STORYMIRROR

CHINMAYEE PRADHAN

Inspirational

3  

CHINMAYEE PRADHAN

Inspirational

ରଥେ ବିଜେ ହେବା ହେଉ

ରଥେ ବିଜେ ହେବା ହେଉ

1 min
146


କାହିଁପାଇଁ ଆଉ ବିଳମ୍ବ କରୁଛ

  କୁହ ଆହେ ମହାବାହୁ 

ବେଳ ତ ଆସିକି ଉଚ୍ଛୁର ହେଲାଣି

  ରଥେ ବିଜେ ହେବା ହେଉ।


ବରଷକେ ଥରେ ରଥ ଯାତରାରେ

 ଭକତ ଦର୍ଶନ ପାଉ 

କାହିଁ କେତେ ଦୂରୁ ଆସିଅଛି ଧାଇଁ 

  ମନୋବାଞ୍ଛା ପୂର୍ଣ୍ଣ ହେଉ। 


ଶହେଆଠ ଗରା ପାଣି ଢ଼ାଳି ହେଲ 

  ହେଲା ଯେ ତୁମକୁ ଜ୍ବର 

 ଅଣସର ଘରେ ରହିଲ ଯାଇଣ     

  ବିକଳ ଭକତ ମନ।


ଜଡିବୁଟି ଦେଇ କେତେ ସେବା କରି

  କରିଲେ ତୁମକୁ ସୁସ୍ଥ 

ନବ ଯଉବନ ହେଲା ପ୍ରଭୁ ତୁମ୍ଭ

  ହେବ ଏବେ ରଥଯାତ। 


ବଡଦାଣ୍ଡେ ବିଜେ ତିନି ରଥ ଆଜି 

  ଆହା କି ସୁନ୍ଦର ଦିଶେ  

ଆଗପଛ ହେଇ ଭାଇଭଉଣୀଏ 

 ଚାଲିବ ମାଉସୀ ପାଶେ।


 ଆଗରେ ଚାଲନ୍ତି ଭାଇ ବଳଭଦ୍ର 

 ମଝିରେ ସୁଭଦ୍ରା ଦେଇ  

ପଛରେ ଆସୁଛ କାଳିଆ ସାଆନ୍ତ 

 ଟାହିଆ ଖଂଜେ ହଲେଇ। 


ତୁମେ ତ ଅଚଳ ମହାମେରୁ ପ୍ରଭୁ 

  ପାରିବ ବା ଟେକି କିଏ  

ତୁମରି କରୁଣାବାରି ଝଡ଼ିବାରୁ

  ଭକ୍ତ ସିନା ଟେକି ନିଏ।


ପହଣ୍ଡିରେ ଆସ ଝୁଲି ଝୁଲି ନାଥ

  ସତେ କି କାଳିଆ ହାତୀ 

ଜାଣି ଜାଣି ରୁହ ମଝିରେ ମଝିରେ

  ହେବାକୁ ଭକତ ସାଥୀ।


ପତିତପାବନ ବାନା ଉଡ଼ାଉଛ

  ପତିତ ଉଦ୍ଧାର ପାଇଁ  

ସେ ପତିତ ଆଜି ଆସିଛି ହେ ଧାଇଁ 

 ଉଦ୍ଧାର ଜଗତ ସାଇଁ। 


ସୋରିଷ ବୁଣିଲେ ତଳେ ପଡିବନି

  ବଡଦାଣ୍ଡେ ଭିଡ଼ ଏତେ 

ସେ ଭିଡ ଭିତରୁ ଦର୍ଶନ କରିଲେ

  ଆହା କି ଆନନ୍ଦ ସତେ।


ବାରମାସେ ତେରଯାତ ଲାଗିଥାଏ

  ପ୍ରଭୁ ତୁମ୍ଭ ଶ୍ରୀମନ୍ଦିରେ 

ଯେତେ ଦେଖିଲେ ବି ମନ ବୁଝେ ନାହିଁ

 ନ ଦେଖିଲେ ରଥେ ଥରେ।


ରଥରେ ବାମନ ରୂପରେ ଦର୍ଶନ

 କଲେ ମିଳେ କୋଟି ପୁଣ୍ଯ 

ବିଳମ୍ବ ନ କରି ବିଜେ ହୁଅ ପ୍ରଭୁ

 ପୂର୍ଣ୍ଣ ହେଉ ମନସ୍କାମ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational