STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଗାନ୍ଧୀ ତୁମେ ଠେଙ୍ଗା ଉଠାଅ

ଗାନ୍ଧୀ ତୁମେ ଠେଙ୍ଗା ଉଠାଅ

1 min
279

ଗାନ୍ଧୀ ତୁମର ଏ ଅବସ୍ଥା ଦେଖିଲେ

   ଭାରି କଷ୍ଟ ଲାଗେ ମୋତେ,

 ଠିଆ ହୋଇଅଛ ଛକ ବଜାରରେ

   ଠେଙ୍ଗା ଧରି କାହିଁ ହାତେ ।


କାହାକୁ ଜଗୁଛ କହିବ କି ବାପୁ

    ତୁମକୁ କିଏ ମାନୁଛି,

ତୁମ ମୂର୍ତ୍ତି ତଳେ ମଦୁଆଟି ବସି

    ମଦଗୁଡା ପିଉଅଛି ।


ନିଶାରେ ତୁମର ଆଖି ଚଷମାକୁ

    ମଦୁଆଟା ଟାଣିଲାଣି,

ତୁମ ଜୋରି ବେଠି ଉଦ୍ଧାର କଲାଣି

    ମଦ ପୁଣି ପେଇଲାଣି।


ଖରାପ ଦେଖିବ ଖରାପ ଶୁଣିବ

     ଖରାପ କହିବ ନାହିଁ,

ତିନି ମାଙ୍କଡଙ୍କ ମୁହଁ କାନ ଆଖି

     ବନ୍ଦ୍ କରିଥିଲ କାହିଁ ।


ଆଜି କିନ୍ତୁ ଏହି ମଦୁଆର କାର୍ଯ୍ୟ

     କଳାପକୁ‌ ସହୁଅଛ,

ଆଣ୍ଟକରି କାହିଁ ଠେଙ୍ଗାଟି ଧରିଛ

   ଚୁପ୍ ଚାପ୍ ଠିଆ ହୋଇଅଛ।


ଡେରିକର ନାହିଁ ଉଠାଅ ହେ ଠେଙ୍ଗା

    ମଦୁଆ ମୁଣ୍ଡ ଫଟାଅ,

ମାଙ୍କଡଙ୍କ ହାତେ ଶାସନ ଦେଇକି

     ନୀରବ କାହିଁକି ରୁହ ।


ମଦ ବିକ୍ରି ପାଇଁ ପୁରସ୍କାର ମିଳେ

    ମଦୁଆଙ୍କ ସଂଖ୍ୟା ବଢେ,

ଯେଉଁଥି ପାଇଁକି ଦୁର୍ନୀତି ଦୁଷ୍କର୍ମ 

     କରୋନା ଭଳିଆ ମାଡେ।


ଗାନ୍ଧୀ ତୁମେ ଯେଉଁ ସ୍ଵପ୍ନ ଦେଖିଥିଲ

    ସପନରେ ରହିଗଲା,

ବ୍ରିଟିଶ୍ ଶାସନଠାରୁ କମ୍ ନୁହେଁ

    ଏହି ରାଜନୀତି ପାଲା।


ଯେଉଁଠି ଶୁଖିଲା ଓଠରେ ଫୁଟୁନି

     ହସ ଟିକେ ମିଠା ମିଠା,

ଗଣତନ୍ତ୍ର ଆଜି ରାଜତନ୍ତ୍ର ଏହା

     କି ପ୍ରକାର ସ୍ଵାଧୀନତା ।


ତୁମ ପ୍ରତି କୋଉ ସନମାନ ଅଛି

     ମୁଣ୍ଡକୁ ଦେଖ ତୁମର,

 ନଣ୍ଡାମୁଣ୍ଡ ତୁମ କଳା ଧଳାଦିଶେ

     ପଡ଼ିଛି କାଉର ମଳ।


ଗେଣ୍ଡୁଫୁଲ ତୁମ ବେକରେ ଝୁଲୁଛି

    କେବେଠୁଁ ଶୁଖିଗଲାଣି,

କଳାପଡିଯାଇ ଧଣ୍ଡାମାଳ ପରି

    ଆଖିକୁ ସେ ଦିଶିଲାଣି।


ସିମେଣ୍ଟ ତିଆରି ନିଶ ଫାଳେ ତୁମ

   ଆଉ ନାକ ତଳେ ନାହି,

ବାମ ହାତ ତୁମ କହୁଣି ପାଖରୁ

    ଝୁଲୁଛି ସେ ଭାଙ୍ଗି ଯାଇ।


ଚଷମାର ଗୋଟେ ଆଖି ନାହିଁ ବୋଲି

    ‌ତେଣୁ ଦେଖିପାର ନାହିଁ

ମୁଁ କିନ୍ତୁ ଏଠି ସବୁ ଦେଖିପାରେ

    ନିରୂପାୟଟିଏ ହୋଇ।


ଷଣ୍ଢ ମାଇଲେ ମୁଁ ମଲି ତ ଷଣ୍ଢକୁ

    ମାଇଲେ ତ ପୁଣି ମଲି,

ମୁହଁ ଖୋଲିଦେଲେ ଭାଗ ବୁଡିଯିବ

     ତେଣୁ ସ୍ଥାଣୁ ପାଲଟିଲି।


ଶାସକ ତ ଏଠି ଭକ୍ଷକ ସାଜୁଛି

     କିଳା ପୋତି କରେ ବାଇ,

ସତ ଆଜି ମିଛ ପାଖରେ ହାରୁଛି

      ଟଙ୍କା ଏଠି ହସୁଥାଇ।


କମଳଟା ସାରା ରୁମ ସାଲୁବାଲୁ

     ଆଉ କଥା କିଛି ନାହିଁ,

ତୁମେ କଣ ପାଇଁ ଜେଲ୍ ଭୋଗିଥିଲ

    ଏ କଥା ବୁଝୁଛି କେହି ।


ତୁମେ ଥାଅ ବାପୁ ତୁମ ଦୁଃଖ ନେଇ

     ମୁହିଁ ନେଉଛି ବିଦାୟ,

ଆଗକୁ କ'ଣ ଘଟିବ ଦେଖିବ

    ଛକେ ଠିଆ ହୋଇଥାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy