ରସ ଶେଖର
ରସ ଶେଖର
ରଙ୍ଗ ରାଜ ରସ ଶେଖର
ବ୍ରଜ ନାଗର
କୋଳେ କରି କରେ ଘେରି
ବୋଳି ଦେଲେ ଅବିର
କରି ଜବର
ରଙ୍ଗରାଜ ରସ ଶେଖର।
ଶାଣ ଦିଆ ଦୁଇ ଆଖି
ମାରେ ମାର ତୀର ଜୋଖି
ଚଞ୍ଚଳେ ଚାହିଁଲି ସଖୀ
ଲାଖିଗଲା ନଜର
ବଡ଼ ଜବର
ରଙ୍ଗରାଜ ରସ ଶେଖର ।
ଅଙ୍ଗ ସଙ୍ଗେ ଅଙ୍ଗ ଲାଗି
ଚେତନା ଗଲା ଗୋ ହଜି
ଅଚେତ ଚିତ୍ତ ଚେତିଲା
ଶୁଣି ବାଣୀ ତାଙ୍କର
ବଡ଼ ମଧୁର
ରଙ୍ଗ ରାଜ ରସ ଶେଖର।
ଭରି ରଙ୍ଗ ପିଚକାରୀ
ଧରି ଧିରେ ଦେଲେ ମାରି
ରଙ୍ଗ ଧାରେ ରଙ୍ଗାଧରେ
ଭରିଲା ମୋ ଅନ୍ତର
ସାରା ଶରୀର
ରଙ୍ଗ ରାଜ ରସ ଶେଖର ।
ଲଭି ତୃପତି ପରମ
ଧନ୍ୟ ହେଲା ଲୋ ଜୀବନ
ସାର ତାର ପ୍ରୀତି ଡୋର
ଛାର ସାରା ସଂସାର
ସୁଖ ଅପାର
ରଙ୍ଗ ରାଜ ରସଶେଖର ।
ଯିବ ଜୀବ ଅବା ଥିବ
ଥିବା ଯାଏ ତା'ରେ ଥିବ
ବୋଲେ ବାମନ ତା ବିନୁ
ସାରା ସୁଖ ବିକାର
ଛାର ସଂସାର
ରଙ୍ଗ ରାଜ ରସଶେଖର ।

