ସ୍ୱାଧୀନ ଭାରତରେ ନାରୀ
ସ୍ୱାଧୀନ ଭାରତରେ ନାରୀ
ପରାଧୀନ ଅନ୍ଧକାର ଚିରି
ହସିଲେଣି ସ୍ୱାଧୀନ ତପନ,
ଉତ୍ଫୁଲ୍ଲିତ ଭାରତର ବାସୀ
ବିଗଳିତ ସତେ ମନ ପ୍ରାଣ। [୧]
ଶହ ଶହ ବରଷ ବେଡିରେ
ଶରୀରଟା ଥିଲା ଜର୍ଜରିତ,
ଅତ୍ୟାଚାର ଶୃଙ୍ଖଳ ଖୋଲିଲା
ପ୍ରାଣପକ୍ଷୀ ହୋଇଗଲା ପ୍ରୀତ । [୨]
ମୁକତିର ତ୍ରିରଙ୍ଗା ତୃପତେ
ଲହରାଇ ନାଚେ ସମୀରଣେ,
ହାତ ଠାରି ଡାକେ ଦେଶବାସୀ !
ଝୁମିଯାଅ ମୋ ବିଭୋର ପଣେ । [୩]
××××××××××××××××××
ତେଏସ୍ତରୀ ବସନ୍ତକୁ ଡେଇଁ
ପରିପକ୍ଵ ସ୍ୱାଧୀନତା ଆମ,
ତଥାପି ବି ନାରୀ ସ୍ୱାଧୀନତା
ଦୂର ଦିଗବଳୟ ସପନ । [୪]
ଜାରି ଅଛି କନ୍ୟା-ଭୃଣ ହତ୍ୟା,
ଅତ୍ୟାଚାରୀ ଆତ୍ମ ପରିଜନ ,
ଯେଉଁ ନାରୀ ସୃଷ୍ଟିର ନିୟନ୍ତା
ତା ବଂଚିବା ଅଧିକାର ନ୍ୟୁନ? [୫]
ମହିଳାଟି "ଅବଳା ଦୁର୍ବଳା"
ପୁରୁଷର "ପାଦତଳ ଦାସୀ",
ସମାନତା ଅଧିକାର ଭାବ
ବହୁଭାବେ ତାର ପାଇଁ ଅସୀ । [୬]
ବଢିଚାଲେ ଦୁଷ୍କର୍ମର ମାତ୍ରା
ପ୍ରତିପାଦେ ବଳାତ୍କାର ଭୟ ,
ପାଦ କାଢ
ି ଘରୁ ବାହାରିଲେ
ଝିଅ ବୋହୁ ନୁହନ୍ତି ଅଭୟ । [୭]
ପରିସଂଖ୍ୟାନର ଗଣନାରେ
ନାରୀ ସଂଖ୍ୟା ପୁରୁଷ ଠୁ କମେ ,
ମଫସଲ ଆଦିବାସୀ ସ୍ଥାନେ
ନାରୀ ଶିକ୍ଷା ରହେ କଥା କ୍ରମେ । [୮]
ଯଉତୁକ ଜଉ ଘରେ ଜଳି
ବଳିପଡେ ନୀରିହ ପରାଣ,
ଯାତନାର କେତେ ପରିଭାଷା
"ଭୋଗ୍ୟ ବସ୍ତୁ", "ପଣ୍ୟ ବସ୍ତୁ ମାନ । [୯]
ସ୍ୱାବଲମ୍ବୀ ହୋଇବି ପାଏନା
ଅର୍ଥନଇତିକ ସ୍ୱାଧୀନତା ,
ଇଷ୍ଟଙ୍କର ସହମତି ବିନା
ଇଚ୍ଛା ପୂର୍ତ୍ତି ଅଛି କି କ୍ଷମତା ? [୧୦]
ଖାଦ୍ୟ, ବସନ-ବ୍ୟସନ, ଭାଷା,
ମନନ ଓ ଚାଲି ଚଳନରେ ,
ନିଜ ଇଚ୍ଛା ମାରି ବଂଚୁଥିଲେ
ବାହାବାଟି ମିଳେ ଜୀବନରେ। [୧୧]
ସ୍ରଷ୍ଟା ଆଜି ଆପଣା ସୃଷ୍ଟିରେ
ଅସ୍ତିତ୍ୱ ହରାଇ ଦୁଃଖମନ,
ମାତୃତ୍ଵର ମୂଲ ମିଳେ ନାହିଁ
ମାତୃଭୂମି ବାକ୍ ଶକ୍ତି ହୀନ । [୧୨]
ବେଦ ଧର୍ମୀ ଭାରତୀୟା ନାରୀ
ଚାହେଁନା ସ୍ୱେଚ୍ଛାଚାରୀ ଜୀବନ ,
ସମ୍ଭ୍ରମତା, ପବିତ୍ରତା ଜଗି
ଚାହେଁ ସିଏ ଉଚିତ ସମ୍ମାନ । [୧୩]