ଶୀତୁଆ ସଞ୍ଜ
ଶୀତୁଆ ସଞ୍ଜ
ନଇଁ ନଇଁ ଆସେ ଶୀତୁଆ ସଞ୍ଜ
ହାଇ ମାରି ଅଳସେ ସର୍ବାଙ୍ଗ ଘୋଡ଼ାଇ
ବେକ କାଢ଼ି କଇଁଚ ପରି ଧିରେ ଧିରେ
ଥରାଏ ଛାତି ଥିରି ଚାଲି ଇତସ୍ତତଃ
ଛାଇ ଅନ୍ଧାରର ବାଟେ ପାଦ ହୁଏ ଛନ୍ଦି l
ଅଜଣା ଆତଙ୍କେ ମନକୁ ଆଣି ଭୟ
ଶୀତୁଆ ସଞ୍ଜ ଲାଜେଇ ଯାଇ
ସଂକୁଚିତ ହୁଏ ଲାଜକୁଳୀ ଲତା ପରି
ହାତେ ଦାଆ ଧରି ଧାନ କଟାଳି ଫେରେ l
ଦେହର ଲୋମ ଉଠୁଥାଏ ଟାଙ୍କୁରି
ଗାଈ ପଛେ ଦୌଡ଼ି ଧୂଳି ଉଡ଼ାଏ ବାଛୁରୀ
ଛାଡ଼ୁଥାଏ ବାର ବାର ହମ୍ଵାରଡ଼ି
କାନ୍ଧେ ଧାନ ଭାର ବୋହି ଖଳାକୁ l
ଚାଷି ମୂଲିଆ ଆସୁଥାଏ ଧାଇଁ ଧାଇଁ
ସୁଲୁ ସୁଲିଆ ଶୀତଳ ପବନେ ସଞ୍ଜଦୀପ
ଅଙ୍କେଇ ବଙ୍କେଇ ନାଚୁଥାଏ ଚଉରାମୂଳେ
ଶଙ୍ଖ ବଜାଏ ମାଆ ସାଆନ୍ତାଣୀ
ବୋହୂ ଶିଖିନି ବୋଲି ଭଲରେ ବଜାଇ l
ଗାଁ ପଡ଼ିଆରେ ପିଲାଙ୍କର କୋଳାହଳ
ଛକ ଛକ ଯାଗାରେ ନିଆଁପୁହାଁ ହୁଏ ଭିଡ଼
ଧୂଆଁ ଉଠୁଥାଏ କୁଟା ପତରର ଜାଳେ
ଅସମୟେ ଶୀତୁଆ ସଞ୍ଜଟା କନ୍ଦାଇ ଦିଏ
ମା' କୋଳର କ୍ଷୀର ପିଆ ଛୁଆଟାକୁ l
ବୁଢ଼ା ଶଶୁର ବସିଛି ଜଗି ପିଇବାକୁ ଚାହା
ଶୋଇଲେ ପୁଅ ବୋହୂମାଆ ତିଆରି ଦେବ
ଶୀତର ଦାଉ ପାରୁନି ସହି ବୟସ ଆଉ
ଖୁଁ ଖୁଁ କାଶ ସାଥୀରେ ପେଲୁଛି ଧଇଁ
ଶିଶିର ପଡ଼ି ହେମାଳ ହୁଏ ଘର ଅଗଣା l
ଘର ଭିତରେ ବିଛଣା ପାରି ଜୁଡୁବୁଡୁ
ଶୀତୁଆ ସଞ୍ଜ ନେଇ ଆସେ ଅନ୍ଧାର ରାତି
କମଳ ଭିତରର ଉଷୁମ ହୁଏନା ଛାଡ଼ି
ଯେତେ କମଳକୁ ସେତେ ଶୀତ
ହେଉଥାଉଁ ଏପଟ ସେପଟ ଭିଡ଼ି ମୋଡ଼ି।