ରକ୍ତ ବେଦନା
ରକ୍ତ ବେଦନା
ରକତ ବେଦନା ବୁଝଇ ରକତ
ଜାଣଇ କି ତାହା ଆନ
ପିଠିର ଦରଜ ଲାଗେ କି ପେଟକୁ
ମନ ସିନା ବୁଝେ ମନ।୦ା
ଫଗୁଣ ବୁଝେନା ଶ୍ରାବଣ ଆଖିରୁ
ଝରେ କାହିଁ ପାଇଁ ଲୁହ
ସୂରୁଜ କି ଜାଣେ ତାକୁ ଦେଖି କିଆଁ
କୁମୁଦ ବୁକୁରେ କୋହ
ପାରୁନା କି ବୁଝି ତୁମ ସ୍ମୃତି ନିଆଁ
ଜାଳେ ମୋ ପରାଣ ବନ।
ରକତ ବେଦନା ବୁଝଇ ରକତ
ଜାଣଇ କି ତାହା ଆନ।୧ା
କୋଇଲିର କୁହୁ ଜଗାଏ ମନରେ
ତୁମ ମିଠା ମିଠା କଥା
ଚାନ୍ଦର ଜୋଛନା ଭରିଦିଏ ମନେ
ବିରହ ବେଦନା ବ୍ୟଥା
ଆକାଶେ ବାଦଲ ଦେଖି ଉଙ୍କିମାରେ
ଯେତେ ମାନ ଅଭିମାନ।
ରକତ ବେଦନା ବୁଝଇ ରକତ
ଜାଣଇ କି ତାହା ଆନ।୨ା
ପିଇଛି ଯେଣୁ ମୁଁ ପୀରତି ଜହର
ସହୁଛି ତାହାର ଜାଳା
ସଂସାରର ସବୁ ନିନ୍ଦା ଅପବାଦ
କରିଛି ଗଳାର ମାଳା
ପାଲଟିଛି ଆଜି ଜୀଅନ୍ତା ଶବ ମୁଁ
ଜଳ ବିନା ଯଥା ମୀନ।
ରକତ ବେଦନା ବୁଝଇ ରକତ
ଜାଣଇ କି ତାହା ଆନ।୩ା

