ସେ ରକ୍ତ ତାତି ଥିଲା ବୋଲି ତ
ସେ ରକ୍ତ ତାତି ଥିଲା ବୋଲି ତ
ଫୁଲ ଓଠରେ ଅସରନ୍ତି ଖୁସି
ବିତରି ସୁବାସ,
ମାଆ ସୌଭାଗ୍ୟବତୀ
ପ୍ରସବି ସୁଭାଷ ।
ପାକଳ ହୋଇନଥିବା ପତ୍ରର
ମାଟି ପ୍ରୀତି ଅସରନ୍ତି ।
ଗହୀରରୁ ବେଶ୍ ଜଳୁଥିଲା ନିଆଁହୁଳା
ଅନ୍ଧାର, ଅନ୍ୟାୟ, ଅସଙ୍ଗତିର
କାରୁକାର୍ଯ୍ୟକୁ ଦେଖି ଦେଖି,
ଲମ୍ଫ ଦେଲେ ବୀର
ଲମ୍ଫଟକୁଂ ଭିଡିଲେ ବାରମ୍ବାର ।
ଆୟୁଷର ଖାତାରେ
ବେହିସାବ ସପନର ଦିନରାତି,
ଗୋଟିଏ ଲକ୍ଷ୍ୟ,
ମୁକ୍ତି... ମୁକ୍ତି... ମୁକ୍ତି ।
ଖୋଜିବା ଆରମ୍ଭ କଲେ ଗୁରୁକୁଂ,
ମାଟି ମାଆଠୁ ଆଉ କିଏ ଅଛି ବଡ,
ଶିରେ ଶିରେ ଅନୁଭବିଲା ପରେ
ପାଲଟିଗଲେ
ଆପଣା ଭିତରେ ଅତ୍ୟୁଚ୍ଚ ଶ୍ରଦ୍ଧାର ଗଡ ।
ଶ୍ରାବଣର ଲଗାଣ ବର୍ଷାର ସ୍ଵର ପରି
ବର୍ଷିଥିଲା ସେ ସ୍ଵର
ପ୍ରତିଭାର ନିରନ୍ତର ହନନକୁ
ପ୍ରତିହତ କରି,
ବୁଣାଗଲା ମୁକ୍ତିର ବୀଜ,
ସ୍ଵୟଂ ନାଭିକ୍ଷେତ୍ରରୁ ହେଲେ ସଜବାଜ ।
ଯିଏ ପରାକ୍ରମରେ
ପଦବୀକୁ କରିପାରେ ପଦାଘାତ,
ସିଏ ହିଁ ତ ସୁପୁତ୍ର ସୁଭାଷ ।
ସୂରୁଜ ପରି ସେ
କିଛି ସମୟ କଳାମେଘ ତଳେ
ଲୁଚିଥିଲେ ସତ,
ଏକ ଜାଜୁଲ୍ୟମାନ
ସମ୍ଭାବନାମୟ ନୂଆ ସକାଳର
କିନ୍ତୁ ହୋଇନଥିଲାକି ପ୍ରତିଭାତ?
ସେ ରକ୍ତ ତାତିଥିଲା ବୋଲି ତ
ଶତ୍ରୁ ରକ୍ତ ଶୀତଳ,
ଛିନ୍ନଛତ୍ର ହୋଇଥିଲା ଔଦ୍ଧତ୍ୟ,
ଏକ ଦୀର୍ଘ କଳା ଯୋଜନା ଭସ୍ମୀଭୂତ,
ଆଉ ବେଶୀ ଦୂର ନଥିଲା ମୁକ୍ତିପଥ ।
ନା ସେ ଅନ୍ତର୍ଧାନ
ନା ସେ ଆମ ଭିତରେ,
ସେ ଏବେବି ଛଦ୍ମ ବେଶରେ
ଛଦ୍ମବେଶୀକଂଠୁ ନିସ୍ତାର ପାଇଁ,
ଆଖିର ଗହୀରରୁ ତାଙ୍କୁ ଚିହ୍ନ,
ଓହ୍ଲେଇ ଦିଅ ସେ ଅଭିମାନର ପୋଷାକ,
ପିନ୍ଧାଅପିନ୍ଧାଅ
ଲୁହର ପୋଷାକ,
ସୁଭାଷମୟ ହେଉ ସାରା ଦେଶ ।
ତମାମ ବରଷ
ଦୀପ ଜଳୁ ତାଙ୍କ ପାଇଁ,
ଯେଉଁ ତିମିରକୁ ମାରିବାକୁ ସେ ଥିଲେ
ଆଲୋକିତ ଗୋସାଇଁ ।