STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୋ ସରକାର

ମୋ ସରକାର

1 min
460



ଯାହାହେଉ ଭାଇ ଏତେଦିନ ପରେ

   ବଡ କାମ ଗୋଟେ ହେଲା ,

ସ୍ଵାଧୀନତା ପଚସ୍ତରୀ ବର୍ଷ ଗଲା

    "ମୋ ସର୍କାର" ଗଢାହେଲା।


ରାଜତନ୍ତ୍ର ଥିଲା ଗଣତନ୍ତ୍ର ହେଲା

    ଗଣ ହୋଇଗଲା ଜଣ,

ଜଣତନ୍ତ୍ର ଆସି 'ମୋ ସରକାର'

     ଅବତାର ନେଲେ ଜାଣ।


ଯେତେକ ଯୋଜନା ଜନହିତ ପାଇଁ

     ସରକାର କରିଛନ୍ତି,

ସେସବୁ ଯୋଜନା କେତେ ପରିମାଣ

    ଲୋକ ହିତେ ଲାଗୁଅଛି ।


ମମତା,ସୁକନ୍ଯା, ପ୍ରସୂତି କାଳୀନ

  ହରିଶ୍ଚନ୍ଦ୍ର, ବିଜୁସ୍ଵାସ୍ଥ୍ଯ,

ପିଏମ୍ କିଷାନ , ଇନ୍ଦିରା ଆବାସ

   କ୍ରୀଡ଼ା ଓ ଶିଶୁବିକାଶ।


ଦିନାକାତେ ପିଠାଯୋଜନା ଆସିଲା

   ଲାଗିଗଲା ଲୀଳାଖେଳା,

ମହିଳା ମଣ୍ଡଳ ପିଠା ଗଦାକଲେ

   ଖାଇଲେ ବିଡ଼ିଓ ପରା।


ପୁଣି ଜଗନ୍ନାଥ କାଳିଆ ସାଆନ୍ତ

    ହାଇଲାଇଟ୍ ସେ କଲେ,

କାଳିଆ ଯୋଜନା ନାଁରେ କୃଷକ

     ଆକାଉଣ୍ଟ୍‌ରେ ବିଜେ କଲେ।


ଅବଶ୍ୟ ଅନେକ ସରକାରୀ ବାବୁ

     ବେଶୀ ଭକ୍ତି କରିବାରୁ,

ତାଙ୍କରି ଖାତାରେ ଲୁଚିଛପିକରି

      ବିଜେ କଲେ ବ୍ରହ୍ମଦାରୁ।


ଆଉ ଫେରିଲେନି କାଳିଆ ସାଆନ୍ତ

     ବିରୋଧୀ ଯେତେ କମ୍ପିଲେ,

ବୋହୂ ଭୂଆଷୁଣୀ ଝିଅ ଚାଷୀମାନେ

    ବେଶୀ ଉପକୃତ ହେଲେ। 


ଗୋଟା ଗୋଟା ଘରେ ପାଞ୍ଚ ସାତଜଣ

   

କାଳିଆ ଟଙ୍କା ପାଇଲେ,

ଆମଭଳି କେତେ ହତଭାଗା କୃଷକ

   ଜେରକ୍ସ କରିକି ମଲେ। 


ପୁଣି ଆସିଗଲା ବଳିଆ ଯୋଜନା

   ହିତାଧିକାରୀ ହିତରେ,

କିନ୍ତୁ ବଳରାମ ବ୍ୟସ୍ତ ରହିଲେଣି

    ଲାଞ୍ଚଖିଆ ଯୋଜନାରେ।


ଭାରି ଆକର୍ଷଣ ଆହାର ଯୋଜନା

   ବଜାର ସହରେ ଚାଲେ,

ଗାଁରେରହିଲେ ଯେ ବେଶୀ ଭୋକିଲା

   କି ଅପରାଧ କରିଥିଲେ ।


ଏକ ଟଙ୍କା କିଲୋ ଚାଉଳକୁ ଦେଇ

   ପେଟ୍ରୋଲ ଟ୍ୟାକ୍ସରେ ନେଇ,

ମାଗଣା ଭ୍ଯାକ୍ସିନ୍ ଲୋକ ସିନାପାଏ

   ରୋଷେଇ ଗ୍ୟାସ୍ ବଢ‌ଇ। 


ମାତୃଗର୍ଭ ଠାରୁ ମଶାଣୀ ଦୁଆର,

   ଖୋଲୁଛି ଯେତେ ଯୋଜନା,

କହିପାରିବେ କି ହେ ପ୍ରିୟ ପାଠକ

   କିଏ ୟାର ମାଲିକାନା ।


ତେଣୁ ଭାଇ ଆଜି"ମୋ ସରକାର"

   ବୋର୍ଡ଼ ସବୁଠି ଲାଗିଛି,

ଆମ ପ‌ଇସାରେ ଚାକିରୀଆ ବାବୁ

   ଦରମା କାଳେ ନେଉଛି।


ଉତ୍କୋଚ ମାଗିଲେ ଅଛି ଟୋଲଫ୍ରି 

   କିନ୍ତୁ ଫୋନ୍ ଉଠେ ନାହିଁଁ,

ସେବାର ପ୍ରଚାର ଚାଲୁଥାଏ କିନ୍ତୁ

   ସେଠି ସ୍ଵାର୍ଥ ଲୁଚିଥାଇ।


ଯଦି ନିରୀକ୍ଷକ ରାସ୍ତା ଦେଖୁଥାନ୍ତା

    ରାସ୍ତା ଶୀଘ୍ର ଭାଙ୍ଗନ୍ତାନି,

ଯଦି ଠିକ୍ ଠାକ୍ ସବୁ ଚାଲିଥାନ୍ତା

    ମିଡିଆ ବି ଘାଣ୍ଟନ୍ତାନି।


ଆଉ କହିବିନି କହିଲେ କହିବେ

    ବେଶୀ ମୁଁ କାଳେ କହୁଛି,

ଆଗକୁ ଆସୁଛି ଇଲେକ୍ସନ ପୁଣି

    ଅପେକ୍ଷା କରେ ଅପର୍ତ୍ତି ।


Rate this content
Log in

Similar oriya poem from Comedy