STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
307

ଭାଇ ଭଉଣୀର ଭାବର ବନ୍ଧନ

ସ୍ନେହ ମମତାର ରାକ୍ଷୀ,

ଭାଇ ବଳିଦାନ ଭଉଣୀର ତ୍ୟାଗ

ଯୁଗେ ଯୁଗେ ରହେ ସାକ୍ଷୀ।।


ଭାଇର ହାତରେ ଭଉଣୀ ପିନ୍ଧାଇ

କରାଇ ଥାଏ ଶପଥ,

ଭଉଣୀ ପାଖରେ ଛାଇ ଭଳି ରହି

ସାଜୁ ତା ରକ୍ଷା କବଚ।।


ରାଜପୁତ ରାଣୀ କର୍ମାବତୀ ଥରେ

ରାକ୍ଷୀଟେ କରି ପ୍ରେରଣ,

ବାଦଶାହା ହୁମାୟୁନଙ୍କ ପାଖରେ

କରିଥିଲେ ନିବେଦନ।।


ଚିଠିରେ ଲେଖିଲେ ରାଣୀ କର୍ମାବତୀ

ଧରମ ଭାଇ ମୋହର,

ବାହ୍ୟ ଶତ୍ରୁ ଠାରୁ ରକ୍ଷା କର ମୋତେ

ମୋ ରାଜଧାନୀ ଚିତୋର।।


ଯୁଦ୍ଧ ବଳେ ବାଦଶାହା ହୁମାୟୁନ

ରକ୍ଷା କଲେ ଚିତୋରକୁ,

ଇତିହାସ ସାକ୍ଷୀ ରହିଲା ସେଦିନୁ

ରହିଲା କାଳକାଳକୁ।।


ଦେବତା ଦାନବ ମହାସମରରେ

ରାକ୍ଷୀ ନେଇ ବୃହସ୍ପତି,

ଇନ୍ଦ୍ରଙ୍କ ହସ୍ତରେ ବାନ୍ଧି ଦେଇ ତାକୁ

ପଠାଇଲେ ଯୁଦ୍ଧ କତି।।


ଦେବରାଜ ଇନ୍ଦ୍ର ଦାନବ ମାନଙ୍କୁ

ଅଚିରେ କଲେ ପରାସ୍ତ,

ପୁରାଣ ପୃଷ୍ଠାରେ ଲିପିବଦ୍ଧ ଅଛି

ରହିଛି ପୂର୍ବ ବିଦିତ।।


ଦ୍ଵାରପାଳ ହୋଇ ଭଗବାନ ବିଷ୍ଣୁ

ଥିଲେ ବଳି ରାଜାଙ୍କର,

ବଳିଙ୍କ ହସ୍ତରେ ରାକ୍ଷୀ ବାନ୍ଧି ଲକ୍ଷ୍ମୀ

ବିଷ୍ଣୁଙ୍କୁ କଲେ ଉଦ୍ଧାର।।


ତିନି ପାଦ ଭୂମି ଦାନ ଦେଇଥିଲେ

ରାଜା ବଳି ଏହିଦିନ,

ବାମନ ରୂପରେ ପାତାଳୀ କରିଲେ

ପ୍ରଭୁ ସେହି ତ୍ରିବିକ୍ରମ।।


ଦ୍ରୈ।ପଦୀ ଚିରିଲେ ନିଜ ପିନ୍ଧା ଶାଢୀ

ଶ୍ରୀକୃଷ୍ଣଙ୍କ ଦେଖି କ୍ଷତ,

ବିବସନା କାଳେ କୋଟି ବସ୍ତ୍ର ଦେଇ

ରଖିଲେ ପ୍ରଭୁ ଶପଥ।।


କଂସର କବଳୁ ରକ୍ଷା କରିବାକୁ

ନିଜର ପ୍ରିୟ କାହ୍ନାଙ୍କୁ,

ଗୋପାଙ୍ଗନା ସବୁ ବାନ୍ଧୁଥିଲେ ରାକ୍ଷୀ

ବିପଦରୁ ରଖିବାକୁ।।


ପାଣ୍ଡବ ଜନନୀ ମାତା କୁନ୍ତୀ ପରା

ରାକ୍ଷୀ ବାନ୍ଧି ଶ୍ରୀକୃଷ୍ଣଙ୍କୁ,

କୈ।ରବ କବଳୁ ପାଣ୍ଡବ ମାନଙ୍କୁ

ସୁରକ୍ଷିତ ରଖିବାକୁ।।


ଭଉଣୀ ସୁରକ୍ଷା କବଚ ସାଜଇ

ଭାଇର ଜୀବନ ଭଉଣୀ,

ଜଗାବଳିଆଙ୍କ ମଝିରେ ବସିଛି

ଗେହ୍ଲା ସୁଭଦ୍ରା ଭଉଣୀ।।


ନିଜ ଭଉଣୀ ଭଳି ଅନ୍ୟ ଝିଅଙ୍କୁ

ଯଥେଷ୍ଟ ସମ୍ମାନ ଦେବା,

ନାରୀ ନିର୍ଯାତନା ଦୂର କରିବାକୁ

ଆସନ୍ତୁ ଶପଥ ନେବା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract