ସେ ଭାବଗ୍ରାହୀ ଭଗବାନ
ସେ ଭାବଗ୍ରାହୀ ଭଗବାନ
ଭାବଗ୍ରାହୀ ଭଗବାନ
ଭାବେ ଭବର ବନ୍ଧନ,
ଆତ୍ମା ଆତ୍ମାର ମିଳନ
ଜୀବ ପରମ ଦର୍ଶନ।
ଭାବେ ବନ୍ଧା ଭଗବାନ
ଭାଲେ ତିଳକ ଚନ୍ଦନ,
ହୃଦୟର ସେ ସ୍ପନ୍ଦନ
ସଞ୍ଚାରନ୍ତି ଏ ଜୀବନ।
ଦାସିଆ ଯେ ଅକିଞ୍ଚନ
ଅଜ୍ଞାନ ସେ ଦୀନହୀନ,
ଶ୍ରମ କରି ପ୍ରତିଦିନ
ପାଳେ ପରିବାର ଜନ।
ସରଳ ନିସ୍ପାପ ମନ
ପ୍ରଭୁଙ୍କ ପାଖରେ ଧ୍ୟାନ,
ସାଆନ୍ତଙ୍କ ନିଏ ଯତ୍ନ
କରେ ସବୁ କର୍ମମାନ।
ଥିଲା ତାର ଭାରି ମନ
ଦେଖିବ ଚକାନୟନ,
ତା' ଅଭାବ ଅନାଟନ
ତାକୁ କରୁଛି ବାରଣ।
ମନରେ କରେ କୀର୍ତ୍ତନ
ପ୍ରଭୁ ନାମେ ଗୁଣଗାନ,
ଢ଼ାଳି ତାର ମନ ପ୍ରାଣ
ନେଇଥାଏ ସେ ଶରଣ।
ସାଆନ୍ତେ ଦିଅଁ ଦର୍ଶନ
କରିବାକୁ କଲେ ମନ,
ତୀର୍ଥ ଯିବା ଶୁଭଦିନ
ଦାସିଆର ନିବେଦନ।
ନଡ଼ିଆ କରି ପ୍ରଦାନ
କହିଲା ସାଆନ୍ତେ ଶୁଣ,
ଏ ନଡ଼ିଆ ଦେବ ଜାଣ
ଛାମୁରେ କରି ଜଣାଣ।
କହିବ ମୋର କାରଣ
କରିବ ତାଙ୍କୁ ଅର୍ପଣ,
ନ କରିବେ ମନ ଊଣା
ସାଦରେ ନେବେଟି ଜାଣ।
ନିଜ କାର୍ଯ୍ୟେ ଦେଇ ମନ
ସା'ନ୍ତେ ଭୁଲିଲେ ବଚନ,
ତୀର୍ଥରୁ ଫେରିବା ଦିନ
ସେ କଥା ହେଲା ସ୍ମରଣ।
ବାଟରେ କରି ଚିନ୍ତନ
ନଡ଼ିଆ କଲେ ଅର୍ପଣ,
ହାତଯୋଡି କଲେ ଦାନ
ତୁରିତେ ହେଲା ଉଭାନ।
କି ଅଲୌକିକ ଘଟଣ
ଘଟିଲା ଏ ତତ୍ କ୍ଷଣ ?
ଆଶ୍ଚର୍ଯ୍ୟେ କଲେ ମନନ
ପ୍ରଭୁଙ୍କ ମହିମା ମାନ।
ତାଙ୍କର ଭୋଗ ଗ୍ରହଣ
କଲେ ନି ତ ଭଗବାନ ?
ଦାସିଆର ସ୍ବଚ୍ଛ ମନ
ପ୍ରଭୁ ଦେଲେ ବରଦାନ।
ତୁଚ୍ଛ ଇଚ୍ଛାରେ ମୋ ମନ
ହୋଇଛି ପରା ମଳିନ,
ତେଣୁ କଲେ ପ୍ରତ୍ୟାଖ୍ୟାନ
ମହାପ୍ରଭୁ ଜନାର୍ଦ୍ଦନ।
ଦାସିଆ ଅଟେ ମହାନ
ପବିତ୍ର ଯେ ତାର ମନ,
ତା' ଭକ୍ତି ଭାବ ଅନନ୍ୟ
ଶ୍ରେଷ୍ଠ ଭକ୍ତରେ ସେ ଗଣ୍ୟ।
ପ୍ରଚାରି ଏ ଉପାଖ୍ୟାନ
ଦାସିଆକୁ କଲେ ଧନ୍ୟ,
ପ୍ରଭୁଙ୍କ ପ୍ରତି ତା' ମାନ୍ୟ
ଜଗତେ ଯେ ଅସାମାନ୍ୟ।
ଦାସିଆ କଲେ ପ୍ରମାଣ
ରହିଲେ ହୋଇ ମହାନ,
ଭାବ କରନ୍ତି ଗ୍ରହଣ
ଭାବଗ୍ରାହୀ ଭଗବାନ ।।