ଶିଖି ଶିଖେଇବା
ଶିଖି ଶିଖେଇବା
ପୂଜା ଠାରୁ ବଡ଼ ବିଶ୍ୱାସ ହୃଦୟେ,
ବିଶ୍ୱାସ ହିଁ ଶ୍ରେଷ୍ଟ ପୂଜା ।
କହିବା ପୂର୍ବରୁ ଶୁଣିବା ଶିଖିଲେ,
ଅବୁଝା ରୁହେନା ଭେଜା ।।
ଲେଖିବା ପୂର୍ବରୁ ବୁଝିବା ଜରୁରୀ,
ଲାଭ କିସ ଲେଖି ଲେଖି ।
ଉପାର୍ଜନ ନାହିଁ, ଖର୍ଚ୍ଚ ବଢ଼ାଇଲେ,
ଋଣ ଭାର ହୁଏ ସାକ୍ଷୀ ।।
ହାରିବା ପୂର୍ବରୁ, ଚେଷ୍ଟା ଜାରି ରଖ,
ଭୟରୁ ହୁଅଇ ହାର ।
ସମ୍ପର୍କ ଗଢିଣ, ଲାଭ କିବା ଥାଏ,
ଲିଭାଇ ଯଦି ନ ପାର ।।
ମରିବା ପୂର୍ବରୁ, ମନ ଖୋଲି ଜିଅ,
ଦୁଃଖ ସୁଖ ସାଥେ ନେଇ ।
କାହାରି ଦୁଃଖରେ, ଖୁସି ନ ହୋଇଣ,
ବଞ୍ଚିବାକୁ ଦିଅ ଭାଇ ।।
ହସ ଦେଇ ଥାଏ, ଦଇବ ବିଧାତା,
କାନ୍ଧ ବି ତାର ଭିଆଣ ।
ଗୋଟିଏ ମୁଦ୍ରାର, ଦୁଇ ପାର୍ଶ୍ଵ ଭଳି,
ହସ କାନ୍ଧର ଜୀବନ ।।
ଗୁରୁ ଗୁରୁଜନ, ଦେବତା ସମାନ,
ମନରୁ ନ ତେଜ କେହି ।
ଦିନ ଚାଲିଯିବ, ବୟସ ଟଳିବ,
ଚିହ୍ନ ଥିବ ସାଥେ ରହି ।।
ଲୋଭରୁ ଯେପାପ, ପାପରୁ ଯେମୃତୁ,
ଏହି ଯେ ସତ୍ୟ ବଚନ ।
ପେଟ ଦାନା ପାଇଁ, କର୍ମ ପଥେ ରହି,
ରଖିବା ନିଜ ସମ୍ମାନ ।।
କୃଷକ ଶ୍ରମିକ, ଶିକ୍ଷକ ଠୁଁ ଯନ୍ତ୍ରୀ,
ସଭିଏଁ କରନ୍ତି କର୍ମ ।
ନିଜ କର୍ମ ପଥ, ନିଜ ପାଇଁ ବଡ଼,
ଭେଦ ଭାବ ହିଁ ଅଧର୍ମ ।।
