ରଜ ସଜବାଜ
ରଜ ସଜବାଜ
କିଏ କେଉଁ ମତେ ରଜକୁ ପାଳିବେ,
କିପରି କାହା ମଉଜ ।
ପ୍ରତିବର୍ଷ ପରି ଏ ବର୍ଷ ପାଇଁ ବି,
ହେଲିଣି ମୁଁ ସଜବାଜ ।।
ଘରଣୀ ମୋହର ପନ୍ଦର ଦିନରୁ,
ଦେଲେଣି ବରାଦ ମୋତେ ।
ରଜ ତିନି ଦିନ କରିବାକୁ କାମ,
ତାଲିକା ଯାହାକୁ ଯେତେ ।।
ଭୋର ଚାରିଟାରୁ ଉଠିବ ସ୍ୱାମୀ ହେ,
ରାତି ଦଶରେ ଶୋଇବ ।
ବଜାର ପାଇଁକି ବାହାରକୁ ଯିବ,
ବାକି ଘରେ ତୁମେ ଥିବ ।।
ସକାଳ ପାଇଟି ରନ୍ଧାବଢ଼ା ସାଥେ,
ବାସନ ମାଜିବି ମୁହିଁ ।
ଘର ଝାଡ଼ୁ ପୋଛା କରିବାକୁ ହେବ,
ପାରିବିନି ଆଉ ଶୋଇ ।।
ଦୋଳିଟିଏ ଦେବି ଅଗଣାରେ ଖଞ୍ଜି,
ଖିଲି ପାନ ଆଣୁଥିବି ।
ଘର କରଣାର ଯାବତୀୟ କାମ,
ଦିନଯାକ କରୁଥିବି ।।
ସବୁବର୍ଷ ପରି ଏହି ସଜବାଜ,
ମୋର ଏ ଚିରାଚରିତ ।
ସୁଖରେ ସୁଖରେ ରଜପର୍ବ ହେବ,
ରଖି ମୋ ମାନ ମହତ ।।
