ରଥଯାତ୍ରା
ରଥଯାତ୍ରା
ଭକ୍ତ ଭଗବାନ ଅପୂର୍ବ ମିଳନ
ପାଇଁ ଏ ରଥ ଯାତରା,
ଚଉଦ ବ୍ରହ୍ମାଣ୍ଡ ଚାହିଁ ରହିଥା'ନ୍ତି
ପ୍ରଭୁଙ୍କ ଏ ଦିବ୍ୟ ଲୀଳା ।
ବଡ଼ଦାଣ୍ଡ ବିଜେ ବ୍ରହ୍ମାଣ୍ଡ ଗୋସାଇ
ପତିତ ତାରଣ ପାଇଁ
ପତିତ ଉଦ୍ଧାର ପାଇଁ ଜଗନ୍ନାଥ
ରଥେଥା'ନ୍ତି ବିଜେ ହୋଇ ।
ଧାଡ଼ି ପହଣ୍ଡିରେ ଆସନ୍ତି ଠାକୁରେ
ଆହାକି ଅପୂର୍ବ ଠାଣି,
ଆଗେ ବଳଦେବ ମଝିରେ ସୁଭଦ୍ରା
ପଛେ ପ୍ରଭୁ ଚକ୍ରପାଣି ।
ଘଣ୍ଟ,ଘଣ୍ଟା,ଭେରୀ ତୂରୀ କାହାଳିକୁ
ତାଳ ମୃଦଙ୍ଗର ତାନ,
ହରିବୋଲ ହୁଳହୁଳିର ନାଦରେ
କମ୍ପଇ ତିନି ଭୁବନ ।
ଧନ୍ୟ ଚାରମାଳ ଅଟ ତାଳ ଫାଳ
ଯୋଚାଯାଏ ମାଳ ମାଳ,
କେଉଁ ତପଫଳେ ପ୍ରଭୁ ପାଦତଳେ
ବିରାଜିତ କାଳ କାଳ ।
ଠାକୁର ରାଜନ କରିବେ ମାର୍ଜନ
ସୁବର୍ଣ୍ଣ ସମାର୍ଜନୀରେ
ମହାନ ସଂସ୍କୃତି ଉତ୍କଳର ରୀତି
ସମନାହିଁ ଧରା ତଳେ ।
ଆଗେ ବଳଦେବ ତାଳଧ୍ବଜ ରଥେ
ସୁଭଦ୍ରା ଦେବଦଳନେ
ପଛରେ ଆସନ୍ତି ନନ୍ଦିଘୋଷ ଚଢ଼ି
ଜଗନ୍ନାଥ ହର୍ଷ ମନେ ।
ଭାରତ ବର୍ଷରେ ଉତ୍କଳ ସଂସ୍କୃତି
ଅଟଇ ଅତି ମହାନ,
ଉତ୍କଳର ନାଥ ସ୍ୱୟଂ ଜଗନ୍ନାଥ
ବିଜେ ରତ୍ନ ସିଂହାସନ ।
ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ
ହୋଇଛନ୍ତି ତହିଁ ଠୁଳ,
ବାମନ ରୂପରେ ଦେବେ ଦରଶନ
ଭକତଙ୍କୁ ଆଦିମୂଳ ।
ନବଦିନ ଅନ୍ତେ ଜନ୍ମବେଦୀ ଛାଡ଼ି
ବାହୁଡ଼ିବେ ବନମାଳୀ
ବାଇ ଠାକୁରାଣୀ ବାଇଆ କଲେଣି
ହେରା ପଞ୍ଚମୀରେ ମିଳି ।
ବାଟରେ ମାଉସୀ ମା'ଅର୍ଦ୍ଧଶୋଷିଣୀ
ଖୁଆଇବେ ପୋଡପିଠା
ଅତି ସରାଗରେ ଆନନ୍ଦ ମନରେ
ଖାଇବେ ତିନି ଦେବତା ।
ବାହୁଡ଼ା ଯାତ୍ରାରେ ବହୁଡ଼ିଲେ ଜଗା
ବାହୁଡ଼ା ଦଶମୀ ଦିନ,
ଏକାଦଶୀ ଦିନ ସୁନାବେଶ ହେବେ
ରଥରେ କଳାବାମନ ।
ଅନାଇଁ ଥାଆନ୍ତି ଅଶରିରୀ ଗଣ
ପାଇବେ ଅଧରପଣା
ପାର୍ଶ୍ଵ ଦେବାଦେବୀ ସକଳ ଜୀବର
ପୂରିବ ମନ କାମନା ।
ଚତୁର୍ଦ୍ଦଶୀ ଦିନ ବଡ଼ ଦେଉଳକୁ
ବିଜେହେବେ ଜଗନ୍ନାଥ
ମାଆ ସାଆନ୍ତାଣୀ ଦେଇଣ କିଳଣି
ଓଗାଳିବେ ପ୍ରଭୁ ପଥ ।
ଲକ୍ଷ୍ମୀ ନାରାୟଣ କଳି ହେବ ଜାଣ
ବିଚିତ୍ର ମାନବ ଲୀଳା ।
ରସଗୋଲା ଦେଇ ମାଆ ମନ ତୋଷି
ପ୍ରବେଶିବେ ଚକାଡୋଳା ।
