STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ସାବାସ୍ ଜେଲେନସ୍କି!

ସାବାସ୍ ଜେଲେନସ୍କି!

1 min
211

ଅତୁଳନୀୟ ଅଜେୟ ବୀର ତୁମ୍ଭେ ଏକ ବିଂଶ ଶତାବ୍ଦୀର

ସମଗ୍ର ଦୁନିଆ ଦେଖୁଛି ଆଜି ବୀରତ୍ବ ଶୌର୍ଯ୍ୟ ତୁମ୍ଭର

କରିନାହଁ ରକ୍ତମୁଖା ବିଶ୍ବଶକ୍ତି ପାଶେ ଆପଣାର ମଥାନତ

ଧ୍ବସ୍ତ ବିଧ୍ବସ୍ତ କ୍ଷତାକ୍ତ ହୋଇ ବି ହାରିନାହଁ ଅଦମ୍ୟ ସାହାସ।

ଆପଣା ପ୍ରିୟ ରାଷ୍ଟ୍ରର ଦୁର୍ମୂଲ୍ୟ ସ୍ବାଧୀନତା ହୋଇ ନାହିଁ ଅସ୍ତମିତ

ପାପିଷ୍ଠ ଶତ୍ରୁର ବୃଥା ବଡିମା ହେଉଛି କ୍ରମଶଃ ଖଣ୍ଡ ବିଖଣ୍ଡିତ

ତୁମ୍ଭ ଧୈର୍ଯ୍ୟର ପରିଚୟ ଅନ୍ତେ ବିଶ୍ବବାସୀ ହେଉଛନ୍ତି ଆଚମ୍ବିତ

ରକ୍ତମାଂସରେ ଗଢା ନୁହେଁ ତୁମ୍ଭରି ହୃଦୟ ହିରକ ସମ ସଶକ୍ତ।

ସ୍ବାଧୀନତା ଅଟଇ ଯୁଗେ ଯୁଗେ ଅମୂଲ୍ୟ ଅତୁଲ୍ୟ ସମ୍ପଦ

ସ୍ବାଧୀନଚେତା ହିଁ କେବଳ ଜାଣଇ ତାହାର ମହିମା ମହତ୍ତ୍ବ

ସ୍ବାଧୀନତା ହିଁ ଏକଇ ଜାତିର ଜାତୀୟତା ଅସ୍ତିତ୍ବ ଅସ୍ମିତା

ଯାହା ଲାଗି ଜଳି ପାରେ ଅବାରିତ ଅଗଣିତ ମଣିଷର ଚିତା।

କିଏ ବା କହୁଛି ତୁମ୍ଭେ ବଳଶୂନ୍ୟ ହୀନବଳ ଅବା ନିର୍ବଳ

ଦୁର୍ବଳ କି କେବେ ବିଶ୍ବଶକ୍ତି ବିରୁଦ୍ଧରେ ଉଠାଏ କରବାଳ?

ପ୍ରାଣାତଙ୍କେ ସାଜି ନାହଁ ପଳାୟନପନ୍ଥୀ କରୁଅଛ ତୁମ୍ଭେ ରଣ

ତୁମ୍ଭ ବୀରଗାଥା ଗାଉଛି ଦୁନିଆ ଧନ୍ଯ ବୀର ତୁମ୍ଭେ ଧନ୍ଯ।

ମାତୃଭୂମି ସର୍ବୋତ୍ତର ଗରୀୟସୀ ରାଷ୍ଟ୍ର ଅଟେ ପରା ସର୍ବୋପରି

ଏଥିପାଇଁ ହସି ହସି ବୀର ପୁଙ୍ଗଵ ଦିଏ ଆପଣାର ପ୍ରାଣ ବଳି

ସୀମିତ ସାଧନେ ହୋଇ ଐକ୍ୟବଦ୍ଧ ଲଢୁଅଛ ମହାଶକ୍ତିର ସାଥେ

ନିଶ୍ଚୟ ଦିନେ ବିଜୟ ଶିରିପା ହୋଇବ ବିରାଜିତ ତୁମ୍ଭର ମାଥେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract