତେ ପଥ ପରିଷ୍କାର

ଅମୃତ କୋମଳ ବଚନ ଓ ଶ୍ରଦ୍ଧା ଯୁକ୍ତ ସ୍ନେହ

ମିଠା ବୋଳା କଥା ଥିଲେ ,ଶିଶୁଙ୍କର ଅତି ପ୍ରିୟ

କୁମ୍ଭାର କଞ୍ଚା ମାଟିରୁ ପାତ୍ର କରଇ ଯେପରି

କୋମଳ ମତି ଶିଶୁଙ୍କ ବିକଶିତ ସେହି ପରି

ଚାରା ଟିଏ ପୋତି ଯତ୍ନ ସହ ଗଛ କଲା ପରି

ଶିଶୁର ବିକାଶ ପାଇଁ ସ୍ନେହ ଓ ଶ୍ରଦ୍ଧା ଜରୁରୀ


ଶିଶୁଙ୍କ ପ୍ରତି ସ୍ନେହ ଓ ପ୍ରେମ କରି ନିଦର୍ଶନ

ବ୍ୟସ୍ତ ଥାଇ ନେହୁରୁ ହୋଇଥିଲେ ପ୍ରିୟ ଭାଜନ

ଅନାବିଳ ସ୍ନେହ ପ୍ରେମ ସହ ବାନ୍ଧି ଦେଇ ଡୋରି

ଚାଚା ନେହେରୁ ଭାବେ ହେଲେ,ପରିଚିତ ସବୁରି

ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଦ ସହ

ଜବାହରଲାଲ ନେହେରୁଙ୍କ ଥିଲା ଶିଶୁ ସ୍ନେହ

ଶିଶୁ ମାନଙ୍କ ପ୍ରତି ନେହେରୁଙ୍କ ଶ୍ରଦ୍ଧା ଓ ସ୍ନେହ

ଦେଶର ହିଁ ଭବିଷ୍ୟତ ଭାବେ ମନରେ ପ୍ରତ୍ୟୟ

ନେହେରୁଙ୍କ ଜନ୍ମ ତିଥି ଶିଶୁ ଦିବସ କଥିତ

ନଭେମ୍ବର ଚଉଦ ତାରିଖରେ ହୁଏ ପାଳିତ

ପ୍ରତି ଶିକ୍ଷାନୁଷ୍ଠାନରେ ,ଖୁସିରେ ହୁଏ ପାଳନ

ଭାରତୀୟ ଶିଶୁ ବୋଲି ଗର୍ବିତ ହୁଅଇ ମନ

ଚାରା ଟିଏ ପୋତି ଯତ୍ନ ସହ ଗଛ କଲା ପରି

କୋମଳ ଶିଶୁ ଯତ୍ନ ସହ ବିକଶିତ ସେପରି ।


ସଭ୍ୟତାର କ୍ରମ ବିକାଶରେ ହୋଇଛି ଉନ୍ନୀତ

ତଥାପି ସମାଜରେ ଭେଦ ଭାବ ପରିଲକ୍ଷିତ

କନ୍ୟା ସନ୍ତାନ ପରିବାରରେ ହୁଏ ଅନାଦର

ଶିଶୁ ଶ୍ରମିକ ପ୍ରଥା ବି ରହିଛି ବଳବତ୍ତର

ଶିଶୁଙ୍କ ନିର୍ଯାତନାର ଚିତ୍ର କରୁଣ କାହାଣୀ

ଭିକ୍ଷା ବୃତ୍ତି ସହ ନିୟୋଜିତ ହେଉଛନ୍ତି ପୁଣି

ଶିଶୁ ଦିବସରେ ମିଠେଇ ବାଣ୍ଟି କି ଲାଭ ଅଛି!

କୋମଳ ଶିଶୁ ବି ଦୁଷ୍କର୍ମ ର ଶିକାର ହେଉଛି

ଶିଶୁ ସୁରକ୍ଷା ଆଇନ ବି ହେଉଛି ବାଟବଣା

ଶିଶୁଙ୍କ ଯତ୍ନ ଆଢ଼ୁଆଳେ ହେଉଛି ନିର୍ଯାତନା ।


ସୁମାର୍ଗ ଦେଖାଇବା ଶିଶୁଙ୍କୁ ଦେବା ଶିକ୍ଷା ଦିକ୍ଷା

ଶିଶୁ ହିଁ ଭାବୀ ନାଗରିକ,ହାତେ ଦେଶ ସୁରକ୍ଷା

ଶପଥ ହେଉ ଶିଶୁ ଦିବସ ଶୁଭ ଲଗନ ରେ

ଶିଶୁ ନିର୍ଯ୍ୟାତନାର ଭାବନା ,ନ ରହୁ ମନରେ

ଶିଶୁର ବିକାଶ ହିଁ ଦେଶ ସମୃଦ୍ଧି,ମନେ ରହୁ

କୋମଳ ମତି ଶିଶୁଙ୍କର ଦାୟିତ୍ଵ ନିଆଯାଉ

କନ୍ୟା ଭ୍ରୁଣ ହତ୍ୟା ପରି ହିନ କାର୍ଯ୍ୟ ବନ୍ଦ ହେଉ

ଫୁଲ ରଙ୍ଗୀନ ନ ହେଲେ ବି ବଗିଚାରେ ହିଁ ରହୁ

ଶିଶୁ ଦିବସ ଶ୍ରଦ୍ଧା ସ୍ନେହ ଓ ପ୍ରେମର ପ୍ରତୀକ

ଶିଶୁ-କଲ୍ୟାଣ ମୂଳକ କାର୍ଯ୍ୟ କଲେ ହିଁ ସାର୍ଥକ

ଆଜିର ଶିଶୁ ଅଟେ ଦେଶର ଭବିଷ୍ୟତ ପିଢ଼ି

ସ୍ନେହ ଶ୍ରଦ୍ଧା କଲେ ଯିବ ସଫଳତା ସିଡି ଚଢ଼ି ।



Rate this content
Log in

Similar oriya poem from Classics