ସ୍ଵାର୍ଥ ହିଁ ଜୀବନ
ସ୍ଵାର୍ଥ ହିଁ ଜୀବନ
ଏପରି ସ୍ଵାର୍ଥରେ ଜଡ଼ିତ ହେଲେଣି
ଦିବ୍ୟଜ୍ଞାନ ପ୍ରାପ୍ତ ମଣିଷ
ବିନା ସ୍ଵାର୍ଥେ କିଛି କରି ପାରନ୍ତିନି
ସାରିଲେଣି ମାନ ମହତ ।।
ପୋଲିସ କହୁଛି ପଇସା ନ ଦେଲେ
ଚକି ପେଶୁଥିବୁ ହାଜତରେ
ଓକିଲ କହୁଛି ଆଗ ଟଙ୍କା ଦିଅ
କେଶ୍ ଲଢିବି ମାମଲାରେ ।।
ମଦୁଆ କହୁଛି ମଦ ନ ମିଳିଲେ
ଶଵ ଯିବ ନାହିଁ ସ୍ମଶାନକୁ
ବର ଯାତ୍ରୀ ବାବୁ ମଦ ନ ପିଇଲେ
ଗୋଡ଼ ଉଠିବନି ନାଚିବାକୁ ।।
ଡାକ୍ତର କୁହନ୍ତି ପଇସା ପକାଅ
କରିବି ଯାଇ ଅପରେସନ
ଶିକ୍ଷକ କୁହନ୍ତି ଲାଞ୍ଚ ନ ମିଳିଲେ
ଫେଲ୍ ହୋଇବ ରଖ ମନ ।।
ଚାଷିଟିଏ ମଧ୍ୟ ମଦ ମାଂସ ଖାଇ
ଏବେ କରିଲେଣି ବିଲେ କାମ
ଜଜ୍ ବାପୁଡ଼ା ବିଡା ନ ଧରିଲେ
କେସରେ ତୁମେ ନବ ନାମ ।।
ମନ୍ତ୍ରୀ କହୁଛନ୍ତି ଟେଣ୍ଡର କରିବି
ପକା ଆଗ ଦୁଇ ଲକ୍ଷ ଟଙ୍କା
ଅଫିସର କୁହେ ତୁ ଲକ୍ଷେ ନ ଦେଲେ
ଚାକିରି ଦେବିନି ତୁ ଜାଣିଥା ।।
ସମସ୍ତେ ହୋଇଲେ ସ୍ଵାର୍ଥର ଅଧିନ
କାହା ଆଗରେ ଆଉ କହିବା
ପୁଅ ଯେଉଁଠାରେ ବାପାର ପାଖରୁ
ମାରିବାଟି ଜାଣିଛି କାଇଦା ।।
ମଣିଷ ହେଇକି ବିବେକ ହରାଇ
ଥରୁଟିଏ ମନେ ପଶୁ ନାହିଁ
ଗରିବ ଲୋକଟି କେଉଁଠୁ ଆଣିବ
ଲାଞ୍ଚ ଯୋଗାଇବ ତୁମ ପାଇଁ ?
ଝିଅ ବାହାଘରେ ଯୌତୁକ ନ ଦେଲେ
ବେଦିରୁ ବର ଉଠି ଯାଉଛି
ପୁଅବାପ ସ୍ଵାର୍ଥୀ ହୋଇବ ଯଦ୍ୟପି
ଗରିବ ଝିଅ ଜୀବନ ବାଜୀ !!!
ଈଶ୍ବର ଦେଇଛି ହାତ ଗୋଡ ସବୁ
ଖଟି ଖାଇବାକୁ ତମ ପାଇଁ
ଆନେ ଦୁଃଖ ଦେଇ କି ଲାଭ ପାଉଛ
ଭାବିଛ କି ଥିବ ସୁଖେ ରହି ?
ପଡ଼ିବ ବିପତ୍ତି ଡୁବିବ ସମ୍ପତ୍ତି
ଅପେକ୍ଷା କର ଆସେ ସେ ଦିନ
ଈଶ୍ବର ଈଶ୍ବର ଡାକ ଛାଡୁଥିବ
ସାହା କେ ନୋହିବେ ମନେ ଜାଣ ।।
ଯେମିତି କର୍ମକୁ ସେମିତିଆ ଫଳ
ରଖିଛନ୍ତି ପ୍ରଭୁ ତମ ପାଇଁ
ଏ ହାତର ପାପ ସେ ହାତ ନେବନି
କାଳିଆ ଦେଖୁଛି ଆଖି ଫେଇ ।।
ବାହାଦୂରୀ ମାରି ପର ତଣ୍ଟି ଚିପି
କୋଠା ପରେ କୋଠା ଅଛ ପିଟି
ସୁନାମୀ ଆସିବ ଜଳେ ଭାସୁଥିବ
ବୁଦ୍ଧି ଜ୍ଞାନ ଯିବ ତୁମ ଲୋଟି ।।
ବାକି ରହିଛନ୍ତି ଏକା ହିଁ ଈଶ୍ବର
ସେ ବି ହେଲେ ସ୍ଵାର୍ଥ ଅଧିନ
ଭାବ ଭକତିର ଲାଞ୍ଚ ସେ ନ ନେଲେ
ସହଜେ କି ଆମ ହେବ କାମ ?
ବେଳ ଥାଉ ବନ୍ଧ ବାନ୍ଧରେ କୁମର
ମଣିଷକୁ ଦେଖ ଜ୍ଞାନ ବଳେ
ଆନର ସୁଖକୁ ଛଡ଼ାଇ ନିଅନି
ହେମନ୍ତ ଗୁହାରି ରଖ ବାରେ ।।
