ରହସ୍ୟ
ରହସ୍ୟ


ରାମାୟଣ ହେଉ ଅବା ମହାଭାରତ
ରହସ୍ୟ ଲୁଚି ରହିଛି,
ଶକୁନିର ପଶା ମନ୍ଥରା ମନ୍ତ୍ରଣା
ସର୍ବନାଶ କରିଅଛି ।
ଶ୍ରୀକୃଷ୍ଣଙ୍କ ଚକ୍ର ବେଳାଲ ଦେଖିଛି
ଗୋଟି ଗୋଟି ମୁଣ୍ଡ କାଟେ,
ଭୀଷ୍ମଙ୍କ ପ୍ରତିଜ୍ଞା ଭୀମର ଶପଥ
ସତ୍ୟ ହୁଏ ରାଜ ଥାଟେ ।
ଚକୋର ରହସ୍ୟ ଚକୋରୀ ଜାଣଇ
ଦୋଷୀ ହୋଇଥାଏ ନିଶି,
ପଦ୍ମର ରହସ୍ୟ ସୂରୁଜ ଜାଣଇ
ଦୁଃଖରେ ଦିଅନ୍ତି ହସି ।
ଚିଲିକାର ମାଛ ଆକାଶର କୟାଁ
ଅସମ୍ଭବ ନୁହେଁ କିଛି,
ରହସ୍ୟ ଭିତରେ ସମାଧାନ ଅଛି
ମିଥ୍ୟାରେ ନର ଖୋଜୁଛି ।
ଚକୁଳି ମଧ୍ୟରୁ ବିନ୍ଧ ଗଣୁ ଗଣୁ
ଦିନ ବିତିଯାଏ ତା'ର,
ସ୍ବାର୍ଥ ଅହଂକାରେ ଘୁରି ବୁଲୁଥାଏ
ନ ମିଳଇ ତା ଉତ୍ତର ।
r>
ଚୋରା ଚାହାଣିର ଗୁପତ ରହସ୍ୟ
ଚୋରା ପୀରତିକୁ ଜଣା,
ମିଛଟାରେ ଖାଲି ବାଉଳି ହୁଅଇ
ଜାଣି ହୁଅଇ ଅଜଣା ।
ବୈଜ୍ଞାନିକ ଜାଣେ ପ୍ରତିକ୍ରିୟା କ'ଣ
ରାସାୟନିକରେ ଅଛି,
ଗୁପତ ରହସ୍ୟ ଉନ୍ମୋଚନ କରି
ଚନ୍ଦ୍ରାଲୋକେ ପହଞ୍ଚିଛି ।
ଖୋସାମଦକାରୀ ଭଲ ଭାବେ ଜାଣେ
କଥାଟିକୁ ଖଞ୍ଜି କହେ,
ଚାତୁର୍ଯ୍ୟ ସହିତ ଚାଦର ଘୋଡାଏ
ବିଷ ଭରି କଥା କୁହେ ।
ପାପୀର ରହସ୍ୟ ହୋଇଥାଏ ଶେଷ
ପାପ ଭାରା ବଢିଗଲେ,
ବୁଲା କୁତି ଠାରୁ ହୀନ ହୋଇଯାଏ
ଯେତେ ଧନ ଅରଜିଲେ ।
ରହସ୍ୟକୁ ଭେଦ କରିବାର ବାଟ
ଅଭିଜ୍ଞ ପୁରୁଷ ଜାଣେ,
ରହସ୍ୟ ଭିତର ଗୁପ୍ତ ତଥ୍ୟଟିକୁ
ଲୋକଲୋଚନକୁ ଆଣେ।