ରକ୍ତ ଦାନ ମହାପୁଣ୍ୟ
ରକ୍ତ ଦାନ ମହାପୁଣ୍ୟ
ଅନ୍ୟର ସେବା ରେ ମଣିଷ ଜୀବନ
ଯଦି ହୁଏ ଉତ୍ସର୍ଗିତ
ପରୋପକାର ଓ ଦାନ ଧର୍ମ ବଳେ
ଶାନ୍ତ ଭାବ ହେବ ଜାତ ।
କ୍ଷଣିକ ଜୀବନ ସାର୍ଥକ ନିମନ୍ତେ
ପୁଣ୍ୟ ଦାନ ଓ ସେବା ରେ
ନିୟୋଜିତ ହେଲେ ମନ ଆଉ ପ୍ରାଣ
ଖ୍ୟାତି ଅର୍ଜନ ଅଚିରେ ।
ଅନ୍ନ,ବସ୍ତ୍ର,ଭୂମି,ଗୋରୁ,ଜ୍ଞାନ,ସ୍ୱର୍ଣ୍ଣ
ପ୍ରାୟ ହେଉଅଛି ଦାନ
ରକ୍ତ ଦାନ ଦେବା ମହତ ପଣିଆ
ସବୁଠାରୁ ଶ୍ରେଷ୍ଠ ଦାନ ।
ରକ୍ତ ଦାନ ଜୀବନ ସହିତ ନିହିତ
ମହତ ପଣିଆ ଜଡ଼ିତ
ନିଜ ରକ୍ତ ପ୍ରତି ଦାନେ ପ୍ରାଣ ରକ୍ଷା
ଶ୍ରେଷ୍ଠତା ପ୍ରତିପାଦିତ ।
ସବୁ ଗୁଣ ଠାରୁ ଦାନ ଦେବା ଗୁଣ
ସ୍ଵତନ୍ତ୍ର ପୁଣି ନିଆରା
ଜୀବନ ଦାନ ସମ ହିଁ ରକ୍ତ ଦାନ
ମହାନ୍ ବି ଚିନ୍ତାଧାରା ।
ରକ୍ତ ଦାତା ହିଁ ବିଧାତା ସମ ପୂଜ୍ୟ
ରକ୍ତ ଆଶାୟୀ ହୃଦୟେ
ପ୍ରାଣ ରକ୍ଷା ପାଇଁ ରକ୍ତ ଦାନ ପରେ
ହୃଦେ ସ୍ମରଣୀୟ ରହେ।
ରକ୍ତ ର ଅଭାବ ଜନିତ ସମସ୍ୟା
ଜୀବନ ହୁଏ ନିରାଶ
ଆତ୍ମୀୟ ସ୍ୱଜନ ଚିନ୍ତିତ ହୃଦୟେ
ଶୋକାକୁଳ ପରିବେଶ ।
ସହଜରେ ରକ୍ତ ଯୋଗାଡ କରିବା
ନ ହୋଇଲେ ଫଳପ୍ରଦ
ଆଶଙ୍କା ଭିତରେ ଶଯ୍ୟାଶାୟୀ ରୋଗୀ
ଜୀବନ ପ୍ରତି ବିପଦ ।
ଆକସ୍ମିକ ଦୁର୍ଘଟଣା ଅବା ରୋଗ
ଯେବେ ରକ୍ତ ଭିକ୍ଷା କରେ
ରକ୍ତ କ୍ରୟ ଅଥବା ଦାନ ସୂତ୍ରରେ
ମିଳେ ନାହିଁ ସହଜରେ ।
ରକ୍ତ ଦାନ ବିଷୟ ରେ ସଚେତନ
ସମାଜରେ ପ୍ରଚଳିତ
ସ୍ୱ-ଇଛାରେ ରକ୍ତ ଦାନ ପାଇଁ ପ୍ରାୟ
କୁଣ୍ଠିତ ପରିଲକ୍ଷିତ ।
ରକ୍ତ ସଂଗ୍ରହ ପାଇଁ ବ୍ଲଡ଼ ବ୍ୟାଙ୍କ୍ ନାମେ
ରହିଅଛି ଅନୁଷ୍ଠାନ
ତଥାପି ଠିକଣା ସମୟେ ଅଭାବ
ସହଜରେ ଅନୁମାନ ।
ଅର୍ଥାଭାବ ସହଯୋଗ ଅଭାବରେ
ଯୋଗାଡ ହୁଏନି ରକ୍ତ
ଅକାଳେ ମୃତ୍ୟୁ କୁ ନିକଟେ ଦେଖିବା
ପ୍ରାୟ ହୁଏ ସୁନିଶ୍ଚିତ ।
ଅସହାୟ ପରିସ୍ଥିତି ଅନୁଭବ
ସମ୍ପର୍କୀୟଙ୍କ ମନରେ
ରକ୍ତ ଦାନ ଦେଇ ପ୍ରାଣ ରକ୍ଷା କଥା
ପୁଣି କୁଣ୍ଠିତ ଚିତ୍ତରେ ।
ରକ୍ତ ଗ୍ରହୀତା ପରିବାର ମନରେ
ରକ୍ତ ଦାତା ହିଁ ଭରଷା
ଜୀବନ ଫେରି ପାଇବା ସମ୍ଭାବନା
ଅନିଶ୍ଚିତତା ରେ ଆଶା ।
ଘୃଣ୍ୟ ବଳୀ ପ୍ରଥା ଆଜି ବି ବଳବତ୍ତର
ଏହି ସଭ୍ୟ ସମାଜରେ
ନିଜ ମଙ୍ଗଳ ଆଶାରେ ରକ୍ତ ବଳୀ
ହୁଏ ଦେବୀଙ୍କ ପାଖରେ ।
ଇତର ଜୀବ ଜନ୍ତୁଙ୍କ ବି ଜୀବନ
ରକ୍ତ ସହିତ ଜଡ଼ିତ
ନିଜ ପାରିବାର ମଙ୍ଗଳ ଆଶାରେ
କିମ୍ପା ବଳୀ ପ୍ରଚଳିତ ।
ଜୀବ ହତ୍ୟା କରି ରକ୍ତ-ମାଂସ-ଭକ୍ଷୀ
ନିଷ୍ଠୁର ମଣିଷ ଜାତି
ହତ୍ୟା ସମ୍ପର୍କିତ ଅପରାଧ କରେ
ହୃଦେ ନାହିଁ ଭୟ ଭିତ୍ତି ।
ଜୀବନରେ ରକ୍ତ କେତେ ମୂଲ୍ୟବାନ
ଆପେ ବୁଝି ହୁଏ ନିଜେ
ରକ୍ତ ପାଇଁ ମରଣ ଶଯ୍ୟାରେ ଥାଇ
ଯେବେ ସମସ୍ୟା ଉପୁଜେ ।
ସୁସ୍ଥ ଶରୀର ନିମନ୍ତେ ରକ୍ତ ଦାନ
ସପକ୍ଷରେ ଚିକିତ୍ସକ
ରକ୍ତ ଦାନ ପରେ ରକ୍ତ ଉତ୍ପାଦନ
କ୍ରମଶଃ ଧାରାବାହିକ ।
ସୁସ୍ଥ ଶରୀର ନିମନ୍ତେ ରକ୍ତ ଦାନ
ଯେବେ ନିହାତି ଜରୁରୀ
ରକ୍ତଦାନ ହେଉ ସ୍ଵେଚ୍ଛାକୃତ ଭାବେ
ହୁଅ ପ୍ରାଣ ରକ୍ଷାକାରୀ ।
