ଶେଷ ପୃଷ୍ଠା
ଶେଷ ପୃଷ୍ଠା


ଲେଖିଦିଏ
ଦିନ ଯାକର ହିସାବ
ନୀଡ଼ ଫେରନ୍ତା
ପକ୍ଷୀ ମାନଙ୍କର
ଚିଁ ଚିଁ ରାବରେ,
କୂଳ ଫେରନ୍ତା
ନାଉରିଆର
କ୍ଳାନ୍ତ ଆହୁଲାର ଆଘାତରେ,
ଗୋଠ ଫେରନ୍ତା
ଗାଈଗୋରୁଙ୍କର
ହମ୍ବା ହମ୍ବା ରଡ଼ିରେ,
ଧୂଳି ଧୂସରିତ
ଗାଁ ମାନଙ୍କର ଛବିରେ,
ଆଉ
ଅନ୍ଧକାରକୁ
ନିମନ୍ତ୍ରଣ ଦେଉଥିବା
ସୂର୍ଯ୍ୟାଲୋକର ଲୋହିତ ଶବରେ ।।
ଲେଖିଦିଏ
ନିର୍ଜନତାର ନିର୍ବାକ ସ୍ତୁତି
ନିଃସଙ୍ଗତାର ନିଶ୍ଚିହ୍ନ ଭୀତି
ନୀରବତାର ନିଃଶବ୍ଦ ଗୀତି
ନିରଙ୍କୁଶତାର ନିରାକାର ସାଥି
ଆଉ
ଯାହା ଲେଖିହୁଏ ନାହିଁ
ବକ୍ଷ ତଳେ ସାଇତା ହୁଏ
ହୋଇ ଅଭୁଲା ଅତୀତର ନିର୍ଣ୍ଣାୟକ ସ୍ମୃତି
ହୋଇ ଅଭୁଲା ଅତୀତର ନିର୍ଣ୍ଣାୟକ ସ୍ମୃତି ।।