ଶେଷ ଫଗୁଣ ଚିଠି
ଶେଷ ଫଗୁଣ ଚିଠି
ଫଗୁଣ ସରିନି ବାକି ଅଛି କିଛି
ସରିଗଲା ମୋର ପ୍ରୀତି,
ଦେଇଗଲା ପ୍ରିୟା ମୁଦା ଲଫାପାରେ
ଶେଷ ଫଗୁଣର ଚିଠି |
କହିଲାନି କିଛି ହସି ବି ନଥିଲା
ଚାଲିଗଲା ନୀରବରେ,
ମୋ ମନେ ଭରିଲା ଚିର ଅବଶୋଷ
ଅଭୁଲା ଅତୀତ ଝୁରେ |
ଏବେ ବି ସେଦିନ କଥା ମନେପଡେ
ପ୍ରିୟା ଭରିଥିଲା କୋହ,
ଆଖିରେ ଆଖିଏ ବେଦନା ଭରି ସେ
ଝରାଇ ଥିଲା ଯେ ଲୁହ |
ଥର ଥର ହାତେ ଚିଠି ଧରିଥିଲି
ଵୁଝି ପାରିଲିନି କିଛି,
କେଉଁ ଭାବନାରେ ଭରା ଥିଲା ତାହା
ମନେ ସଞ୍ଚରିଲା ଭୀତି |
ଚିଠି ଖୋଲିଥିଲି ଅତି ଗୋପନରେ
ପଢ଼ିଥିଲି ନୀରବରେ,
ମଉଳି ଥିଲା ମୋ ପ୍ରୀତିର ଫୁଲଟି
ହୃଦୟର ବଗିଚାରେ |
ବହିଥିଲା ଅଶ୍ରୁ ଶେଷ ଶ୍ରାବଣର
ଅସରା ବରଷା ପରି,
ଭାଙ୍ଗିଥିଲା ଆଶା ଭରଥିଲି ଯାହା
ଜୀବନର ପ୍ରୀତି ଭରି |
ସମାଜର ନୀତି ନିୟମକୁ ଡରି
ଭାଙ୍ଗିଥିଲା ପ୍ରିୟା ମନ,
ଲେଖିଥିଲା ସିଏ ସମାଜ ଆମକୁ
କରୁଛି ଯେ ପ୍ରତ୍ୟାଖ୍ୟାନ ।
ଝିଅଟିଏ ମୁହିଁ କେମିତି ବୋହିବି
କଳଙ୍କର ବୋଝ ଏତେ,
ଭୁଲିଯିବ ମୋତେ ମରିଗଲା ଭାବି
ସ୍ମୃତିରେ ରଖିବ ପଛେ |
ଆଜି ବି ଭୁଲିନି ପ୍ରିୟାର ମମତା
ହୃଦୟେ ରହିଛି ବଞ୍ଚି,
ସାଇତି ରଖିଛି ଅତି ଗୋପନେ ସେ
ଶେଷ ଫଗୁଣର ଚିଠି ।