STORYMIRROR

Niranjan Mishra

Children

3  

Niranjan Mishra

Children

ଶୀତ ସକାଳ

ଶୀତ ସକାଳ

1 min
153

ପିଲାଦିନ କଥା ଶୀତ ସକାଳରେ

ମନ ସଦା ହେଉଥାଏ ।

ସକାଳ କେମିତି ଡେରିରେ ହୁଅନ୍ତା 

ଶୋଇ ପଡନ୍ତି ଟିକିଏ ।୧।


ଶୀତ ଲାଗୁଥାଏ ଉଠିଲା ବେଳକୁ 

କୁନ୍ଥୁ କୁନ୍ଥୁ ଲାଗୁଥାଏ ।

ଉଠିଗଲା ପରେ ଶେଯରୁ ସକାଳେ

ନିଆଁ ପୁଆଁଇବା ହୁଏ ।୨।


ଦାନ୍ତ ଘଷି ସାରି ମୁଢି ଗଣ୍ଡେ ଧରି 

ଅଣ୍ଟିରେ ବା ଚାଙ୍ଗୁଡିରେ । 

ନିଆଁ ପାଖେ ବସି ଖିଆ ହେଉଥାଏ 

ରହିଛି ସ୍ମୃତି ପଟରେ ।୩।


ସ୍କୁଲ ଯିବାକୁ ବାହାରିଲା ବେଳେ 

ଖିଆ ହୁଏ ବଢାଭାତ ।

ମୁଗଡାଲି କପଡାରେ ବନ୍ଧାହୋଇ 

ଭାତରେ ସିଝା ହୁଏ ତ ।୪।


ଭାତ ହେଇଗଲେ କପଡାକୁ ଖୋଲି

ଘୋରି ଘାରି ଦେଇ ଡାଲି । 

ବୋଉ ବାଢିଦିଏ ତାମ୍ପଡା କୋକଲି 

ପୋଡା ହୋଇଥାଏ ଖାଲି ।୫।


ପେଜମରା ଭାତ ଖାଇବା ପାଇଁକି 

ଲାଗୁଥାଏ ଭାରି ମଜା । 

ସତ କଥା ତାହା ସରି ନ ହୋଇବ

କେବେ ବି ଶାକର ଖଜା ।୬।


ସକାଳ ଗାଧୁଆ କେବେ ହୁଏ ନାହିଁ

ଶୀତରେ କେ ଗାଧେଇବ ।

ଖରା ଟାଣ ହେଲେ ଗାଧୁଆ ପାଧୁଆ 

ପାଇଁକି ମନ ବଳିବ ।୭।


ଚଣାଛୁଇଁ ସିଝା ରାତିରୁ ଥାଏ ତା

ସକାଳରେ ଖିଆ ହୁଏ ।

କଣ୍ଟାଡାଳ ଅବା କାଠି କୁଟା ଜାଳି

ଚଣାଛୁଇଁ ପୋଡା ହୁଏ ।୮।


ମୁଗଛୁଇଁ ସିଝା ଶୀତ ସକାଳରେ

କେବେ କେବେ ଖିଆ ହୁଏ ।

ବୁଟ ମଟରର ଭଜା ସିଝା କେବେ 

ମୁଢି ସହ ଖିଆ ହୁଏ ।୯।


ଗଲାଣି ସେ ବେଳ ସ୍ମୃତିରେ ରହିଛି

ଏବେ ସେକାଳର କଥା। 

ଶୀତ ସକାଳରେ ମନେ ପଡିଯାଏ 

ସ୍ମୃତି ଭରେ ମଧୁରତା ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children