STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ସାଗର ବିଜେ

ସାଗର ବିଜେ

3 mins
346

ଅମାବାସ୍ୟା ସାଗର ବିଜେ

ଶ୍ରୀମନ୍ଦିରେ ଉତ୍ସବ ଲାଗେ

ସାଗର କୂଳେ ପ୍ରଭୁ ଯାନ୍ତି

ପଣା ପାଣି ଲାଗି ହୁଅନ୍ତି

ଅମାବାସ୍ୟା ର ନୀତି ଏହି

ତମସା କୁ ସେ ଦିଏ ଧୋଇ ।


ପ୍ରଭୁଙ୍କ ମୁଖ ଚନ୍ଦ୍ର ପ୍ରାୟ

ଅପୂର୍ବ ରୂପ ଜ୍ୟୋତିର୍ମୟ

ଅମାବାସ୍ୟା ର ଅନ୍ଧକାର

ସ୍ବରୂପେ କରିଥାନ୍ତି ଦୂର

ପ୍ରଭୁଯେ ଅମାବାସ୍ୟା ଚନ୍ଦ୍ର 

ଜ୍ୟୋତ୍ସ୍ନା ପ୍ଲାବିତ ଦିବ୍ୟ ବର।


ଅମାବାସ୍ୟା ରାତି ଅନ୍ଧାର

ଆଲୁଅ ଠୁ ଲାଗେ ସୁନ୍ଦର

କେତେ ପର୍ବପର୍ବାଣୀ ଆସେ

ଅନ୍ଧକାରେ ମଧୁ ବରଷେ

ତମସା ରୁ ଆଲୋକ ପଥ

ଅମାବାସ୍ୟା ଦେଖାଏ ବାଟ ।


ରୁକ୍ମଣୀ ଅମାବାସ୍ୟା ସେତ

ବୈଶାଖ ଅମାବାସ୍ୟା କ୍ଷାତ

ଜ୍ୟେଷ୍ଠ ଅମାବାସ୍ୟା ଦିନଟି

ସାବିତ୍ରୀ ଙ୍କ ପୂଜା ହୁଏଟି

ସଧବା ନାରୀ ସେହିଦିନ

କରନ୍ତି ବ୍ରତ ଯେ ପାଳନ ।


ଆଷାଢ଼ ଅମାବାସ୍ୟା ଦିନ

ଉଭା ଅମାବାସ୍ୟା ଯେ ଜାଣ

ଅଣସର ଶେଷ ହୁଏଟି

ବାହାରନ୍ତି ଚତୁର୍ଦ୍ଧା ମୂର୍ତ୍ତୀ

ନବ ଯୌବନ ଦରଶନ

ପ୍ରଭୁ ଦିଅନ୍ତି ସେହି ଦିନ ।


ଦିବ୍ୟ ଚିତା ମଣି ଖଚିତ

ପ୍ରଭୁଙ୍କ ମଥାର ସୁଶୋଭିତ

ସ୍ନାନ ପୂର୍ଣ୍ଣିମା ଦିନ ସେହି

ଚିତା ମାନ ଖୋଲା ହୁଅଇ

ପ୍ରଭୁ ସୋଲ ଚିତା ନାଆନ୍ତି

ଜଳରେ ସ୍ନାନ କରିଥାନ୍ତି।


ଶ୍ରାବଣ ଅମାବାସ୍ୟା ରେଟି

ପ୍ରଭୁ ପୁଣି ଚିତା ନାଆନ୍ତି

ଦଇତାପତିମାନେ ମିଶି

ଲଗାନ୍ତି ସେହି ଚିତା ଆସି

ଚିତାଲାଗି ଅମାବାସ୍ୟା ଟି

କ୍ଷାତ ତେଣୁ ସେହି ଦିନ ଟି ।


ଭାଦ୍ରବ ଅମାବାସ୍ୟା ଦିନ

ସପ୍ତପୁରି ପିଠା ତ ଜାଣ,

ଆଲାମ ଚଣ୍ଡୀ ଯେ ପଠାନ୍ତି

ପ୍ରଭୁଙ୍କୁ ନୈବେଦ୍ୟ ଲାଗନ୍ତି

ସେ ଲାଗି ସେହି ଦିନ କ୍ଷାତ

ସପ୍ତପୁରି ଅମାବାସ୍ୟା ତ ।


ଆଶ୍ୱିନ ଅମାବାସ୍ୟା ଦିନ 

ମହାଳୟା ଯେ ଶ୍ରାଦ୍ଧ ଦାନ

କାର୍ତ୍ତିକ ଅମାବାସ୍ୟା ତିଥି

ଦୀପାବଳି ଦୀପ ଜାଳୁଟି

ମାର୍ଗଶିର ଅମାବାସ୍ୟାଟି

ମହାପ୍ରଭୁ ଶ୍ରାଦ୍ଧ ଦିଅନ୍ତି ।


ପୌଷେ ବଉଳ ଅମାବାସ୍ୟା

ଆମ୍ବ ବଉଳ ହୁଏ ପୂଜା

ତ୍ରିବେଣୀ ଅମାବାସ୍ୟା ମାଘେ

ବିରଜା ଙ୍କ ଜନ୍ମ ଦିନଯେ

ଫଗୁଣ ଅମାବାସ୍ୟା ଦିନ

ଜାଗର ବ୍ରତ ସମାପନ।


ମଧୁ ଅମାବାସ୍ୟା ଚୈତ୍ର ରେ

ପାଳନ ସେ ବର୍ଷ ଶେଷରେ

ଅମାବାସ୍ୟା ପବିତ୍ର ଦିନ

ବିଷ୍ଣୁ ଙ୍କର ହୁଏ ପୂଜନ

ଶ୍ରୀମନ୍ଦିରେ ସେ ଶୂଭଦିନ

ସାଗର ବିଜେ ଆୟୋଜନ।


ପ୍ରତି ଅମାବାସ୍ୟା ଦିନତ

ମହାପ୍ରଭୁ କଳା ସାଆନ୍ତ,

ସାଗର ବିଜେ ସେ ହୁଅନ୍ତି

ମହୋଦଧି ତଟେ ଯାଆନ୍ତି

ଯୁଗ ଯୁଗର ଏ କାହାଣୀ

କିମ୍ବଦନ୍ତୀ ଯାଏ ବଖାଣି ।


ସାଗର ର ମନ୍ଥନ ଲୀଳା

ଅମାବାସ୍ୟା ରେ ହୋଇଥିଲା

ମହାଲକ୍ଷ୍ମୀ ଜାତ ହୋଇଲେ

ପ୍ରଭୁଙ୍କୁ ପତି ସେ ବରିଲେ

ସେ ଲାଗି ଅମାବାସ୍ୟା ଦିନ

ପ୍ରଭୁ ଙ୍କ ସିନ୍ଧୁ ଦରଶନ।


ନୀଳସିନ୍ଧୁ ନୀଳସାଗର

ମହାଲକ୍ଷ୍ମୀଙ୍କ ବାପଘର

ପ୍ରଭୁଙ୍କ ଶଶୁରାଳୟଟି

ସ୍ନେହ ଶ୍ରଦ୍ଧା ପ୍ରିତି ବୋଳାଟି

ସେ ମହାତୀର୍ଥ ର ଦର୍ଶନ

ପ୍ରଭୁଙ୍କର ମାୟା ଅନନ୍ୟ।


ବାମଦେବ ସଂହିତା ଶାସ୍ତ୍ର

ତ୍ରୟୋଦଶ ଅଧ୍ୟାୟେ ଯାର,

ପ୍ରଭୁଙ୍କ ସାଗର ଲିଳାତ

ହୋଇଅଛି ଯହିଁ ବର୍ଣ୍ଣିତ

ତ୍ରେତୟା ରୁ ଦ୍ଵାପର କଳି

ସ୍ମୃତି ପଟଳେ କୋଳାକୋଳି ।


ମହୀ ରୁ ନେବାକୁ ବିରାମ

ତ୍ରେତୟା ରେ ପ୍ରଭୁ ଶ୍ରୀରାମ,

ଯେବେ ସେତ କରିଲେ ମନ

ଦୁଃଖେ ବିବ୍ରତ ହନୁମାନ

ପ୍ରଭୁ ଙ୍କ ବିନା ତାଙ୍କ ଦାସ

ନେଇକି ପାରିବ ନିଃଶ୍ବାସ ।


ପ୍ରଭୁ ଯେ ତାଙ୍କୁ କଥା ଦେଲେ 

ସାଗର କୂଳେ କଳି କାଳେ,

ହନୁମାନ ହେବେ ପୂଜିତ

ପ୍ରଭୁଙ୍କ ସାଥେ ହେବ ଭେଟ

ପ୍ରତି ଅମାବାସ୍ୟା ଦିନ ଟି

ପ୍ରଭୁ ଯିବେ ତାଙ୍କ ପାସେ ଟି ।


ସାଗର କୂଳେ ଭଗବାନ

ଭକ୍ତ ସାଥେ ହେବେ ମିଳନ

ତ୍ରେତୟା ରୁ ହେଲାଣି କଳି

ଭକ୍ତ ଭାବରେ ପ୍ରଭୁ ଭଳି,

କରିଥାନ୍ତି ସାଗର ଲିଳା

ଭକ୍ତ ବତ୍ସଳ ଚକାଡୋଳା।


ଆଉ ଏକ କଥା ଟି ପୁଣି

ଦ୍ଵାପର ଯୁଗର କାହାଣୀ

କୃଷ୍ଣ ଯେବେ ଜନମ ହେଲେ

ବସୁଦେବ ଘେନି ଚଳିଲେ

ଯିବାବେଳେ ନନ୍ଦ ଘରକୁ

ଭେଟିଥିଲେ ଉଗ୍ରସେନଙ୍କୁ ।


ଦେଇଥିଲେ ତାଙ୍କୁ ସେ କଥା

କଳିଯୁଗେ ହୋଇବା ଦେଖା

ଶ୍ରୀମନ୍ଦିରୁ ସରଗ ଦ୍ବାର

ଲମ୍ବିଅଛି ବାଟ ସୁନ୍ଦର

ସେ ମନ୍ଦିରେ କୃଷ୍ଣ ଙ୍କ ଅଜା

ଉଗ୍ରସେନ ପାଆନ୍ତି ପୂଜା ।


ଅମାବାସ୍ୟା ସାଗର ନୀତି

ପ୍ରଭୁ ସେ ମନ୍ଦିର ଯାଆନ୍ତି

ଅଜା ଙ୍କୁ ଭେଟିଥାନ୍ତି ନାତି

ଦ୍ଵାପର କୁ ମନେ ପକାନ୍ତି

ବନ୍ଦାପନା ହୁଏ ଆଳତି

ସାଗର କୂଳେ ପ୍ରଭୁ ଯାନ୍ତି ।


କଳି ଯୁଗର କିମ୍ବଦନ୍ତୀ

ସାଗର ଢେଉ ଆସି ନିତି,

ନୀଳ କନ୍ଦର ଛୁଉଁଥିଲା

ପ୍ରଭୁଙ୍କ ପାଦ ଧୋଉଥିଲା

ଶ୍ରୀକ୍ଷେତ୍ର ବାସୀ ହନ୍ତସନ୍ତ

ନିତି ଚଳିବା ଭାରି କଷ୍ଟ ।


ପ୍ରଭୁଙ୍କ ପାଖେ ନିବେଦନ

ପ୍ରଭୁ କରିଲେ ପରିତ୍ରାଣ

ସାଗରେ ଦେଲେ ସେ ବୁଝାଇ

ନିଇତି ଆଉ ଆସ ନାହିଁ

ମାସରେ ଦିନଟିଏ ସେଯେ

କରିବେ ସାଗରକୁ ବିଜେ ।


ସାଗର ବିଜେ କାଳେ ତହିଁ

ସାଗର ଜଳେ ପାଦ ଧୋଇ,

ଭକ୍ତ ଙ୍କୁ କରିବେ ସେ ଧନ୍ୟ

ସାଗର ଲିଳା ସେ ମହାନ

କେବେଠୁ ଏହି ଲିଳାରମ୍ଭ

କହିବା ନୁହଁଇ ସମ୍ଭବ ।


ନାରାୟଣ ଉତ୍ସବ ମୂର୍ତ୍ତି

ଦକ୍ଷିଣ ଘରେ ରହିଛନ୍ତି

ପ୍ରଭୁଙ୍କ ପାଇଁ ସେ ମୂରତି

ସାଗର ବିଜେ ହୋଇଥାନ୍ତି

ସକାଳ ଧୂପ ହେଲେ ଶେଷ

ନାରାୟଣ ହୁଅନ୍ତି ବେଶ ।


ବେଶ ହୋଇ ଶ୍ରୀନାରାୟଣ

ବିଜେ ସେ ରତ୍ନ ସିଂହାସନ

ଭୋଗ ଆଳତି ଅରପଣ

ପୁଷ୍ପ ଅଞ୍ଜଳି ସମର୍ପଣ

ପ୍ରଭୁଙ୍କ ଆଜ୍ଞାମାଳ ପାଇ

ସାଗର କୂଳେ ଥାନ୍ତି ଯାଇ ।


ମହାଜନ ସେବକ ସେହି

ନାରାୟଣ ଙ୍କୁ ହସ୍ତେ ନେଇ,

ବଟ ମୂଳେ ପାଲିଙ୍କିରେତ

ଉପବେସନ କରାନ୍ତି ତ

ବିମାନ ବଡୁ କାନ୍ଧେ ରଖି

ବୋହି ନିଅନ୍ତି ସେ ପାଲିଙ୍କି ।


ବିମାନ ବଡୁଙ୍କ ପାହୁଣ୍ଡ

ଦୋହଲି ଉଠୁଥାଏ ଦାଣ୍ଡ

ଘଣ୍ଟ ଘଣ୍ଟା ବାଜେ କାହାଳୀ

ଚଉଦିଗ ପଡେ ଉଛୁଳି

ପ୍ରଭୁଙ୍କ ଏହି ଲିଳା ଦେଖି

ଧନ୍ୟ ହୁଅଇ ଚର୍ମ ଆଖି ।


ସାଗର କୂଳରେ ପାଲିଙ୍କି

ଯେବେତ ଯାଏରେ ପହଞ୍ଚି,

ଗରାବଡୁ ସେବକ ତହିଁ

ରୁପା ପିଙ୍ଗଣ ସାଥେ ନେଇ,

ସମୁଦ୍ର ମଧ୍ଯେ ପ୍ରବେଶନ୍ତି

ପବିତ୍ର ଜଳ ଆଣିଥାନ୍ତି ।


ପୂଜା ପଣ୍ଡା ଜଳକୁ ନେଇ

ସୋଧ କରନ୍ତି ମନ୍ତ୍ର ଗାଇ

ସେହି ସୁଦ୍ଧ ସିନ୍ଧୁ ଜଳେଟି

ପ୍ରଭୁଙ୍କ ପାଦ ଧୋଇ ଥାନ୍ତି

ହୁଏ ବନ୍ଦାପନା ଆଳତି

ଭୋଗ ନଇବେଦ୍ୟ ଲାଗେଟି ।


ସେଠାରେ ସାବତ ନିଯୋଗ 

ଲାଗି କରନ୍ତି ପଣା ଭୋଗ

ଭାରି ସୁଆଦ ଭୋଗ ପଣା

ପାଇବା ପାଇଁ ଭକ୍ତେ ବଣା

ଚାଟି ଚାଟି ସେ ଭୋଗ ପାଇ

ଭକ୍ତେ ଯାଆନ୍ତି ଧନ୍ୟ ହୋଇ ।


ତହୁଁ ଯମେଶ୍ବର ମନ୍ଦିର

ଗମନ କରନ୍ତି ଠାକୁର

ପୂଜା ଅର୍ଚ୍ଚନା ହୋଇଥାନ୍ତି

ଅର୍ପଣ ହୁଅଇ ଆଳତି

ସେଠାରୁ ଦେଉଳେ ଲେଉଟି

ଦକ୍ଷିଣ ଘରେ ଦିଅଁ ଯାନ୍ତି ।


ଧନ୍ୟ ପ୍ରଭୁଙ୍କ ଏହି ଲିଳା

ଭକ୍ତ ବତ୍ସଳ ଚକାଡୋଳା

ଭକ୍ତ ଙ୍କୁ କଥା ଥିଲେ ଦେଇ

ସାଗର ବିଜେ ସେଥିପାଇଁ

ତ୍ରେତା ଦ୍ଵାପର କଥା ସେହି

କଳି ରେ ଲିଳା କର ସାଇଁ।


ଜୟ ହେ ପ୍ରଭୁ ଜଗନ୍ନାଥ 

ପାଦରେ ତୁମ ପ୍ରଣିପାତ

ତୁମକୁ ପ୍ରଭୁ କରି ଧ୍ୟାନ

କରିଲି ତୁମ ଗାଥା ଗାନ

ଦୋଷ ତୃଟି କୁ ଦେବ କ୍ଷମା

ମିନତି ପାଦରେ ମଣିମା ।


Rate this content
Log in

Similar oriya poem from Classics