ରକ୍ତସ୍ନାନ
ରକ୍ତସ୍ନାନ
ରକତ ତ କେବେ ହସକୁ ଝରାଏ କେବେ ତ ଭସାଏ ଲୁହେ
କିଏ ତ ନାଚଇ ବିଜୟ ଉଲ୍ଲାସେ କାହାର ପରାଣ ଦହେ ।
ରକତ କରଇ ପରକୁ ଆପଣା ଆପଣାକୁ କରେ ପର
ବୁହାଇ ରୁଧିର ଗଢ଼ଇ ପ୍ରାଚୀର ସମ୍ପର୍କରେ କାଟେ ଗାର
ଅନ୍ଧ ଆବେଗରେ ଶିର ସମର୍ପଣେ ଦେବୀ ମନ କିଏ ମୋହେ
ରକତ ତ କେବେ ହସକୁ ଝରାଏ କେବେ ତ ଭସାଏ ଲୁହେ ।
ନାରୀତ୍ଵ ପାଇଁକି ଅଫୁଟା କଳିକା ସଢିସଢି ନିତି ମରେ
ମାତୃତ୍ଵର ସୁଖ ପରାପତ କରି କିଏ ହର୍ଷେ ଦିନ ସାରେ ।
ରକତ ନିଗାଡି ମାଟିମାଆ ପାଇଁ ଦିଏ କିଏ ବଳିଦାନ
ନିରୀହ ଜନତା ରକତ ବୁହାଇ ସଂଘର୍ଷେ କେ ହୁଏ ଲୀନ
ବାରଙ୍ଗନା କରେ ରକ୍ତସ୍ନାନ ନିତି କଳଙ୍କିନୀ ଆଖ୍ୟା ବହେ
କିଏ ତ ନାଚଇ ବିଜୟ ଉଲ୍ଲାସେ କାହାର ପରାଣ ଦହେ ।
ରକତ ପଖାଳି ରକ୍ତ ଗାରିମାରେ ଅରଜିନି କିଏ ଯଶ
ରକ୍ତ କରୁଥିବ ନୀରବ ବିଳାପ ପଞ୍ଚଭୂତେ ହୋଇ ଶେଷ ।