STORYMIRROR

Bauribandhu Lenka

Inspirational

3  

Bauribandhu Lenka

Inspirational

ସ୍ୱାଧୀନତା ପରେ ପରେ

ସ୍ୱାଧୀନତା ପରେ ପରେ

1 min
349

ସ୍ୱତନ୍ତ୍ରତାର ସେ ଅମୂଲ୍ୟ ସ୍ୱାକ୍ଷର

ବକ୍ଷରେ ବହନ କରି ଫର ଫର

ଉଡଇ ତ୍ରିରଙ୍ଗା ଆଜି ସଗର୍ବରେ

ଲାଲକିଲାର ପ୍ରାଚୀର ଉପରେ

     ପବନର ବକ୍ଷ ଚିରି

ଆକାଶରେ ଆଜି ଶାନ୍ତି କପୋତ

ଉଡୁଛନ୍ତି ଗାଇ ମୁକ୍ତିର ଗୀତ

କହୁଛନ୍ତି ସାରା ବିଶ୍ୱକୁ ଆଜିରେ

ଚଳିବନି ଆଉ କାହାରି ଉପରେ

    କାହାର ହାକିମିଗିରି

ପରାଧୀନତାର ନିଷ୍ଠୁର ଯାତନା

ଫାସି କଳାପାଣି କେତେ କଟକଣା

ସହିଛନ୍ତି ଆମ ସଂଗ୍ରାମୀମାନେ

ଦେଇଛନ୍ତି ପ୍ରାଣ ଦେଶର କାରଣେ

     ଶୁଣି ଛାତି ଯାଏ ଥରି

ସ୍ୱତନ୍ତ୍ରତାର ଏ ପବିତ୍ର ଦିବସେ

ଆସ ଦେଶବାସୀ ଗାଇବା ସମସ୍ତେ

ବଳିଦାନର ସେ ଅମର ସଙ୍ଗୀତ

ବୀର ସଂଗ୍ରାମୀଙ୍କ ଜୀବନ ବୃତ୍ତାନ୍ତ

    ତାଙ୍କୁ ସମର୍ପିତ କରି

ଦୁର୍ଦିନର ସେହି ଅମା ଅନ୍ଧକାର

ସ୍ୱାଧୀନତା ପରେ ହୋଇଅଛି ଦୂର

ନୂତନ ଯୋଜନା ନୂତନ କଳ୍ପନା

ସାରା ଦେଶେ ଆଜି ନବ ସଂରଚନା

   ମୋ ଦେଶ ପ୍ରଗତି ପଥେ

କୃଷି, ଶିଳ୍ପ ଅବା ବାଣିଜ୍ୟ ବିଜ୍ଞାନ

ପ୍ରତି କ୍ଷେତ୍ର ଆଜି ଉନ୍ନତିର ଚିହ୍ନ

ତଥାପି ରହିଛି ଅଭାବ କଷଣ

ଦୁର୍ନୀତି ଓ ପ୍ରିୟା-ପ୍ରୀତିର ତୋଷଣ

   ହଟିବ ନିଶ୍ଚେ ତୁରିତେ

କମିଛି ସମାଜେ ସଦ୍ଭାବ ସଂପ୍ରୀତି

ଜାତି ଧର୍ମ ଦ୍ୱେଷ ହେଉଅଛି ବୃଦ୍ଧି

ଆତଙ୍କବାଦୀଙ୍କ ହୁଏ ଆକ୍ରମଣ

କରିବାକୁ ଦେଶ ପୁନଃ ବିଭାଜନ

  ହେବନି କେବେ ସଫଳ

ମୋ ଦେଶର ବୀର ଜାଗ୍ରତ ସୈନିକ

ଜଗିଛି ସୀମାନ୍ତ ସଦା ନିରିଭୀକ

ଦୃଢ ସରକାର ଟାଣୁଆ ନେତୃତ୍ୱ

ଧମକରେ କାର ନୁହେଁ ବିଚଳିତ

  ରହିଛି ସଦା ଅଟଳ

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational