ସେ ଏକ ଆବେଗିକ ସମ୍ପର୍କ
ସେ ଏକ ଆବେଗିକ ସମ୍ପର୍କ
ବୟସର ଅପରାହ୍ନରେ ଅତୀତର ମଧ୍ୟାହ୍ନ ସ୍ମୃତି ରେ ବିଭୋର
ଯୌବନୁଦ୍ଦୀପକ ଲାଜକୁଳି ଆଖିର ଇସାରା ସତେକି
ସୁନ୍ଦର !
ଅପରିପକ୍ବ ଜୀବନରେ ସତେ ଅବା ପ୍ରେମର ରାଗିଣୀ ମଲ୍ହାର
ଦଶନ୍ଧି ଦଶନ୍ଧି ପରେ ଏବେ ପରିବର୍ତ୍ତିତ ଏକ ଆବେଗିକ ସଂଭାର।
ଚପଳ ମନରେ ଆଲୋଡିତ କେଉଁ ଏକ ଅସ୍ପଷ୍ଟ କାଉଁରୀ ସ୍ପନ୍ଦନ
ତାରୁଣ୍ୟର ଆଢୁଆଳେ ଅଙ୍କୁରିତ ପ୍ରେମର ଏକ ମାଦକୀୟ ଆବର୍ତ୍ତନ
ଜହ୍ନ ରାଇଜର କାହାଣୀ ସମ ପ୍ରେମର ଏକ ମଖମଲି ଆଲୋଡନ
ପଦେ କଥା ଅବା ଚୋରା ଚାହାଣୀ ରେ ଧମନୀରେ
ଉଷ୍ମ ପ୍ରବାହନ ।
ଟଂ ଟଂ ଘଣ୍ଟା ମାଡରେ ବିତୁଥିଲା ଅବଧି ପରେ ଅବଧି
କକ୍ଷା ପରେ କକ୍ଷା ବର୍ଷ ପରେ ବର୍ଷ ଅଦୃଶ୍ଯ ପ୍ରେମର
ପରିଧି
ଭବିଷ୍ଯତ ଗଠନର ଆହ୍ବାନ ରେ ସମୟ ପୁସ୍ତକର ସନ୍ଧି
ଦୁଃସହ୍ୟ ପ୍ରେମ ବର୍ଣବୋଧ କିନ୍ତୁ ନେଇଥିଲା ସଲିଳ ସମାଧି ।
ଜୀବନ ଜୀବିକାର ଖରା ଛାଇ ଖେଳରେ ଅସ୍ପଷ୍ଟ ପ୍ରେମ ଇନ୍ଦ୍ରଧନୁ
ପ୍ରାପ୍ତି ଉପଲବ୍ଧିର ସମୀକରଣରେ ପାସୋରିଛି ତାକୁ
ତନୁ ମନୁ
ଘୂର୍ଣ୍ଣାୟମାନ ଭୂଗୋଲକର ସାଥେ ସ୍ମୃତି ଦିଗବଳୟେ
ଉଦିତ ଭାନୁ
ହଠାତ୍ ସାମ୍ନା ହୁଏ ମନର ମାନସୀ ସହ ହେଲେ କଥା ଖାଲି ଏଣୁ ତେଣୁ।
