ରଙ୍ଗର ପରବ ହୋଲି
ରଙ୍ଗର ପରବ ହୋଲି


ବରଷକେ ଥରେ ସରାଗ ମନେ
ହୋଲିକା ଆସଇ ଋତୁରାଜନେ
ନାନା ବର୍ଣ୍ଣ ପୁଷ୍ପ ପାଦପ ବୃନ୍ତେ
ଖୋଜୁଛନ୍ତି ମନେ ମଧୁପ କାନ୍ତେ
ମଳୟ ପ୍ରବହେ
ଶୀତଳ ଶରୀରେ ବାସନା ଦହେ ।
ଫଗୁଦଶମୀରୁ ପୂର୍ଣ୍ଣିମା ଯାଏ
ଶ୍ରୀରାଧା କୃଷ୍ଣଙ୍କ ମିଳନ ହୁଏ
ବସନ୍ତ ରାହାସ ଏହାକୁ କହି
ବୃନ୍ଦାବନ ଲାଗେ କରନ୍ତି ରହି
ଶ୍ରୀରାଧା ଗୋବିନ୍ଦ
ଶାଶ୍ୱତ ପ୍ରେମରେ ମହା ଆନନ୍ଦ ।
ଷୋହଳ ସହସ୍ର ଗୋପିକାବୃନ୍ଦ
ପିଅନ୍ତି ପ୍ରେମରେ ସେ ମକରନ୍ଦ
ଗୋପାଳ ବାଳକେ ହୋଇଣ ମେଳି
କରୁଥାନ୍ତି କେତେ ରଙ୍ଗର କେଳୀ
କୁସୁମ ପତ୍ରରେ
ଖେଳୁଥିଲେ ହୋଲି ମହାନନ୍ଦରେ ।
ଏବେତ ହୋଲିରେ ସେ ରଙ୍ଗ ନାହିଁ
ରସାୟନ ବିଦ୍ୟା ବିକୃତ ହୋଇ
ନାନା ବର୍ଣ୍ଣ ରଙ୍ଗ ମିଳେ ବାଜରେ
ରୋଗ ସୃଷ୍ଟିକରେ
ଶହେ ହଜାରେ
ସଚେତ ହୋଇବା
ଏମନ୍ତ ରଙ୍ଗକୁ ଦୁରେଇ ଦେବା l
ମଦ୍ୟପାନ କରି ମଦ୍ୟପ ଯୁଥ
ରଙ୍ଗ ଖେଳୁଥାନ୍ତି ହୋଇ ଉନ୍ମତ୍ତ
ଜ୍ଞାନତ ନଥାଏ ଯାହା ମିଳଇ
ନିଜ ଶରୀରେ ବି ନିଜେ ବୋଳଇ
ଉନ୍ମତ୍ତ ଯେ କାଣ୍ଡ
କରିଣ କେଉଁଠି ପାଏ ସେ ଦଣ୍ଡ l
ଆନନ୍ଦ ଉତ୍ସବ ହୋଲିକା ପର୍ବ
ଆମ ପରମ୍ପରା ଆମର ଗର୍ବ
ଆଦ୍ୟ ସନାତନ ଭୂମି ଭାରତ
ନାନା ସଂସ୍କୃତିରେ ବିଶ୍ୱେ ଉନ୍ନତ
ଭୁଲିଯିବା ନାହିଁ
ପୂର୍ବ ମହାନତା ରଖିବା ପାଇଁ l
ବିଶ୍ୱ ଭ୍ରାତୃତ୍ୱର ଭାବକୁ ନେଇ
ପରବ ପର୍ବାଣୀ ଏଠି ଆସଇ
ସମ୍ପର୍କ ଗଢିବା ଆମ୍ଭର ଧର୍ମ
କରିବାନି କେବେ ନିନ୍ଦୁକ କର୍ମ
ମିଳିବ ସମ୍ମାନ
ବିଶ୍ୱଗୁରୁ ପଦ ପ୍ରତୀୟମାନ l