ସାବିତ୍ରୀ
ସାବିତ୍ରୀ
କେଉଁ ଉପବାସ ନୁହେଁ,
ଚିମୁଟାଏ ବିଶ୍ୱାସରେ ଯିଏ
ସାରା ଜୀବନ ନିଜର ହୋଇ ପାରେ,
ଉପମାନ,ଉପବୀତ ନୁହେଁ,
ସମ୍ୟକ ଉପଲକ୍ଷ୍ୟରେ ଯିଏ
ନିଜ ଆୟୁଷକୁ ଇହକାଳ,ପରକାଳ,
ସହୃଦୟ ସମର୍ପି ଦେଇପାରେ,
ସେ ବୋଧେ ସାବିତ୍ରୀ..!
ସନ୍ଦିହାନ ନୁହେଁ, ନିଃସନ୍ଦେହ..
ଅସମାପ୍ତ ସମ୍ପର୍କକୁ ଯିଏ ସାତ ଜନ୍ମର
ତପସ୍ୟା ବୋଲି ବିବେଚନା କରି
ସସମ୍ମାନେ ଗ୍ରହଣ କରି ନିଏ,
ଅବସମ୍ଭାବୀ ଯଦିଓ ନୁହେଁ,
ସାତ ଦୀପ, ଆଠ କଳସ, ସାତ ଫେର
ହୋମ ନିଆଁ, ତପାଗ୍ନିର ଯଜ୍ଞ କୁଣ୍ଡରେ
ନୁହେଁ, ଅନୁତାପାଗ୍ନିର ବ୍ରହ୍ମ ଜ୍ୱାଳାରେ
ତିଳ ତିଳ ଅବିରତ ନିଜକୁ ଜାଳି
ସର୍ବସ୍ୱ ଆହୁତି ଦେଇ ପାରେ,
ସେ ବୋଧେ ସାବିତ୍ରୀ..!
ସଂକୋଚ ନୁହେଁ, ନିଃସଙ୍କୋଚ
ଟିକିଏ ସ୍ନେହ ସୋହାଗର ଭରସାରେ
ମୁକ୍ତ ବିହଙ୍ଗରୁ ନିଜକୁ ପିଞ୍ଜରାବଦ୍ଧ କରିବାର
ଅନିର୍ବଚନୀୟ ଦୁଃଶାହସ କରି ପାରେ,
ଅବଚେତନ ନୁହେଁ, ସଚେତନ ଥାଇ
ଅସରାଏ ଖୁସି ପାଇଁ ଯେ ନିଜେ
ନିଜ ପ୍ରିୟ ପରିଜନ,ଆତ୍ମୀୟ ସହୋଦରଙ୍କୁ
ନିର୍ବିବାଦ ପର କରି ଦେଇ ପାରେ,
ସେ ବୋଧେ ସାବିତ୍ରୀ..!
ମୁକ୍ତ ଆକାଶର ସେ ସୀମାହୀନ ଦିଗନ୍ତକୁ
ଅକୁଣ୍ଠ ଚିତ୍ତ ଯିଏ ଭୂଲି ବାକୁ ବାଧ୍ୟ ହୁଏ,
ବେସୁମାର,ବେଧଡ଼କ ଉଡୁଥିବା ସେ ବିହଙ୍ଗ
ନିଜ ପକ୍ଷ ଦୁଇଟିକୁ ଅବଶେଷେ ଛେଦନ
କରିବାକୁ ଯିଏ ପଶ୍ଚାଦ୍ପଦ ହୋଇ ନ ଥାଏ,
ସାରା ଆକାଶର ସେ ଅସୁମାର ଶ୍ରାବଣକୁ
ସ୍ମୃତି ମାନସ ପଟରୁ ପୋଛି ଦେଇ ପାରେ
ସେ ବୋଧେ ସାବିତ୍ରୀ..!
ଲାଲ ସୂର୍ଯ୍ୟକୁ ଯେ ମନ ଭରି ଭଲପାଏ,
ଅସୀମିତ ଆକାଶର ତାରା ମାନଙ୍କୁ
ଯିଏ ଫୁଲ ଚାଙ୍ଗୁଡ଼ିରେ ତୋଳି ନେବାର
ପ୍ରଗାଢ଼,ପ୍ରଯତ୍ନ,ପ୍ରଚେଷ୍ଟା କରିପାରେ,
ତୋଫା ଚାନ୍ଦିନୀର ପ୍ରାଂଶୁଳ କିରଣକୁ
ସଂଜୁଆ ପଣତରେ ବାନ୍ଧି ରଖି ପରିବାର
ଅସମ୍ଭବ ଅବିରତ ପ୍ରୟାସ ରଖିପାରେ
ସେଇ ବୋଧେ ସାବିତ୍ରୀ..!
ଦୀପ ବଦଳରେ ଦୀପାଳି,
ଧୂପ ପ୍ରତିବଦଳରେ ଧୂମ୍ରାଭ କୁଣ୍ଡଳୀ
ହୋଇ ସ୍ୱଇଚ୍ଛାରେ ନିଶିଦିନ ଜାଳିବାର
ପ୍ରଚେଷ୍ଟା ନୀରବଛିନ୍ନ ସୃଜି ପାରେ,
ନାଁ ଭୋଗ୍ୟ,ନାଁ ଉପ ଭୋଗ୍ୟର ବିଷୟ,
ଲୋଭ ନୁହେଁ,ଉପଲଭ୍ୟର ଅଫୁରନ୍ତ
ପ୍ରଲୋଭନକୁ ପଦାଘାତ କରି ବାର
ଉଦ୍ୟମ ଯିଏ ଜାରି ରଖି ପାରେ,
ସେ ବୋଧେ ସାବିତ୍ରୀ..!
ବ୍ରତ ନୁହେଁ, ବ୍ରତୀ..ପୂଜ୍ୟ ପୂଜାରେ
ଯାହାର ସର୍ବାନ୍ତଃକରଣ ଉପଯୋଗ୍ୟା,
ସେ ଦୃଷ୍ପାପ୍ୟ ବ୍ରତର ପୁଜାରିଣୀ ବୋଧେ
ଆଉ କେହି ନୁହେଁ, ସେ ସାବିତ୍ରୀ,
ମନ ନୁହେଁ, ଅନ୍ତଃର୍ମନ,ଅନ୍ତଃ କରଣ,
ପ୍ରତିମା ନୁହେଁ, ପ୍ରତିମାନ ପ୍ରତିଶୃତିରେ
ଯିଏ ସ୍ୱତଃସ୍ଫୁର୍ତ୍ତ ମୂର୍ତ୍ତିମନ୍ତ,ସତ୍ତ୍ୱ ଧାରିଣୀ,
ଓ ଅଧିକାରିଣୀ ସେ ଆଉ କେହି ନୁହେଁ,
ସେ ମର୍ତ୍ତ୍ୟର ମନସ୍ବିନୀ.. ସାବିତ୍ରୀ..!