ରଙ୍ଗ ପିଚକାରି ଅବିର ଠାଣି
ରଙ୍ଗ ପିଚକାରି ଅବିର ଠାଣି
ହୋଲି ଆସିଛି ଆଜି ଜନପଦେ ଆଉ ସହରେ
ମନକୁ ଦୋହଲେଇ ଦଉଛି ରଙ୍ଗେ ଓ ଅବିରେ l
ଗୃହ ଲଳନା, କିଶୋରୀ ହାତେ ଧରି ପିଚକାରୀ
ଚିହ୍ନା ମୁହଁକୁ କରି ଅଚିହ୍ନା ବାଗେଇ ଜୁଡ଼ାକବରୀ l
ସାଇ ପଡ଼ିଶାଙ୍କ ସଙ୍ଗେ ବାଣ୍ଟିଣ ଅନାବିଳ ସରାଗ
ଖେଳନ୍ତି ଆନନ୍ଦ ଉନ୍ମତ୍ତେ ଚିତ୍ତେ ନରଖି ବିରାଗ l
ନାଲି ନେଳି ଗୋଲାପୀ ବାଇଗିଣି ଫଗୁର ରଙ୍ଗେ
ଫଗୁଣର ସୁଲୁସୁଲିଆ ବାଆରେ ନାଚି ଭୃଭଙ୍ଗେ l
ଥଟ୍ଟା ମଜା ସବୁକିଛି ତାଙ୍କ ହୋଇଯାଏ ଦିହ ଘଷା
ଅଜା ଆଈଙ୍କ ପାନଖିଆ ନାଲି ଓଠେ ଶୁଭ ଆଶା l
ଆସ ଆସ ଆମ ନାତି ନାତୁଣୀ ଖାଅ ହୋଲି ମିଠା
ଭସାଇଦିଅ ଫଗୁଖେଳେ ଆମକୁ ମୁହଁ ନକରି ଖଟା l
ଡାକ ତୁମ ନିଜ ନିଜ ଧଵଗଣଙ୍କୁ ଆମର ସମ୍ମୁଖକୁ
ଡାକ ତୁମ ଭାଇଗଣଙ୍କୁ ମନଭରି ହୋରି ଖେଳିବାକୁ l
ସ୍ନେହୀଳ ଅଜା ଆଈଙ୍କ ଥଟ୍ଟାବୋଳା ବାଣୀର ପସରା
ଉଲ୍ଲସିତ କରେ ମନପ୍ରାଣ ନାତିନାତୁଣୀଙ୍କ ଦୁଃଖହରା l
ଗ୍ରାମ୍ୟ ଯୁବକେ ମିଛ କୋକେଇରେ ମିଛ ମୁର୍ଦ୍ଦାର ଲଦି
ଢୋଲ ମାର୍ଦ୍ଦଳ ତାନେ ହେଇ ମସଗୁଲ ନାଚନ୍ତି କୁଦି l
ଗାଁରାସ
୍ତା ଗଳି କନ୍ଦି ସବୁଆଡ଼େ ଖାଲି ମସ୍ତିର ମେଖଳା
ନଥାଏ ସେଠି ନିଜପର ଭାବନାର ଟିକେବି ବିଶୃଙ୍ଖଳା l
ରସିକିଆ ଖେଳାଳୀ ସୋମରସ ଟିକେ କରିଣ ପାନ
ଝୁଲି ଝୁଲି ଯାଆନ୍ତି ଆଗେଇ ଘରପଶାଙ୍କୁ ଖୋଜିଣ
ଦାଣ୍ଡ କବାଟ ଠେଲିଣ ପସନ୍ତି ଧସେଇ ଏରୁଣ୍ଡି ଡେଇଁ
କିଳିଣି ନକରେ କାମ ଲଗାମଛଡ଼ା ଖେଳାଳୀ ବାଇ l
ବାରଣ ଫାରଣ ନଥାଏ କିଛି ସେଦିନ ପରା ହୋଲି
ନବପୁଲକ ଆସେ ପ୍ରାଣେ ଦେଲେ ରାଧାକୃଷ୍ଣଙ୍କୁ ସୁମରି l
ରସିକ ଶିରୋମଣି ସେଯେ ଆମ ପ୍ରଣୟୀ ଯୁଗ୍ମ ଠାକୁର
ବୃନ୍ଦାବନେ ଖେଳୁଥିଲେ ହୋରି କଂସକୁ ନକରି ଖାତିର l
ସତରେ ଫଗୁଣ ତୁମେ କପାଳିଆ କାଳିଆ ଠାକୁର ସାହା
ମାନବ ସମାଜୁ ଦୂର କରିଥାଅ ସଦା ଦୁଃଖର କୁରାହା l
ଧନ୍ୟ ତୁମ ଲୀଳା ଆହେ ଚକାଡୋଳା ବସୁଧାର ପୃଷ୍ଠେ
ବରଷକେ ଥରେ ବିଷାଦ ମନକୁ କରିଣ ଚିରନ୍ତନ ହୃଷ୍ଟ l
ରଙ୍ଗ ନୁହେଁ ସେତ ମଣିଷ ଆତ୍ମାର ପରିପ୍ରକାଶ ମାତର
ଜାଗତିକ ମାନବୀୟ ଗୁଣାବଳୀର ପରୋକ୍ଷ ରୂପାନ୍ତର l
ଭୁଲନା ଆମକୁ ଆହେ "ହୋଲି ପରବ " କରୁଛୁ ଅଳି
ପ୍ରତି ବରଷ ପକାଅ ଟିକେ ପାଦ ଅତ୍ର ଯଥା ପୁଷ୍ପେ ଅଳି l