ରସାଳ ଫଳ ସପୁରୀ
ରସାଳ ଫଳ ସପୁରୀ
ରସାଳିଆ ଫଳଟିଏ ଶିରେ ତାର ଜଟା l
ସମଗ୍ର ଶରୀର ତାର ଯୁକ୍ତ ତୀକ୍ଷ୍ଣ କଣ୍ଟା ll
ବଙ୍ଗଳାରେ ବିଦିତ ସେ ନାମ ଅନାରସ l
ଓଡ଼ିଶାରେ କହୁ ଆମେ ସପୁରୀ ପଣସ ll
ସୁନ୍ଦର ଦେହଟି ତାର ପୀତ ଆଉ ଲାଲ୍ l
ରସାଳ ଫଳର ମଧ୍ୟେ ତାହାର କମାଲ୍ ll
କିଆ ଭଳି ଗଛ ତା'ର ପତ୍ର ଧାର କଣ୍ଟା l
ବିହନ ଅଟଇ ତା'ର ଶିରେ ଥିବା ଜଟା ll
କଲମ୍ବସ ଆବିଷ୍କାର କଲେ ଜନେ କହି l
ପଶ୍ଚିମଭାରତ ଦ୍ଵୀପପୁଞ୍ଜେ ଥିଲା ଏହି ll
ବିଷୁବ ମଣ୍ଡଳେ ଅଟେ ସପୁରୀର ବାସ l
ପୂର୍ବ ଭାରତେ ବିସ୍ତୃତ ସପୁରୀର ଚାଷ ll
ସିଂହଳ ଫିଲିପାଇନ୍ସ ଫିଜି ଦ୍ଵୀପଠାରେ l
ସପୁରୀର ଚାଷ ଅଛି ବିସ୍ତୃତ ଆକାରେ ll
ଶୁଣ ସାଧୁଜନେ ସର୍ବେ ସପୁରୀର ଗୁଣ l
ନାଶକ ଅଟଇ ଏହା ବାତ,ପିତ୍ତ, ବ୍ରଣ ll
ଅମ୍ଳ,ଶୂଳ,ଅଗ୍ନିମାନ୍ଦ୍ୟ ଦୁରେ ରହିଥାଏ l
ସପୁରୀର ରସ ଯିଏ ଅଭ୍ୟାସିଣ ପିଏ ll
ପୁଲକ ଜାଗେ ଶରୀରେ ମନହୁଏ ହର୍ଷ l
ପିଇଦେଲେ ଗିଲାସିଏ ସପୁରୀର ରସ ll
ଧନ୍ୟରେ ସପୁରି ତତେ ବିଧି ଗଢ଼ିଥିଲେ l
ବହୁ ଦିନ ଜଙ୍ଗଲରେ ଲୁଚାଇ ରଖିଲେ ll
ଗ୍ରୀଷ୍ମକାଳେ ତୃଷାତୁର ପ୍ରାଣୀ ହନ୍ତସନ୍ତ l
ସପୁରୀରେ ବାଣ୍ଟିଦେଉ ପୀୟୂଷ ଅମୃତ ll
ସୁସ୍ୱାଦୁରସକୁ ମାତ୍ର ଚାଖିଦେଲେ ଥରେ l
ଦୁଃଖ,ଖେଦ,ଅବସାଦ ରହିଥାଏ ଦୂରେ ll
ଫଳ ତୋର ଚୁସୁମୁସୁ ଆରେ ମଦାଳସା l
ଗ୍ରୀଷ୍ମକାଳେ ମଦାଳସି ତୁ ଏକା ଭରସା ll
ଆସି ଅଛି ରଜ ଭାଈ ପାଳି ସପୁରୀରେ l
ସପ୍ତପୁରେ ବାଜାବଜା ସପୁରୀ ନାମରେ ll
