STORYMIRROR

Pratima Satpathy

Classics

4  

Pratima Satpathy

Classics

ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା

2 mins
18


ପ୍ରବଳ ପ୍ରତାପୀ ଅସୁର ନାମ ମହିସାସୁର 

ସ୍ବର୍ଗ ରାଜ୍ୟ ଜୟ କରିଲା ଚିନ୍ତା ଦେବତାଙ୍କର।

ବ୍ରହ୍ମାଙ୍କ ଠାରୁ ବର ପାଇ ତ୍ରିଭୁବନ ବିଜୟ

ଉଲଗ୍ନ ନାରୀ ହସ୍ତେ ତା ମରଣ ହେବ ନିଶ୍ଚୟ।

ସର୍ବ ଦେବତାଙ୍କ ଶକ୍ତିରୁ ଜାତ ମା ଆଦିଶକ୍ତି

ଅପୂର୍ବ କମନୀୟ ସୌମ୍ୟ କାନ୍ତି ଉଜ୍ଜ୍ବଳ ଜ୍ୟୋତି।

ସନ୍ତୋଷ ହୋଇ ଦେଵତାମାନେ ଦେଲେ ଦୂର୍ଗା ନାମ

ମହିସା ସୁରକୁ ମାରିବା ପାଇଁ ହେବେ ସକ୍ଷମ।

ସର୍ବ ଦେଵତା ନିଜ ନିଜ ଅସ୍ତ୍ର ଶସ୍ତ୍ରକୁ ଦେଲେ

ରତ୍ନ ଗିରି ପରେ ମା ଦୂର୍ଗା ଦେଵୀ ବିଜୟ କଲେ।

ପ୍ରଥମରେ ଶୁମ୍ଭ ନିଶୁମ୍ଭ , ତା ପରେ ଚଣ୍ଡ ମୁଣ୍ଡ

 ନାଶ ହେଲେ ମହିସାସୁର ରାଗେ ହେଲା ପ୍ରଚଣ୍ଡ।

ଯୁଦ୍ଧ କଲା ମାତାଙ୍କ ସାଙ୍ଗେ ଧରି ସୈନ୍ୟ ସାମନ୍ତ

ମରିଲାନି ମହିସାସୁର ଉଲଗ୍ନ ହେଲେ ମାତ।

ମହିସାଶୁରକୁ ତ୍ରିଶୂଳ ମାରି କଲେ ନିହତ

ମହିସା ମର୍ଦ୍ଦିନୀ ନାମରେ ପୂଜା ପାଇଲେ ମାତ।

ତ୍ରେତୟା ଯୁଗରେ ଶ୍ରୀରାମ ସୀତା ଉଦ୍ଧାର ପାଇଁ

ଶହେ ଆଠ ନୀଳ ପଦ୍ମରେ ପୁଜା କରୁଥିଲେ ହିଁ।

ଭକ୍ତି ପରୀକ୍ଷା କରିବା ପାଇଁ ମାତା ଏକ ପଦ୍ମ

 ଲୁଚାଇ ଥିଲେ ଜାଣି ପାରିଲେନି ଶ୍ରୀ ରାମଚନ୍ଦ୍ର।

ରାଜୀବ ଲୋଚନ ମୋ ନାମ ସମସ୍ତେ କହୁଛନ୍ତି

ଏକ ନେତ୍ର ତାଡି ପୂଜିବି ଦେବୀ ମା ଭଗବତୀ।

ଏପରି ଭାବି ନୟନ ଖୋଳିବା ବେଳେ ଶ୍ରୀ ରାମ

ଦଶଭୁଜା ଆସି ଉଭା ହୋଇଲେ ପାଶେ ତକ୍ଷଣ।

ଧନ୍ୟ ଧନ୍ୟ ତୁମେ ଶ୍ରୀରାମ ଧନ୍ୟ ତୁମ ଭକତି

ପ୍ରସନ୍ନ ହୋଇଲି କି ବର ମାଗିନିଅ ଝଟତି।

ଶ୍ରୀରାମ କହିଲେ ମାତା ଗୋ ମୋତେ ସୂଦୟା କର

ରାବଣକୁ ମାରି ସୀତାଙ୍କୁ କରିବି ମୁଁ ଉଦ୍ଧାର।

ତଥାସ୍ତୁ କହିଣ ଜନନୀ ହୋଇଲେ ଅନ୍ତର୍ଦ୍ଧ୍ୟାନ

ବରପାଇ ଶ୍ରୀ ରାମଚନ୍ଦ୍ର ନାଶ କଲେ ରାବଣ।

ଶରତ ଋତୁରେ ପୁଜାଟି କରିଲେ ରଘୁରାଣ 

ଶାରଦୀୟ ଦୁର୍ଗାପୂଜା ସେ ଦିନୁ ହୋଇଲା ନାମ 

 ଜୟ ମା ମହିଶାମର୍ଦ୍ଦିନୀ ମାତ ଦୟା ସାଗରି 

ଅକ୍ଷୟ କୀରତି ରଖିଛ ଦୁଷ୍ଟ ବିନାଶ କରି।

ବିଜୟା ଦଶମୀ ସେହି ଦିନରୁ ହେଲା ପାଳିତ

ନବ ଦିନ ଧରି ପୂଜା ପାଇଲେ ଜଗତ ମାତ।

ଦ୍ୱାପର ଯୁଗରେ ପଣ୍ଡୁଙ୍କ ପୁତ୍ର ଅର୍ଜ୍ଜୁନ ବୀର

 ଭକ୍ତିରେ ସନ୍ତୋଷ ହୋଇ ଦେଲ ଅକ୍ଷୟ ତୁଣୀର।

ଜୟ ଜୟ ମାତା ଚଣ୍ଡିକା ପ୍ରଚଣ୍ଡ ତେଜୋବତୀ

ଜୟ ତିନିଭୁବନ ପାବନୀ ମାଗୋ ମହାସତୀ ।

କେଶରୀ ବାହନ ତୁମର ମାଆ ଗୋ ମହାମାୟା

ମହାଗୌରି ଭୂତ ଉତ୍ପାଦିନି ଭୂତନାଥ ଜାୟା ।

ପୁରୁଷୋତ୍ତମେ ତୁମ ନାମ ମାଗୋ ଅଟେ ବିମଳା

ବାଙ୍କିରେ ଚର୍ଚ୍ଚିକା ଝଙ୍କଡ଼ ପୁରେ ନାମ ଶାରଳା।

କଟକରେ କଟକ ଚଣ୍ଡୀ ଯାଜପୁରେ ବିରଜା

କୋଣାର୍କରେ ରାମଚଣ୍ଡୀ ନାମ ମାତ ଗିରିଜା।

ଧର୍ମ,ଅର୍ଥ ,କାମ, ମୋକ୍ଷ, ଆଦି ଚତୁବର୍ଗ ଦାନ 

ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ ଦୟାରେ ତୁମ।

ପରମ ବ୍ରହ୍ମ ସ୍ୱରୂପା ମାଆ ପ୍ରକୃତି ରୁପିଣୀ

ରଜ ଗୁଣ ରେ ସାରା ବିଶ୍ଵର ଉତ୍ପତ୍ତି କାରିଣୀ।

ସତ୍ତ୍ଵଗୁଣରେ ପାଳନ ଓ ତମ ଗୁଣରେ ନାଶ

ସକଳ ଭୂତରେ ଅଟଇ ମାତ ତୁମରି ବାସ।

ତୁମଯଶ କୀର୍ତ୍ତି ପୁରିଛି ଏହି ତିନି ଭୁବନେ

କିଏ ସେ ବର୍ଣ୍ଣନା କରିବ ଅଛି ମର୍ତ୍ତ୍ୟ ଭୁବନେ।

ଶୁମ୍ଭ ନିଶୁମ୍ଭ, ଚଣ୍ଡ, ମୁଣ୍ଡ, ରକ୍ତବୀର୍ଯ୍ୟ ନିହତ

 କରିଥିଲ ମା ଦୂର୍ଗା ତୁମେ ପୃଥିବୀ ଥିଲା ଶାନ୍ତ।

ଏବେ ନର ରୂପୀ ଅସୁର ଜନ୍ମ ନେଇ ମହୀରେ

କରୁଛନ୍ତି ନାନା କୁକର୍ମ କହି ନୁହେଁ ଭାଷାରେ।

ପାପ ଭାରା ସହି ନ ପାରି କାନ୍ଦୁଛି ବସୁମତୀ

ମେଲାଣି ନ ନିଅ ମାତଗୋ ଫେଡ ଧରା ଦୁର୍ଗତି ।

ଜୟ ଜୟ ମାତ ଅମ୍ବିକା ଦୂର୍ଗା ଗୌରୀ ଶଙ୍କରୀ

ନାନା ସ୍ଥାନେ ନାନା ରୂପରେ ପୂଜା ହୁଏ ତୁମରି।

ଗ୍ରାମେ ଗ୍ରାମେ ବିଜେ କରିଛ ଗ୍ରାମଦେବୀ ରୂପରେ

ପୁଜା କରୁଛନ୍ତି ଭକତ ମାନେ ଶ୍ରଦ୍ଧା ଭକ୍ତିରେ।

ଜୟ ମା ଜଗତ ଜନନୀ କରୁଣା ମୟୀ ମାଆ

ଉଦ୍ଧାର କର ଏ ସଙ୍କଟୁ ଭକ୍ତଙ୍କୁ କର ଦୟା।


రచనకు రేటింగ్ ఇవ్వండి
లాగిన్

Similar oriya poem from Classics