ଶୀତ ଓ ଆଈ
ଶୀତ ଓ ଆଈ
ଶୀତ ଆସିକି ପାଗ କୋହଲା
ଆଈ ଦେଖିକି କଳି କରିଲା।
ଆଈଟି ଏବେ ହୋଇନି ସଜ
ସିଲେଇ ନାହିଁ କନ୍ଥାଟି ଆଜ।
କେମିତି ଭଲା ବଞ୍ଚିବ କୁହ
ଆସି ତ ଗଲ ବୁହାଇ ଲୁହ ।
କିଛି ବି ନାହିଁ ହାତରେ ତାର
ଯୁଦ୍ଧ କରିବା ସାଥେ ତୋହର।
ଛିଣ୍ଡା କପଡା଼ ଦେଖ ଅଣ୍ଟିରେ
ଏଇଟା ମାତ୍ର ସମ୍ଵଳ ତାରେ।
ଆସିକି ତୁମେ ହାବୁକା ମାଡ଼
ଭାଙ୍ଗି ଦେଲଣି ଦେହର ହାଡ଼।
ସମୟ ଟିକେ ଦେବାର ଥିଲା
ହଠାତ କରି ପାଗ କୋହଲା।
ଶୀତ ମାଉସୀ ତୋର ଶାସନ
କରନି ବୋଲି କହୁନି ମନ।
ତଥାପି ତୁମେ ବୁଝିବା ଥିଲା
ଧନରେ କିଏ ଥିଲା ନ ଥିଲା ।
ଶୀତ ମାଉସୀ ଶୁଣିକି କଥା
ମନଟି ତାର ହୋଇଲା ବ୍ଯଥା।