ଶୀତକୁ କରିଛି ପ୍ରିୟା
ଶୀତକୁ କରିଛି ପ୍ରିୟା
ଶୀତ ଅନୁଭୂତି ନିହାତି ନିଆରା
ଧାନ ଅମଳ ଖଳାରେ
ପାଳ-କୁଡିଆ ରେ ଏକାକୀ ରହଣି
ଶୀତକୁ ପାଇ ପାଖରେ ।
କାକର ବୁନ୍ଦା ରେ ଭିଜି ଧାନ ଖଳା
ଶୀତଳ ପବନ ଧାରେ
ସକାଳୁ ସକାଳୁ କୁହୁଡି ବଳୟ
ଖଳାର ଚାରି ପାର୍ଶ୍ବରେ ।
ବେଳେବେଳେ କଅଁଳିଆ ଖରା ଆସେ
ଭେଦି କୁହୁଡି ଚାଦର
ସୁନେଲି କିରଣ ହୁଏ ବିଛୁରିତ
ଦୃଶ୍ୟ ଅତି ମନୋହର ।
ଖୋଲା ଆକାଶ ତଳେ ଶୀତ କାଳ
ଯେବେ ଛୁଏଁ ତନ ମନ
ଅଜଣା ପୁଲକେ ନାଚି ଉଠେ ମନ
ଅଙ୍ଗେ ଖେଳେ ଶିହିରଣ ।
ସଞ୍ଜ ନଇଁ ଆସେ ଶୀତଳ ଠାଣିରେ
ସଦ୍ୟ ସ୍ନାତା ପ୍ରିୟା ପରି
ନିରେଖି ନିରଖି ମୁରୁକି ହସରେ
ହୃଦୟକୁ ଦିଏ ଘାରି ।
ପ୍ରିୟା ପରଶର ତାତି ଉଜ୍ଜୀବିତ
ଶୀତ ର ତାଳ ସହିତ
ମନ ଉଡିଯାଏ ଆଖି ପିଛୁଳାକେ
ପ୍ରିୟା ସାନ୍ନିଧ୍ୟରେ ଲିପ୍ତ ।
ଫୁଲେଇ ପ୍ରିୟାର ଦେଖି ଅଙ୍ଗ ଭଙ୍ଗି
ଶୀତୁଆ ମନରେ ଖୁସି
ପ୍ରିୟା ପ୍ରେମେ ମଗ୍ନ ଖୁସି ଖୁସି ମନ
ଉସ୍ମତା ଦିଏ ପରଶି ।
ଘୋଡି ହୋଇ ଆଖି ବୁଜି ଶୀତ ସହ
ମିତ ପରି ଅନୁଭବ
ସତେ ଅବା ପ୍ରିୟା କହୁଅଛି କାନେ
ଶିତକୁ ହିଁ ପ୍ରିୟା ଭାବ ।
ବେଶି ସିନା ଶୀତ ରାତିର ଅବଧି
ଭାବନା ତାହାଠୁ ବେଶି
ଶୀତ ସାଥେ ରହି ରାତି ସରି ଯାଏ
ଶୀତ ହିଁ ଦିଏ ଆଉଁସି ।
ବିଲ ମାଳେ ଶୀତ ରାତି ନିଛାଟିଆ
ପ୍ରିୟା କଥା ଭାବି ବିତେ
ଶୀତର ପ୍ରକୋପ ହୁଅଇ ସୀମିତ
ଭାଳୁ ଥିଲେ ପ୍ରିୟା ଚିତ୍ତେ ।
କେତେ ଶୀଘ୍ର ଶୀଘ୍ର ରାତି ବିତି ଗଲା
ଜାଣି ହୁଏନି ସହଜେ
ଯେତେ ଭାବୁଥିଲେ ସେତେ ଭଲ ଲାଗେ
ପ୍ରିୟା କିମ୍ପାଇଁ ନ ବୁଝେ!
ସେଇ ଶୀତ କାଳ ଆଜି ବି ରହିଛି
ଶୀତେଇ ଯାଇଛି ପ୍ରିୟା
ସ୍ମୃତି ଉଜ୍ଜୀବିତ ଅଛି ସେ ରାତିର
ଶୀତକୁ କରିଛି ପ୍ରିୟା ।

