ରାମ ତୁମେ କୃଷ୍ଣ ତୁମେ ଜଗନ୍ନାଥ
ରାମ ତୁମେ କୃଷ୍ଣ ତୁମେ ଜଗନ୍ନାଥ
ଜୟଜୟ ଜଗନ୍ନାଥ କଳା ବଦନ
ଭାବ ବିନୋଦିଆ ଭକ୍ତ ହୃଦ ଚନ୍ଦନ ।
ପତିତ ତାରିବା ପାଇଁ ଉଡୁଛି ନେତ
ପତିତ ପାବନ ନାମ ଜଗତେ କ୍ଷାତ ।
ତୁମେ ରାମ ତୁମେ କୃଷ୍ଣ ହେ ଜଗନ୍ନାଥ
ପଦ୍ମ ପଳାସ ଲୋଚନ ଅନାଥ ନାଥ ।
ବନମାଳୀ ବଳିଧ୍ବ°ସୀ ବିଷ୍ଣୁ ବାମନ
ବୈକୁଣ୍ଠ ବିଷ୍ଟରସର୍ବା ବିଶ୍ବ ବନ୍ଦନ ।
ବିଶ୍ଵକର୍ମା ବିଶ୍ବକର୍ତ୍ତା ବିଶ୍ବ ମୋହନ
ବିଶ୍ବମ୍ବର ବିଶ୍ବେଶର ବିଶ୍ବ ଜୀବନ ।
ବିଶ୍ବାନନ୍ଦ ବିଶ୍ବନାଥ ବିଶ୍ବ ଦର୍ଶନ
ବିଷୟ ବିଶ ବଳୟୁ କର ତାରଣ.।
ଆନନ୍ଦ ପରମାନନ୍ଦ ନନ୍ଦ ନନ୍ଦନ
ଅଚ୍ୟୁତ ଅଚ୍ୟୁତାନନ୍ଦ ଚିତ୍ତ ଚନ୍ଦନ।
ଅପ୍ରମିତ ଅପ୍ରମେୟ ଅଶୃମୋଚନ
ଅଭୟ କାଶ୍ୟପେୟ ଅଦିତୀ ନନ୍ଦନ।
ପରମ ପୁରୁଷୋତ୍ତମ ମଧୁସୂଦନ
କେଶବ କେଶବାନନ୍ଦ କ°ଶ ମର୍ଦ୍ଦନ ।
ହୃଷିକେଶ ଜଗଦୀଶ କହ୍ନେଇ କୃଷ୍ଣ
ଭକତର ର ମନ ବଞ୍ଛା କର ପୂରଣ ।
ଭୂତ ଭବିଷ୍ୟତ ବର୍ତ୍ତମାନ ଅତୀତ
କାଳ ତୁମ କବଳିତ ହେ କାଳାତୀତ ।
ଅନନ୍ତ ଅନ୍ତର୍ଜ୍ୟାମି ଅସୀମ ଅପୂର୍ବ
ନରସିଂହ ନାରାୟଣ ମଧୁ ମାଧବ ।
ପରମ ପୁରୁଷ ପ୍ରଭୁ ପୁରୁଷୋତ୍ତମ
ପର୍ଷୁରାମ ତ୍ରୀବିକ୍ରମ ପୂଣ୍ୟ ପରମ ।
ଜଳଶାୟୀ ଜନାର୍ଦ୍ଦନ ଜଗଜୀବନ
ମଧୁରିପୁ ପଦ୍ମନାଭ ମଧୁସୂଦନ ।
ଉପେନ୍ଦ୍ର ଈନ୍ଦ୍ରାବରଜ ହୀରଣ୍ୟଗର୍ଭ
ଉତ୍ତମ ଶିରୋମଣି ଆହେ ସ୍ଥିତପ୍ରଜ୍ଞ ।
ଗୋବିନ୍ଦ ଗରୁଡଧ୍ବଜ ଗର୍ବ ଗଞ୍ଜନ
ଜ୍ଞାନେଶ୍ବର ଜ୍ଞାନଦୀପ ଜ୍ଞାନରଞ୍ଜନ ।
ଗୋପାଳ ଗୋପାଳପ୍ରିୟ ଗୋପ ଚନ୍ଦନ
ଗୋପେଶ୍ବର ଗୋପଙ୍ଗନା ଗୋପୀ ଜୀବନ ।
ଗୌରାଙ୍ଗ ଗୌରଚନ୍ଦ୍ର ଗୋପ ଗୋପୀନାଥ
ଗୋପବାଳ ବାଲ୍ୟଲିଳା ଲିଳା ଅଦ୍ଭୁତ ।
ଗୋବର୍ଦ୍ଧନ ଗିରିଟେକା ଗରୁଡାସନ
ଗରଜି ମଲା କଲ କାଳିୟଦଳନ ।
ଗହନ ବନରେ ଚରାଇଲ ଗୋଧନ
ଗଗନେ ପବନ କରେ ଗୁଣ କିର୍ତ୍ତନ ।
ଦାମୋଦର ଦୀନବନ୍ଧୁ ଦୈତ୍ୟ ଦଳନ
ଦଇତାରୀ ଦୁଃଖହାରୀ ଦୁଃଖ ନାସନ ।
ଦୟାନିଧି ଦୟାମୟ ଦୁଖୀ ର ଧନ
ଦିବ୍ୟଜ୍ୟୋତି ଦିବ୍ୟକାନ୍ତି ଦିବ୍ୟ ଲୋଚନ ।
ଚକ୍ରପାଣି ଚିନ୍ତାମଣି ଚିନ୍ତା ମୋଚନ
ଚତୁର୍ଭୁଜ ଚକ୍ରଧର ଚିତ୍ତ ଚିନ୍ତନ ।
ଶ୍ରୀହରି ଶ୍ରୀଚନ୍ଦନ ଶ୍ରୀଧର ଶ୍ରୀପତି
ତ୍ରୀକାଳ କାଳଜୟୀ ତ୍ରୀଭୁବନ ପତି ।
ଅବତାର ଅବତାରୀ ତ୍ରାଣ କରତା
ଗୀତା ଭାଗବତ ବେଦ ଧାତା ବିଧାତା ।
ସର୍ବ ଚରାଚର ହେ ସର୍ବ ବିରାଜିତ
ସ୍ଥାବର ଜଙ୍ଗମ ଜୀବ ପ୍ରାଣ ସଙ୍ଗୀତ ।
ଅଛି ନଅଛିର ତୁମେ ଚରମ ସୀମା
ତୁମେ ଶାନ୍ତି ମୁକ୍ତି ଦୟା କରୁଣା କ୍ଷମା ।
ଆକାଶଠୁ ବଡ ତୁମେ ସାଗରଠୁ ନୀଳ
ଆରତ ତାରଣ ହେ ଜଗତ ମଙ୍ଗଳ ।
ଧନମାଳି ବନମାଳି ଦୁଖୀ ଶଙ୍ଖାଳି
ତୁମ ପାଦେ ପ୍ରଭୁ ମୋର ଏତିକି ଅଳି ।
ତୁମକୁ ଦେଖିନି ମୁଁ ଦେଖିବାକୁ ମନ
ଦୟାକର ଦୀନଜନେ ଦିଅ ଦର୍ଶନ ।
ଚାରିଯୁଗ ଲିଳା ଖେଳା ଅନେକ ରୂପ
ଚାହାଁ କଳିଯୁଗେ ଅଧାଗଢା ସ୍ବରୂପ ।
ଚକାଆଖି ଚକାଡୋଳା ଚକାନୟନ
ଚନ୍ଦନ ଚର୍ଚ୍ଚିତ ଚିତ୍ତ ଚିତ୍ତରଞ୍ଜନ ।
ଚକିତ ଜଗତ ଦେଖି ରୂପ ଏମନ୍ତ
ଚକା ବଇଠିରେ ବସି ପାଳ ଜଗତ ।
ଚମକଇ ରୂପକାନ୍ତି ଝଟକେ ଜ୍ୟୋତି
ଚାହିଁ ଦେଲେ ମିଳେ ପ୍ରାଣେ ଅପୂର୍ବ ଶାନ୍ତି ।
ଚର୍ମ ନେତ୍ରେ ଦେଖିଦେଲେ ରୂପ ତୁମର
ଚିନ୍ତା ଅବସାଦ ସବୁ ହୁଅଇ ଦୂର ।
ଚତୁର୍ଦ୍ଧାମୂରତୀ ଚାରି ବେଦ ସ୍ବରୂପ
ଚେତନାର ରୂପକାର କାୟା କଳପ ।
ଚିନ୍ମୟାନନ୍ଦ ଆନନ୍ଦ ଛନ୍ଦା ଚରଣ
ଚରଣ ବରଣ ପାଇଁ ଆକୁଳ ପ୍ରାଣ ।
ଚଣ୍ଡାଳ ବ୍ରାହ୍ମଣ ସେ ତୁମକୁ ସମାନ
ଚିତ୍ର ନୁହେଁ ଚରିତ୍ର କୁ ଦିଅଯେ ଧ୍ୟାନ ।
ଚୈତନ୍ୟ ଆଦି କେତେ ମହାତ୍ମା ଜନ
ଚଉଦିଗେ କଲେ ତୁମ ନାମ କିର୍ତ୍ତନ ।
ଚକାଆଖି ଏତିକି ମୋର ନିବେଦନ
ଚକାନୟନକୁ ଚାହିଁ ଯାଉ ଏ ପ୍ରାଣ ।
ମାନବୀୟ ଲିଳା ପାଇଁ ବିଶ୍ଵ ବନ୍ଦିତ
ମାନବ ପରି ତୁମର ରାସ ରଙ୍ଗତ।
ହୁଏ ତୁମ ନୀତି କ୍ରାନ୍ତି ଦୈନିକ ନୀତି
ଧୂପ ଅବକାଶ ବେଶ ଭାବ ଭକତି ।
ପହୁଡ଼ ଭାଙ୍ଗୁଭାଙ୍ଗୁ ମୁଖ ପ୍ରକ୍ଷାଳନ
ଦନ୍ତ ଘଷ ପୁଣି କର ବିମ୍ବ ସ୍ନାହାନ ।
ସକାଳୁ ସଞ୍ଜଯାଏ ପ୍ରସାଦ ଲାଗଇ
ଦକ୍ଷିଣ ହସ୍ତ ତୁମ ଜମା ଶୁଖେ ନାହିଁ ।
ଖାଇବା ଠାକୁର ବୋଲି ଭକ୍ତେ କୁହନ୍ତି
ଧାମରେ ତୁମର ଅନ୍ନ ବ୍ରହ୍ମ ହୁଅନ୍ତି ।
ଷାଠିଏ ପଉଟି ରନ୍ଧା ଛପନ ଭୋଗ
କ୍ଷୀରି ପୁରୀ ରସାବଳି ମୋହନ ଭୋଗ ।
ନାଚଗୀତ ଶୁଣିବାକୁ ଶରଧା ଭାରି
ନିଜେ ବିତ ନାଚ କର ମୁରଲୀ ଧରି ।
ବୁଲିବାକୁ ଭଲପାଅ ରଥରେ ବୁଲ
ମଳୟ ବହିଲେ ତୁମେ ଦୋଳିରେ ଝୁଲ ।
ବିଷମ ଗିରିଷମ ପାର ନାହିଁ ସହି
ନାବକେଳି କର ତୁମେ ନରେନ୍ଦ୍ର ଯାଇ ।
ବଳେଇ ପଡିଲେ ରାତି ଶେଯକୁ ଯାଅ
ବଡ଼ ସିଂହାର ବେଶରେ ପହୁଡିଥାଅ ।
ଚାରିଯୁଗ କଥା ତୁମେ ମନେ ରଖିଚ
ସବୁ ଯୁଗ ଲିଳା ନୀଳାଚଳେ ରଚୁଛ ।
ରାମାୟଣେ ଏହି କଥା ଅଛି ବର୍ଣ୍ଣନ
ରାମ ଯେ ଜଗନ୍ନାଥ ବଳରାମ ଲକ୍ଷଣ ।
ପ୍ରକୃତି ଅଟନ୍ତି ସେହି ସୁଭଦ୍ରା ମାଆ
ଚତୁର୍ଦ୍ଧାମୂରତି ଦୀନ ଦୁଃଖୀ ଙ୍କୁ ସାହା ।
ତ୍ରେତୟା ଯୁଗରେ ଯେଣୁ ଶ୍ରୀରାମ ପ୍ରଭୁ
ଶ୍ରୀମନ୍ଦିରେ ରାମଲୀଳା ହୁଅଇ ସବୁ ।
ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ଦିନ
ପରମ ପୁରୁଷ ରାମ ଜନ୍ମ ସେଦିନ ।
ଚୈତ ଶୁକ୍ଳ ଏକାଦଶୀ ପବିତ୍ର ତିଥି
ସୀତା ବିବାହ ଉତ୍ସବ ପ୍ରଭୁ ପାଳନ୍ତି ।
ଦ୍ବାଦଶୀରେ ବନବାସ ନୀତି ହୁଅଇ
ଦୁଃଖ ବିରହର କଥା ସେତ କୁହଇ।
ବୈଶାଖ କୃଷ୍ଣ ପକ୍ଷ ତିଥି ପ୍ରତିପଦ
ଲଙ୍କା ଦୀପକୁ ତୁମେ ବାନ୍ଧ ସେତୁବନ୍ଧ ।
ଦ୍ବିତୀୟା ଦିନ କରି ପ୍ରବଳ ଯୁଦ୍ଧ
ପ୍ରତାପୀ ରାବଣକୁ କରଯେ ବଦ୍ଧ ।
ରାମାଭିଷେକ ଲିଳା ତାପରେ ହୁଏ
ରାମାୟଣ କଥା ସବୁ ମନେ ପକାଏ ।
ବଖାଣେ ମହାଭାରତ ସ୍କନ୍ଦ ପୁରାଣ
କଳି ଯୁଗେ ଜଗନ୍ନାଥ ଦ୍ବାପରେ କୃଷ୍ଣ ।
ଶିଆଳି ଲତାରେ ପ୍ରଭୁ ବିଶ୍ରାମ କାଳେ
ବିଲୟ ଲଭିଲ ତୁମେ କାଳ କବଳେ ।
ପଦ୍ମ ପୟରକୁ ଦେଖି ଯାରା ଶବର
ମୃଗ କର୍ଣ୍ଣ ଭାବି ସେତ ମାରିଲା ଶର ।
ମର ଶରୀରରୁ ଆତ୍ମା ଅଲଗା ହେଲେ
ପାଣ୍ଡବେ ଶବକୁ ନେଇ ଦାହ କରିଲେ ।
ସାତଦିନ ସାତରାତି ଜଳିଲା ଜୁଇ
ପ୍ରଭୁଙ୍କ ନାଭିକମଳ ପୋଡିଲା ନାହିଁ ।
ସମୁଦ୍ରରେ ନାଭିକୁ ଯେ ଦେଲେ ଭସାଇ
ଭାସିଲ ସାଗରରେ ମହାଦାରୁ ହୋଇ।
ସେହି ଦାରୁ ଢେଉ ରେ ତ ଭାସି ଆସିଲା
ନୀଳାଚଳେ ମହୋଦଧି କୂଳେ ଲାଗିଲା ।
ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ବପ୍ନେ ଆଦେଶ ପାଇ
ମହାଦାରୁ ଦାରୁବ୍ରହ୍ମ ଗଢିଲେ ନେଇ ।
ନିଜ ପାଇଁ ବିଶ୍ଵକର୍ମା ନିଜେ ସାଜିଲ
ନିଜର ମୂରତି ନିଜେ ପ୍ରଭୁ ଗଢିଲ ।
ଅଧାରେ ଅଟକି ଅଧାଗଢ଼ା ହେଲେତ
ତୁମେ ରାମ କୃଷ୍ଣ ତୁମେ ଜଗତ ନାଥ।
ଷୋଳକଳା ର ଦିଅଁ ହେ କଳା ଗୋସାଇଁ
ତୁମରି କଳା ର କଳା କଳା କହ୍ନେଇ ।
କଳାକାହ୍ନୁଙ୍କର ସେହି ଦ୍ଵାପର ଲିଳା
ନୀଳାଚଳେ ଲିଳା ରଚ ହେ ଚକାଡୋଳା ।
କୃଷ୍ଣଜନ୍ମ ଜନ୍ମାଷ୍ଟମୀ ଭାଦ୍ରବ ମାସେ
ଭାଦ୍ରବ କୃଷ୍ଣ ଅଷ୍ଟମୀ ଅନ୍ଧାର ହସେ ।
ଜନମ ହୁଅନ୍ତି ପ୍ରଭୁ ତମସା ନାଶି
ଗୋପ ରୂପେ ନୀଳାଚଳ ଉଠଇ ହସି ।
ଜନ୍ମାଷ୍ଟମୀ ବାସି ହୁଏ ନନ୍ଦ ଉତ୍ସବ
ଗୋପବାସୀ ହସଖୁସି ଭାବ ଅପୂର୍ବ ।
ବକାସୁର ବଧ କର କାଳିୟ ଦଳନ
ମନ ମୋହି ନିଏ ସେହି ବେଶ ଦର୍ଶନ ।
ପ୍ରଳମ୍ବାସୁରବଧ ଧେନୁକା ନିଧନ
ରାଧା ଜନ୍ମଦିନ ଆଉ ରୁକ୍ମିଣୀ ହରଣ ।
ମହାଲକ୍ଷ୍ମୀ ପାଖେ ଥାଇ ରାଧା ଙ୍କୁ ଝୁର
ଆଡ଼ପ ମଣ୍ଡପେ ଗୁପ୍ତ ରାହାସ କର।
ରାଇ ଦାମୋଦର ବେଶ ପଞ୍ଚୁକେ ହୁଅ
ରାଇ କିଶୋରୀ ଙ୍କୁ ସତେ ପାଶୋରି ନାହଁ ।
ଯମୁନା କୂଳରୁ ନୀଳ ଜଳଧି ଜଳେ
ହରେକୃଷ୍ଣ ହରେରାମ ନାମ ଉଛୁଳେ ।
ଦୋଳରେ ହସୁଥାଏ ଗୋପ ବୃନ୍ଦାବନ
ଦୋଳିରେ ଝୁଲୁଥାନ୍ତି ଶ୍ରୀରାଧା ମୋହନ ।
ଚିନ୍ତି ରାଧା କୃଷ୍ଣ ଙ୍କର ବସନ୍ତ ରାସ
ଜଗନ୍ନାଥ ହୋଇଥାନ୍ତି ଚାଚେରୀ ବେଶ ।
ଫଗୁ ଦଶମୀ ରୁ ଦୋଳ ପୂହ୍ନେଇ ଯାଏ
ଶ୍ରୀମନ୍ଦିରେ ଦୋଳ ପର୍ବ ଉଛୁଳୁଥାଏ ।
ଶଖିଙ୍କ ମେଳରେ ଦୋଳବିମାନେ ବସି
