STORYMIRROR

Dr. Pratap Kumar Swain

Inspirational

4  

Dr. Pratap Kumar Swain

Inspirational

ଶବରୀ

ଶବରୀ

2 mins
0

ଶବରୀ
ଡ଼. ପ୍ରତାପ କୁମାର ସ୍ବାଇଁ
ପର୍ଣ୍ଣ କୁଟୀର ବନସ୍ତ ମଧ୍ୟରେ ବ୍ୟାଧ କୂଳେ ଜନ୍ମ ମୋର
ସ୍ବାମୀ ସହ ବୁଲେ ଘୋର ଅରଣ୍ୟରେ ତୋଳେ ମୁଁ ବନର ଫଳ
କେଉଁ ଦିନୁ ତୁମ ପଥ ଚାହିଁ ଅଛୁ ଦେଖୀବାକୁ ମନଭରି
ତୋ ଶ୍ୟାମଳ ରୂପ ଦର୍ଶନ କରି ଯିବୁ ଏ ସଂସାରୁ ତରି।
ଆଜି ସକାଳୁ ମୋ ଗେରସ୍ତ ଦେଖିଛି ନେଉଳ ତା ଚଲା ପଥେ
କହିଅଛି ଅଛି ନିଶ୍ଚେ ଭେଟ ହେବ ଅନ୍ତର୍ଯ୍ୟାମୀ ଙ୍କର ସାଥେ।
ସେଥିପାଇଁ ପରା ଶୂନ୍ୟେ ଚାଲୁଛି ପାଦ ଛୁଉଁ ନାହିଁ ମାଟି
ଜାତି ଜାତି କୋଳି ତୋଳି ମୁଁ ରଖିଛି ଛାମୁରେ ଦେବାକୁ ଭେଟି
ଶୁଭିଲାଣି କାହା ପାଦର ଶବଦ  କୁଟୀର ପାଖରେ ଆମ
ନିଶ୍ଚୟ ଆଜି ସତ ହୋଇବ ବହୁ ଦିନର ସ୍ବପ୍ନ।
କୁଟୀର ଭିତରୁ ବାହାରି ଆସିଲେ ପରଖିବା ପାଇଁ ସତ
ଆଖି ଲାଗିଗଲା ସେ ଦିବ୍ୟ ନୟନେ ଶବରୀ ହେଲା ଚକିତ।
ଶ୍ୟାମଳ ମୂରତି ପ୍ରଭୁ ରଘୁପତି ସଙ୍ଗତେ ଲକ୍ଷ୍ମଣ ସୀତା
ଫଳମୂଳ ଦେଇ ଶବରୀ ପଚାରେ ସବୁ ଭଲମନ୍ଦ କଥା।
ଚାଖି ଚାଖି ମିଠା ଫଳ ଦେଇ ଥିଲା ପ୍ରଭୁଙ୍କ ମନକୁ ଜାଣି
ପ୍ରଭୁଙ୍କୁ ସନ୍ତୁଷ୍ଟ କରି କି ପାରିବ ଛାର ଏହି ଶବରୁଣୀ।
ଖୁସିହେଲେ ପ୍ରଭୁ ରାଜୀବ ଲୋଚନ ମେଲାଣି ମାଗିଲେ ଯେବେ
ଛାଡ଼ିଦେବ କିବା ଅମୂଲ୍ୟ ରତନ ପାଖରେ ପାଇ ସେ ଏବେ।
ବଡ ଦୁଃଖ ରେ ମେଲାଣି ଦେଲେ ଶବର ଶବରୀ ଦୁଇ
ସେବାରେ ସନ୍ତୁଷ୍ଟ ଯାଚିଲେ ବର ପ୍ରଭୁ ରଘୁକୂଳ ସାଇଁ।
ମାଗିଲେ ହେ ପ୍ରଭୁ ପୁତ୍ର ହୋଇତୁ ଆମ କୋଳେ ହୁଅ ଜାତ
ଅବଶ୍ୟ ମୁଁ ଆଜି ପୂର୍ଣ୍ଣ କରିବି ତୁମର ସେ ମନୋରଥ।
କଳି ଯୁଗେ ତୁମେ ପାଇବ ମୋତେ ତୁମର ପୁତ୍ର ରୂପେ
ଗିରିକନ୍ଦର ରେ ବିରାଜିବି ମୁହିଁ ନୀଳମାଧବ ର ରୂପେ।
ଚାହୁଁ ଚାହୁଁ ଆଶା ପୂରଣ ହୋଇଲା ଶବର ଦମ୍ପତି ଙ୍କର
ପାଖରେ ପାଇଲେ ନୀଳମାଧବଙ୍କୁ ଦୁଃଖ ହୋଇଲା ଦୂର।
କିଛି ଦିନପରେ କନ୍ୟା ତାଙ୍କର ବିଦ୍ଯାପତିଙ୍କୁ ବରି
ନୀଳ ମାଧବଙ୍କୁ ଦେଖାଇଲା ତାଙ୍କୁ ଚିନ୍ତା କିଛି ନକରି।
କିଛି ଦିନପରେ  ବିଶ୍ଵାବସୁ ଗିରୀକନ୍ଦରରେ ବସି
ଯେତେ ଡାକିଲେ ବି ଆସିଲେନି ସେହି ନୀଳ ମାଧବ କପଟୀ।
ଉପବାସ ରହି ବିଶ୍ଵାବସୁ କାନ୍ଦେ ଦେଖିବାକୁ ନୀଳମଣି
ସ୍ବପ୍ନରେ ତାଙ୍କୁ ସମସ୍ତ କଥା କହିଲେ ଶ୍ରୀକ୍ଷେତ୍ର ମଣି
ବିଶ୍ଵାବସୁ ର ହାତେ ପୂଜା ହେବେ କହିଲେ ଶ୍ରୀଜଗନ୍ନାଥ
ସେହିଦିନୁ ଠାରୂ ବିଶ୍ଵାବସୁ କୂଳ ପ୍ରଭୁ ଙ୍କ ସେବାରେ ରତ।



Rate this content
Log in

Similar oriya poem from Inspirational