ରତନପୁରର ରତ୍ନ
ରତନପୁରର ରତ୍ନ
ରତନପୁରର ରତନ ଗୋ ତୁମେ
ଓଡ଼ିଆ ଜାତିର ବୀର,
ମାଟି ମାଆ ପାଇଁ ଜୀବନ ଯେ ଦେଇ
ଭାରତେ ହେଲ ଅମର।
ଧନ୍ୟ ତୁମ ପିତା ଧନ୍ୟ ତୁମ ମାତା
ଧନ୍ୟ ଗଜାବର ଗାଆଁ,
ଜନମ ଦେଇଚି ଏମନ୍ତ ସନ୍ତାନ
ଇତିହାସେ ତାର ନାଆଁ।
ଝୁରଇ ଓଡିଶା ସାହି ପଡ଼ିଶା
ଏ ମାଟି, ପାଣି ,ପବନ
ଭାରତ ମାତାର ଲଢୁଆ ଯବାନ
ଉତ୍ସର୍ଗ କଲା ଜୀବନ।
ପିତା ଜଟାଧାରୀ ମାତା ସାବିତିରୀ
କେମନ୍ତ କାଟିବେ ଦିନ,
ଧର୍ମ ପତ୍ନୀ ଇଲି ଗୁମୁରି କାନ୍ଦଇ
ପୋଡିଯାଇଛି ତା' ମନ।
ମନସ୍ୱିନୀ ନାମେ କୁନି ଝିଅ ତବ
ଚାହେଁ ସେ ଯେ ବଲବଲ,
ମନେ ମନେ ସେ ଯେ ତାର ପିତା ଖୋଜେ
ସୁମରଇ ତବ ଗେହ୍ଲ।
ଅଜ୍ଞାନ ଅବୋଧ କଅଁଳ ଶିଶୁ ସେ
ଓଠେ ଲିଭିନି ତା' ହସ,
ବାପା ବୋଲି ଆଉ ଡାକିବ କାହାକୁ
ହୋଇଗଲା ସବୁ ଶେଷ।
ପ୍ରଭାତେ ପ୍ରଦୋଷେ ରଜନୀ ଦିବସେ
ସହି ହିମ ଖରା ତାତି,
ପଛ ଘୁଞ୍ଚା ନାହିଁ କର୍ତ୍ତବ୍ୟେ ତୁମର
ପାଷାଣ କରି କି ଛାତି।
ଲକ୍ଷ୍ୟ ଏକ ହୋଇ ଦେଶ ରକ୍ଷା ପାଇଁ
ଅର୍ପଣ କଲ ଜୀବନ,
ସେ'ପାଇଁ ମୋ ଦେଶ ଗରବେ କହଇ
ଧନ୍ୟ ହେ ବୀର ସନ୍ତାନ।
ରକତ ରଞ୍ଜିତ ପୁଲୁୱାମା ଘାଟି
ମୁରୁଦ୍ଧନା ଯାଏ ଫାଟି,
ପ୍ରତିଶୋଧ ନେବ ନିଶ୍ଚୟ ଏ ଦେଶ
ଏ ପରା ଭାରତ ମାଟି।
ସାରା ଦେଶ ଆଜି ଏକ ସ୍ୱରେ କହେ
ବ୍ୟର୍ଥ ନୁହେଁ ବଳୀଦାନ,
ବିଲୀନ ହୋଇବ ଏ ଆତଙ୍କବାଦ
ରହିବନି ଚିହ୍ନ ବର୍ଣ୍ଣ।
ମନେ ପଡେ ଆଜି ତୁମ୍ଭ କୀର୍ତ୍ତିରାଜି
ଗାଆଁ ଚାହାଳିର ପାଠ,
ସୁଖେ ଦୁଃଖେ ଶୋକେ ଅନ୍ଧାରେ ଆଲୋକେ
ପଢୁଥିଲ ହୋଇ ଶିଷ୍ଟ।
ଗୁରୁଜୀ ଗୁରୁମା କହିଥିଲେ ଦିନେ
ବୀର ସଇନିକ ସାଜି,
ଟେକ ରଖିବୁ ତୁ ଏ ମାଟି ମାଆର
ଜୀବନ ଲଗାଇ ବାଜି।
ତୁଳସୀର ବାସ ଦୁଇ ପତରରୁ
ଯେମନ୍ତ ଜାଣେ ଜଗତ,
ପ୍ରତିଭା ତୁମ୍ଭର ଥିଲା ଭରପୁର
ଜାଣିଥିଲେ ଗୁରୁ ମାତ।
ଜଗତର ନାଥ ପ୍ରଭୁ ଜଗନ୍ନାଥ
ତୋର ପାଶେ ମୋର ଅଳି,
ଜନ୍ମ ଦିଅ ତାରେ ଏଦେଶ ମାଟିରେ
ଯେତେ ଛନ୍ତି ତାର ଭଳି।