ରାତିରାଣୀ
ରାତିରାଣୀ
ସଞ୍ଜ ଗଲେ ନଇଁ ତରୁ ଡାଳେ ତୋର
ଜାଗେ ଧୀର ଶିହରଣ,
କମ୍ପିତ ତନୁରେ ପଲ୍ଲବିତ ହୁଏ
କମନୀୟ ରୂପ ତୋର।
କ୍ଷୁଦ୍ର ରୂପ ତୋର କୋମଳ ପାଖୁଡ଼ା
ନିଷିଥରେ ହେଉ ଉଭା,
ସୁବାସ ତୋ କିନ୍ତୁ ବିଛୁରିତ ହୁଏ
ମନ ପ୍ରାଣ ଆତ୍ମା ଲୋଭା।
ତୋ ଅମୀୟ ଧାରା ଶୀତ ସମୀରଣେ
ନାସାଗ୍ରକୁ ଯେବେ ଛୁଏଁ,
ପୋଡ଼ା ଜୀବନରେ ସତେ କି ସେ କ୍ଷଣେ
ପରାଣ ସଞ୍ଚରି ଯାଏ।
ଘନ ଅନ୍ଧକାରେ ଅବତରି ପୁଣି
ଅନ୍ଧକାରେ ଯାଉ ଝରି,
ନିସ୍ୱାର୍ଥ ଭାବରେ ସୌନ୍ଦର୍ଯ୍ୟ ପରଶି
ସୁଗନ୍ଧ ଯାଉ ବିତରି।
ଶୁଣିଥିଲି କାଳେ ସୂର୍ଯ୍ୟଦେବ ତୋତେ
ଅନାଗ୍ରହ କରି ଦିନେ,
ଫେରିଗଲେ ନିଜ ପୁର ତୋତେ ଛାଡ଼ି
ଜଳୁଛୁ ତୁ ହିନୀମାନେ।
ତଥାପି କରିଛୁ ଅନନ୍ତ ପ୍ରତୀକ୍ଷା
ସେଇ ପ୍ରାଣ ପ୍ରିୟ ପାଇଁ,
ସେ ଆସିଲେ ଅଭିମାନେ ଯାଉ ଝରି
ମୁଖ ନ ଚାହିଁବା ପାଇଁ।
ଅପ୍ରମିତ ପ୍ରେମ ରଖିଛୁ ସାଇତି
ନାରଙ୍ଗୀ ହୃଦରେ ତୋର,
ସେ ପ୍ରେମ ପ୍ଲାବନେ ଭିଜେ ଏ ସଂସାର
କ୍ଷୁବ୍ଧ ଚିତ୍ତ ହୁଏ ସ୍ଥିର।
ରାତିରାଣୀ ବୋଲି ରାତି ଉଆସରେ
ବିଚରୁ ତୁ ନିର୍ଭୟରେ,
କବି ପ୍ରାଣେ ଜାଗେ ତୋ ରୂପ କଳ୍ପନା
ଅଭିଭୂତ ମାନସରେ।
ପ୍ରେମୀଟିଏ ପାଇଁ ଶୃଙ୍ଗାର ହାର ତୁ
ଅପୂର୍ବ ତୋ ସମ୍ମୋହନ,
ଦୂର ପଥିକକୁ ବାଟବଣା କରେ
ଘୁମନ୍ତ ତୋ ଆକର୍ଷଣ।
ପାହାନ୍ତିରେ ତୋର ଝରା ଅଙ୍ଗ ସଜ୍ଜା
ଧରଣୀକୁ ଯେବେ ଛୁଏଁ,
ଉତ୍ଫୁଲ୍ଲିତା ହୁଏ ପୃଥ୍ବୀ ମାତା ଯେବେ
ତୋ ଦେହେ ଜଡେଇ ହୁଏ।
ତୋ ଭଳି ସୁନ୍ଦରୀ ରାଜକନ୍ୟା ପାଇ
ଗୌରବରେ ମଥା ଟେକେ,
ଦିନ ଆଲୋକରେ ତୋ ମୁଖ ନ ଚୁମି
ଦୁର୍ଭାଗ୍ୟକୁ ନିଜ ଧିକେ।
ଧନ୍ୟ ତୁ ଶେଫାଳି ଧନ୍ୟ ତୋର ଜନ୍ମ
ରାତିଏ ଆୟୁଷ ତୋର,
ତୃପ୍ତ କରୁ କିନ୍ତୁ ଅଗଣିତ ପ୍ରାଣ
ନାହିଁ ତୋର ପଟାନ୍ତର।