ରଙ୍ଗ ଅବିର
ରଙ୍ଗ ଅବିର
ରଙ୍ଗ ନଥାଏ ଅବିର ବୈଭବରେ
ଥାଏ ମନରେ ପ୍ରାଣରେ ଓ ଅନୁଭବରେ
କିଛି ହଜିଲା ଖୋଜିଲା ଭାବରେ
ଇନ୍ଦ୍ରଧନୁ ଭରା ସ୍ୱପ୍ନ ନଭରେ।
କାହା ଗୋଲାପି ଗୋଲାପି ଲାଜରେ
କେବେ ପ୍ରଣତିଟେ ସାଜେ ସଞ୍ଜରେ
କାହା ଆଖିର ଦୁଷ୍ଟ ଇଶାରାରେ
କେବେ ଚଇତିର ଟାଣ ଖରାରେ।
ରଙ୍ଗ ଓଠ ଧାରେ ହସଟେ ହୋଇ
କେବେ ଆଖି କୋଣୁ ଆସେ ଜକେଇ
କେବେ ଫୋଡ଼ି ଦେଇଯାଏ କଣ୍ଟାଟିଏ ହୋଇ
କେବେ ଫୁଲରେ ପଥକୁ ସଜାଇ।
ରଙ୍ଗ ପ୍ରେମର ରୋମାଞ୍ଚ ଛୁଆଁରେ
ପୁଣି ଶତ୍ରୁତାର ଦ୍ୱେଷ ନିଆଁରେ
କେବେ ବନ୍ଧୁତାର ଶୁଦ୍ଧ ମୁକ୍ତ ଅଭିସାରେ
ପୁଣି ଅଭିମାନ ଭରା ଧୂଆଁରେ।
ରଙ୍ଗ ଜୀବନ ଜୀବିକା ଜଞ୍ଜାଳେ
ଭରିଦିଏ ବେଳ ହେଉ ଅବା ଅବେଳେ
ବର୍ଣାୟିତ ଭିନ୍ନ ଭାବନା କମଳେ
ଝରେ ପ୍ରୀତି ଜୁଡୁବୁଡୁ କୁନ୍ତଳେ।
ରଙ୍ଗ ପ୍ରତୀକ୍ଷାର ଶୁନ୍ୟ ଆଖିରେ
ପୁଣି ସୁତାଏ ରଙ୍ଗୀନ ରାକ୍ଷୀରେ
ବାତ୍ସଲ୍ୟରେ ଭିଜା ପଣତ କୋଣରେ
ଏକ ଗମ୍ଭୀର ସ୍ଥିର ଚାହାଣୀରେ।
ରଙ୍ଗ ଆଶାର ଉଜାଣି ତରଙ୍ଗେ
ଯୌବନର ହୁତାଶନ ଉମଙ୍ଗେ
ଏକ ଚପଳ ହସର ସୁରଙ୍ଗେ
ଜୀବନର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗେ।
ରଙ୍ଗ କୋଳାହଳେ ଦିଏ ଭିଜେଇ
କେବେ ଏକାନ୍ତେ ଶୀତଳ ପୁନେଇଁ
ଭକ୍ତି ବିଗଳିତ ପ୍ରାଣକେନ୍ଦ୍ରକୁ ଛୁଇଁ
ନାଚେ ଋତୁ ସାଥେ ପାଦ ମିଶାଇ।
ରଙ୍ଗ କଳଙ୍କର କେବେ ସାକ୍ଷୀଟିଏ
ପୁଣି ବିଜୟୀ ମଥାରେ ଟୀକାଟିଏ
କେବେ ହାରିବାର କୋହଭରା ଶୋକଟିଏ
ପୁଣି ସଫଳତା ପର ହସଟିଏ।
ରଙ୍ଗ ଖୁସିର ସୁବର୍ଣ୍ଣ ସୁଯୋଗଟିଏ
ଭଙ୍ଗା ସମ୍ପର୍କର ମଧ୍ୟେ ସେତୁଟିଏ
ଘନ ନିଦାଘେ ଶ୍ରାବଣ ଧାରାଟିଏ
ସଦା ଆନନ୍ଦ ଘନ ପ୍ରତୀକଟିଏ।