STORYMIRROR

Jagannath Barik

Comedy

4  

Jagannath Barik

Comedy

ଦେଖି ଦେଖି ହେଲି ବୁଢ଼ା

ଦେଖି ଦେଖି ହେଲି ବୁଢ଼ା

1 min
450

ପ୍ରିୟ ସଜନୀ, ଦେଖି ଦେଖି ହେଲି ବୁଢ଼ା 

ଜନ୍ଦାଗୋଡ଼େ ଯଦି ଗିରି ତଡ଼ା ହେବ 

     ଶୁଣା ଲୋକେ ହେବେ ଜଡ଼ା ଲୋ, ପ୍ରିୟ ସଜନୀ (0)

ଛେଳି ଯୋଚି ଯଦି ବେଙ୍ଗଳା ହୁଅନ୍ତା 

     ବଳଦ ନୁହଁନ୍ତେ ଲୋଡ଼ା 

କପୋତ ବହିଲେ ମନ୍ଦର ଭୂଧର 

   ଗରୁଡ଼ ପାଆନ୍ତା ବ୍ରୀଡ଼ା ଲୋ, ପ୍ରିୟ ସଜନୀ (1)

ଗଧମାନେ ଯଦି ଗାଡ଼ି ଟାଣୁଥାନ୍ତେ 

    ଲୋଡ଼ା ହୁଅନ୍ତେନି ଘୋଡ଼ା 

ଗାଈ ସ୍ଥାନ ଯଦି ଘୁଷୁରି ନିଅନ୍ତା 

    ଅଲୋଡ଼ା ହୁଅନ୍ତେ ଛଡ଼ା ଲୋ, ପ୍ରିୟ ସଜନୀ (2)

ଅପାଠୁଆ ଯଦି ଚାକିରୀ କରନ୍ତେ 

    କିସ ହେବ ପାଠପଢ଼ା 

ପାଢ଼ ମୁଣ୍ଡେ ରାଜପାଟ ବନ୍ଧାହେଲେ 

    କ୍ଷତ୍ରି ଚରାଇବେ ହଡ଼ା ଲୋ, ପ୍ରିୟ ସଜନୀ (3)

ମାର୍ଜାର ଯଦ୍ୟପି ଗର୍ଜନ କରନ୍ତା 

    ଶାର୍ଦ୍ଦୁଳ ଖାଆନ୍ତା ତଡ଼ା, 

ଧଣ୍ଡ ଯଦି ଫଣା ଟେକି ଖେଳୁଥାନ୍ତା 

    ଫଣୀ ହୁଅନ୍ତା ଅଲୋଡ଼ା ଲୋ, ପ୍ରିୟ ସଜନୀ (4)

ହଜାରେ ଛୁଞ୍ଚିରେ ଦାଆ କି ହୋଇବ 

    କୁହୁଡ଼ିରେ ପାଣି ମଡ଼ା 

ସଜନାରେ ଖଟ ପଲଙ୍କ ହୋଇଲେ 

   ଶାଗୁଆନ ହୋନ୍ତା ପୋଡ଼ା ଲୋ, ପ୍ରିୟ ସଜନୀ (5)

ଶକୁନ ଶାବକ ଖାଇ କ୍ଷୀର ବଚ 

    କଣ୍ଠକୁ କଲେ ସଜଡ଼ା 

ପରଭୃତ ବତ କରିବ କି ରୁତ  

     ନିନ୍ଦା ଅରଜିବ ଥୋଡ଼ା ଲୋ, ପ୍ରିୟ ସଜନୀ (6)

ଯେତେ ଯତ୍ନକଲେ ପିତଳ ପୁରଟ 

     ଶୁଣ୍ଢୀ ଭାତ କି ଅବଢ଼ା 

ପିମ୍ପୁଡି ତରିବ ନୀରନିଧି ନୀର 

     ପିଢ଼ାରେ ସରଗ ଚଢ଼ା ଲୋ, ପ୍ରିୟ ସଜନୀ (7)

ନାହିଁ ଶ୍ରେଣୀକକ୍ଷ କଳାପଟା ଚକ 

   ଅନଲାଇନ ପାଠ ପଢ଼ା 

ଅସଲି ବର୍ଜିତ ନକଲି ଆଦୃତ 

   ଲାଗେ ବଡ଼ ଅସଜଡ଼ା ଲୋ, ପ୍ରିୟ ସଜନୀ (8)

ବାରବାଟୀ ଚାଷ ଘରେ ଉପବାସ 

    ବାହାପିଆ ଦରପଢ଼ା 

ଘର ଢ଼ିଙ୍କି ଯଦି କୁମ୍ଭୀର ହୋଇବ 

    ଜାଣିବ କରମ ପୀଡା ଲୋ, ପ୍ରିୟ ସଜନୀ (9)

କୋଟିଏ ଖଦ୍ୟୋତ ହୋଇ ଏକତ୍ରିତ 

    ରବି ମୁଖେ ହେଲେ ଛିଡ଼ା 

ଭାଷେ ଜଗନ୍ନାଥ ଲୋକହସା ମାତ୍ର 

   ସାରହେବ ମୁହଁ ପୋଡ଼ା ଲୋ, ପ୍ରିୟ ସଜନୀ (10)



Rate this content
Log in

Similar oriya poem from Comedy