ଶୀତ ଓ ଶିଶୁ
ଶୀତ ଓ ଶିଶୁ
ହାଡ଼କୁ ଫଟେଇ ଶୀତ
ଆସିଛି ଏହି ମରତ
ଖୋଜିଖୋଜି ସିଏ ପାଇଲା ଶିଶୁକୁ
ଯିଏ ଡରି ନାହିଁ ସତ।୧
ହାବୁକା ମାଡ଼କୁ ଶିଶୁ
ଖାତିର ନାହିଁ ଆକାଶୁ
ସୂରୁଯ ଉଇଁବା କ'ଣ ଦରକାର
ଯିଏ ବି ପାଖକୁ ଆସୁ?୨
ଶିଶୁର ତା' କରମ କରି
ଖେଳୁଛି ଖେଳନା ଧରି
ବିଲେଇ କୁକୁର ଆଉ ଭାଲୁ ସହ
ଆନନ୍ଦ ମନରେ ଭରି।୩
ଶୀତ ଆସି ଠିଆ ହେଲା
ପାଖରେ ଥାଇ କହିଲା
ଏଡି଼କି ଶୀତରେ କିଛି ନ ପିନ୍ଧିକି
ଖେଳୁଛୁ କେମିତି ଭଲା?୪
ଲଙ୍ଗଳା ଶିଶୁଟି କହେ
ଡରିଲେ ମରିବୁ ବହେ
ଯୁଦ୍ଧ କରିବୁ ତ ଶୀତ ପଳେଇବ
ଏ କଥା କି ମିଛ ହୁଏ?୫
ଦେଖୁନ ତୁମ ଦେହରେ
ସ୍ବେଟର ଓ ମଫଲରେ
ଘୋଡି଼ ହେବା ଯୋଗୁଁ ହାବୁକା ମାଡ଼ରେ
ମରୁଚ ଥରି ଶୀତରେ।୬
ଶୀତ ମାଉସୀଟା ତେବେ
ଚିହିଁଙ୍କି ଅନେଇଁ ଏବେ
ଡରାଇବା ପାଇଁ ଫିଙ୍ଗିଲା ଶକତି
ହୁରୁଦେ ଧରି ଗରବେ।୭
ଶିଶୁର ଖାତିର ନାହିଁ
ଖେଳିଲା ତାହାକୁ ଚାହିଁ
ଶୀତ ମାଉସୀଟା ପରାସ୍ତ ହୋଇକି
ଦୂରେ ପଳେଇଲା କାହିଁ।୮
ଶୀତର ଗରବ ଏବେ
ଖରବ ହୋଇଲା ଯେବେ
ଲଙ୍ଗଳା ଶିଶୁକୁ ଦେଖିଲେ ହିଁ ଥରେ
ଜୁହାରେ ଏହି ଏ ଭବେ।୯
ଶୀତ ମାଉସୀଟି ଆଜି
ନିଇତି ଚାଲିଛି ଖୋଜି
ଲଙ୍ଗଳା ଶିଶୁକୁ ଦେଖିଦେଲେ ଥରେ
ଆଖିଯାଏ ତାର ଭିଜି।।୧୦