ଦୋଳ ଗୋବିନ୍ଦ ବୁଲନ୍ତି କୃପା ବରଷି ।
ଗୋପୀ ଗୋପାଳଙ୍କ କଥା ପ୍ରଭୁ ଭାବନ୍ତି
ଖୁସିରେ ଭକତେ ଆସି ରଙ୍ଗ ବୋଳନ୍ତି ।
ଦୋଳ ବେଦୀକୁ ଆସନ୍ତି ଦୋଳ ଗୋବିନ୍ଦ
ଭକତ ବତ୍ସଳ ପ୍ରଭୁ ପରମାନନ୍ଦ ।
ଶଖିଙ୍କ ସାଥିରେ ପ୍ରଭୁ ଦୋଳେ ଝୁଲନ୍ତି
ଶଖିଙ୍କ ମୁହଁ ରେ ଫଗୁ ରଙ୍ଗ ବୋଳନ୍ତି ।
ହୋଲିକା ଦହନ ବସି ପ୍ରଭୁ ଦେଖନ୍ତି
ଭକ୍ତ ପ୍ରହଲ୍ଲାଦ କଥା ମନେ ଭାବନ୍ତି ।
ରଙ୍ଗ ଅବିରକୁ ପୁଣି ଚୁଆ ଚନ୍ଦନ
ଦୟଣା ତୁଳସୀ ମାଳ ଭକ୍ତି ଅର୍ପଣ ।
ଦୋଳରେ ଦୋଳଗୋବିନ୍ଦ କଲେ ଦର୍ଶନ
ପୁନର୍ଜନ୍ମ ହୁଏନାହିଁ ସାସ୍ତ୍ରେ ବର୍ଣ୍ଣନ ।
ଅଧର୍ମ ର ତେଜ ଯେବେ ହୁଏ ଅସହ୍ୟ
ଧରାକୁ ଓହ୍ଲାଇ ଧର୍ମ ଧ୍ଵଜା ଉଡାଅ ।
ସତ୍ୟ ରୁ ତ୍ରେତୟା ପୁଣି ଦ୍ଵାପର କଳି
କରିଛ ଧରାବତରଣ ଅମୃତ ଢାଳି ।
ଅମା ଅନ୍ଧକାର ସବୁ ଉଭେଇ ଯାଏ
ଧର୍ମ ସଂସ୍ଥାପନ ପୁଣି ଧରାରେ ହୁଏ ।
କଳିକାଳେ ନୀଳାଚଳେ କଳା ଠାକୁର
ପତିତ ଜନଙ୍କୁ ତୁମେ କର ଉଦ୍ଧାର ।
ଯେଉଁଠି ଡାକଇ ଯିଏ ଯେମିତି ଡାକେ
ତୁମେତ ଭରସା ହୁଅ ତା ସୁଖେ ଦୁଃଖେ ।
କି ଯାଦୁ ପ୍ରଭୁହେ କୁହ ତୁମକୁ ଜଣା
ତୁମ ଦରଶନ ପାଇଁ ଜଗତ ବଣା ।
କାହିଁ କେତେ ଦୂରୁ ନିତି ଭକ୍ତ ଆସନ୍ତି
ଦେଉଳ ଦୁଆରେ ତୁମ ଗୁଣ ଗାଆନ୍ତି ।
ତୁମରି ପ୍ରେମରେ ସବୁ ପାଗଳ ହୋଇ
ଜୟ ଜୟ ଜଗନ୍ନାଥ ଗାଆନ୍ତି ସେହି ।
ଉର୍ଦ୍ଧ ବାହୁ ହୋଇ ସବୁ ନାଚ କରନ୍ତି
କରି ତୁମ ଦରଶନ ଦୁଃଖ ଭୁଲନ୍ତି ।
ଦୟାକର ଦୀନବନ୍ଧୁ ଝୁରେ ଅଧମ
ଆହେ ପ୍ରଭୁ ଜଗନ୍ନାଥ ହେ କୃଷ୍ଣ ରାମ ।