ରଜଦୋଳି ଗୀତ
ରଜଦୋଳି ଗୀତ
ଯାଆରେ ରଜଦୋଳି ଉଡ଼ି ଯାଆ l
ଆମ ପରବର ଗୋଉରବ ଗାଥା
ମେଘଦେଶେ କହି ଆଆ ll
ଓଡ଼ିଶା ରାଇଜେ ପରବ ଖ୍ୟାତ ଏ
ଶୁଣ ରଜଦୋଳି ଗୀତ l
ନୀଳାଚଳେ ବିଜେ ଜଗତ ସମ୍ରାଟ
ମହାପ୍ରଭୁ ଜଗନ୍ନାଥ l
କି କହିବି ତାଙ୍କ କୀରତି ଗାରିମା
ଦୋଳି ଟିକେ କହିଆଆ ll
ଯାଆରେ ରଜଦୋଳି.....
କାଳିଆ ବଳିଆ ସେ ନୀଳାଚଳିଆ
ବାରମାସେ ତେର ଯାତ l
ଅହଲ୍ୟା ତାରଣ, ମାନ ଉଦ୍ଧାରଣ
ନୀଳଚକ୍ରେ ଉଡ଼େ ନେତ l
କି କହିବା ତାଙ୍କ ପୀରତି କରିବା
ରଜ ଦୋଳି ଶୁଣି ଥାଆ ll
ଯାଆରେ ରଜଦୋଳି.....
ପରବ ପ୍ରିୟ ମୋ ଓଡ଼ିଆ ଜାତିଟା
ପରବ ପ୍ରିୟ ତା ପ୍ରଭୁ l
ଓଡ଼ିଆ ଜାତିର ପରବ ଯେତେକ
ସୃଜିଛନ୍ତି ମହାପ୍ରଭୁ l
ଆରିସା ଗଇଁଠା ମଣ୍ଡା ପୋଡ଼ପିଠା
ମେଘ ଦେଶେ ନେଇଯାଆ ll
ଯାଆରେ ରଜଦୋଳି.....
ଉତ୍କର୍ଷ କଳାର ଦେଶ ମୋ ଉତ୍କଳ
ଜଗତେ ପଡ଼ିଛି ଡାକ l
ଧରମା ବିଶିଆ କାଳେ ଗଢ଼ିଥିଲେ
ଉତ୍କର୍ଷ କଳା କୋଣାର୍କ l
ଲିଙ୍ଗରାଜ ରାଜାରାଣୀଙ୍କ କାହାଣୀ
ବାରିଦେ ଶୁଣାଇ ଆଆ ll
ଯାଆରେ ରଜଦୋଳି.....
ମୋ ରଜ ପରବ ଭୂମି ପୂଜାହେବ
କୃଷକେ ଆନନ୍ଦ ଭାରି l
ବଡ଼ ହଳିଆ ମୋ ନୀଳାଚଳେ ବସି
ହସୁଛନ୍ତି କିରି କିରି l
ବନ୍ଦେ ଶ୍ରୀମୂଷଳୀ ହଳାୟୁଧ ହଳୀ
ବନ୍ଦଇ ଉତ୍କଳ ମାଆ ll
ଯାଆରେ ରଜଦୋଳି ଉଡ଼ି ଯାଆ
ଆମ ପରବର ଗୋଉରଵ ଗାଥା
ମେଘଦେଶେ କହିଆଆ ll
