ଶୀତର ପହିଲି ସ୍ପର୍ଶ
ଶୀତର ପହିଲି ସ୍ପର୍ଶ
ଶୀତ ଆସେ ଥିରି ଥିରି ହୋଇ ଭଦ୍ର ନମ୍ର ଶାନ୍ତ
ହିମମୟ ହେମନ୍ତର ହୋଇ ଆସେ ଅନ୍ତ
ଯାଏ ଜଣେ ଆସେ ଜଣେ ସମୟର ପଥେ ପଥେ
ଚିତ୍ର ଚରିତ୍ରର କ୍ରମ ବଦଳେ ତାର ସାଥେ ସାଥେ
ଜଗତର ଜୀବନକୁ କରିବା ପାଇଁ ରୁଦ୍ଧିମନ୍ତ
ବିଧିର ବିଧାନ ଏ ସୃଷ୍ଟି ତତ୍ତ୍ଵର ସିଦ୍ଧାନ୍ତ
ପୃଥିବୀର ପରିକ୍ରମଣ ଋତୁଚକ୍ରର ଆବର୍ତ୍ତନ
ବଦଳାଇ ଦିଏ ପରିବେଶର ରାତି ଦିନ
ଶୀତ ଆସେ ଆପଣାର ପରିଚିତ ବନ୍ଧୁ ପରି
ଖୁସିରେ ସ୍ୱାଗତ କରନ୍ତି ତାକୁ ମନ ପ୍ରାଣ
ହୃଦୟରେ ଆସେ ହସ ଖୁସି ଆନନ୍ଦ ଅସୁମାରୀ
ଶୀତଳ ମୃଦୁ ପବନ ଖେଳେ ଲହରୀ
ଉତ୍ତପ୍ତ ସୂର୍ଯ୍ୟ ରଶ୍ମି ହୋଇ ଆସେ କୋମଳ
ନୀଳ ଆକାଶ ଦିଶେ ମେଘ ମୁକ୍ତ ସ୍ଵଚ୍ଛ ନିର୍ମଳ
ପ୍ରଭାତେ କୁହୁଡ଼ିର ଲୁଚକାଳି ଖେଳ
କଅଁଳ ଖରାକୁ ଆସି ସାଙ୍ଗସାଥୀ ହୁଅନ୍ତି ମେଳ
ସୁନ୍ଦର ରଙ୍ଗ ବେରଙ୍ଗର କେତେ ଗରମ ପୋଷାକ
ଦେହକୁ ଘୋଡାଇ ରଖେ ଆପାଦ ମସ୍ତକ
ଶୀତର ପହିଲି ସ୍ପର୍ଶ ଆଣିଦିଏ ନୂଆ ଅନୁଭବ
ନିତି ଦେଖୁଥିବା ଦୁନିଆଁଟା ଲାଗେ ଅଭିନବ
ମାଆ ମହାଲକ୍ଷ୍ମୀଙ୍କର ସ୍ତୁତି ଗାନ ହୁଏ ଗୁରୁବାରେ
ଘର ଅଗଣା ପରିସ୍କାର ପରିଚ୍ଛନ୍ନ ଝୋଟି ଲିଖନରେ
ପାଚିଲା ଧାନ କ୍ଷେତେ ଶୁଦ୍ଧ ସୁବର୍ଣ୍ଣର ଝଲସ
ରୁଣୁ ଝୁଣୁ ଶବଦରେ ଆନନ୍ଦ ନାଚେ ତୋଳି ଛନ୍ଦ
ଅଭାବ ଅନାଟନର ନାହିଁ ଦୁଃଖ ବିଷାଦ
ପ୍ରତି ପରିବାରର ସବୁରି ଓଠେ ଭରିଦିଏ ହସ
କୂଳବଧୁ ହୁଏ ଲକ୍ଷ୍ମୀ ଠାକୁରାଣୀ ବେଶ
ଓଡ଼ିଆ ଜାତିର ସଂସ୍କୃତି ପରମ୍ପରା ନେଇ ଚାଲେ
ପୂଜି ମା' ଅନ୍ନପୂର୍ଣ୍ଣା ସୁଖ ଶାନ୍ତିରେ ରହେ ଭଲେ
ଚାଷୀ ମଜୁରିଆ ଦେଖି ତା'ର ନିଜ ସଫଳତା
ଆତ୍ମ ସନ୍ତୋଷରେ ତା' ମନେ ଭରିଯାଏ ସରସତା
କର୍ମକ୍ଳାନ୍ତି ଭୁଲାଇ ମହକ ଦିଅନ୍ତି ଫୁଟି ନାନା ଫୁଲ
ବୁଝାଇ ଦିଅନ୍ତି ଏ କଠିନ ଶ୍ରମର ଅମୂଲ ମୂଲ
ଉପହାର ରୂପେ ପନିପରିବା ଅଜାଡ଼ି ଦିଏ ପ୍ରକୃତି
କହେ ଏ ସିଦ୍ଧି ଆଣି ଦେଇଛି ହାତର ମେହନତି
ଶୀତ ହୋଇଯାଏ ମନ ପ୍ରାଣର ମିତଟିଏ
ଜୀବନରେ ବହୁ ଅନୁଭୂତି ଆଣିଦିଏ
ସୁଖର ଦିନ ଦୁଃଖରେ ହୋଇ ପାରେ ରୂପାନ୍ତର
ସଦାସର୍ବଦା ସଜାଗ ରହିବା ହିଁ ତା' ପ୍ରତିକାର
ଶୀତର ମନଛୁଆଁ କୌତୁକିଆ ପହିଲି ସ୍ପର୍ଶ
ପହିଲି ଅନୁଭବର ସ୍ମୃତି ହୋଇ ଦିଏ ଶୁଭ ସନ୍ଦେଶ
ଗଢ଼ି ଜାଣିଲେ ଜୀବନ ହୁଅଇ ସୁନ୍ଦର ସରସ
ତାର ଜ୍ୱଳନ୍ତ ପ୍ରମାଣ ଏ ମାର୍ଗଶିର ମାସ
ନୀରବରେ କହି ଦିଏ ସବୁ ଶୀତର ପହିଲି ସ୍ପର୍ଶ।